କି କଳି ଯୁଗ ହେଲା! ଶେଷରେ ଦେବାଦେବୀଙ୍କୁ ବି ଛାଡିଲେନି ଏ ପାପୀମାନେ?

କି କଳି ଯୁଗ ହେଲା..ଶେଷରେ ଦେବାଦେବୀଙ୍କୁ ବି ଛାଡିଲେନି ଏ ପାପୀମାନେ? ମନ୍ଦିରରେ ପଶି ବୁଲାଇଲେ କଳାକନା । ଏବେ ମନ୍ଦିର ଉପରେ ଚୋରଙ୍କ ଲୋଲୁପ ଦୃଷ୍ଟି । ଥମିବାର ନା ନେଉନାହିଁ ମନ୍ଦିରରୁ ଚୋରି ଘଟଣା । ବିଭିନ୍ନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମନ୍ଦିରରୁ ହେଉଛି ସିରିଜ୍ ଲୁଟ୍ । ଆଉ ପୋଲିସ୍ ସାଜିଛି ନିରବ ଦ୍ରଷ୍ଟା । ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ୍ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ତେବେ ପୋଲିସର ନିଷ୍କ୍ରିୟତା ପାଇଁ ଏପରି ଲୁଟ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ପୋଲିସ ପେଟ୍ରୋଲିଂ ହେଉନଥିବା ମଧ୍ୟ କୁହାଯାଉଛି ।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ୩ଟି ମନ୍ଦିରରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ଫତେପୁର ଛକ ରାସ୍ତା ପାର୍ଶ୍ଚସ୍ଥିତ ତାରିଣୀ ମନ୍ଦିରର ତାଲା ଭାଙ୍ଗି ମା’ଙ୍କ ସମସ୍ତ ଅଳଙ୍କାର ଚୋରୀ କରାଯାଇଛି । ଏତତ୍ ବ୍ୟତିତ ହୁଣ୍ଡି ବାକ୍ସକୁ ଉଠାଇ ନେଇ ଭାଙ୍ଗି ସେଥିରେ ଥିବା ଦାନ ଅର୍ଥ ନେବାପରେ ଅନ୍ୟତ୍ର ଫିଙ୍ଗି ଦେଇଛନ୍ତି । ଏନେଇ ମନ୍ଦିର କମିଟିର ଶଶିକାନ୍ତ ନାୟକ ଓ ଉତ୍ତମ ମହାପାତ୍ର ପ୍ରମୁଖ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଚୋରମାନଙ୍କୁ ଧରିବା ଲାଗି ଦାବି କରିଛନ୍ତି ।
ସେହିଭଳି ପୀରହାଟ ଥାନା କମାରିଆ ପଣ୍ଡାପୋଖରୀସ୍ଥିତ ମା’ ତାରିଣୀ ମନ୍ଦିରର ତାଲା ଭଙ୍ଗାଯାଇ ଅଳଙ୍କାର ସମେତ ହୁଣ୍ଡି ବାକ୍ସରେ ଥିବା ଦାନ ଅର୍ଥ ମଧ୍ୟ ଚୋରି ହୋଇଛି । ସକାଳୁ ପୂଜକ ସଦାନନ୍ଦ ପାଣି ପୂଜା କରିବାକୁ ଆସିବା ପରେ ଏପରି ଦେଖିବାକୁ ପାଇଥିଲେ । ସେହିପରି ପୀରହାଟ କାନପୁରସ୍ଥିତ ଜଗନ୍ନାଥ ମନ୍ଦିର ଓ କାର୍ଯ୍ୟାଳୟ ଗୃହର ଏକସଂଗେ ୪ଟି ତାଲା ଭଙ୍ଗାଯାଇ ନାନାଦି ଅଳଙ୍କାର ଲୁଟ୍ ହୋଇଛି । ଏବେ ଚୋରଙ୍କ ଟାର୍ଗେଟରେ ମନ୍ଦିର । ନାଁ ଭଗବାନଙ୍କ ପ୍ରତି ରହିଛି ଭକ୍ତି ନାଁ ମନରେ ଅଛି ଭୟ ।
ପୂର୍ବରୁ ଘର ଓ ଦୋକାନରୁ ଚୋରି କରୁଥିଲେ । କିନ୍ତୁ ଘରେ ଓ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଭୟରେ ମନ୍ଦିରରେ ବୁଲାଉଛନ୍ତି କଳାକନା । ମନ୍ଦିରରୁ ଏମିତି ଚୋରି କରୁଛନ୍ତି ଯେ ପୋଲିସକୁ କିଛି ବି ସୁରାକ ମିଳୁନି । ଦିନ ବେଳେ କେଉଁ ମନ୍ଦିରରୁ ଚୋରି କରିବେ ଲକ୍ଷ୍ୟ ରଖୁଛନ୍ତି । ଆଉ ରାତି ହେଲେ ଚୁପ ଚାପ ଆସି ମନ୍ଦିରର ହୁଣ୍ଡି ଭାଙ୍ଗି ସବୁ କିଛି ସଫା କରି ନେଉଛନ୍ତି । ଠାକୁରଙ୍କ ସୁନା ଅଳଙ୍କାର ସହ ଦାନରେ ମିଳିଥିବା ଟଙ୍କାକୁ ବି ଛାଡ଼ୁ ନାହାନ୍ତି ।
Also read: ଘରର କବାଟ ଭାଙ୍ଗି ପଶିଲେ, ପୁଅ ବୋହୂଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଲକ୍ଷାଧିକ ଟଙ୍କା ଓ ଗହଣା ଲୁଟିଲେ