ସହିଦ ସ୍ୱାମୀଙ୍କୁ ହରାଇ ସ୍ତ୍ରୀଙ୍କ ଆଖିରୁ ଶୁଖୁନି ଲୁହ…ବାପ ଛେଉଣ୍ଡ ହୋଇଗଲେ ଦୁଇ ଝିଅ

କେନ୍ଦୁଝର: କାନ୍ଦ ବୋବାଳିରେ ଫାଟି ପଡୁଥିଲା ସହିଦଙ୍କ ଘର । ଗାଁ ଦାଣ୍ଡରେ ଜମିଥିଲା ବନ୍ଧୁବାନ୍ଧବଙ୍କ ଭିଡ । ବନ୍ଦେ ମାତରମ୍ ସାଙ୍ଗକୁ ଭାରତ ମାତା କି ଜୟ ଧ୍ୱନୀରେ ଫାଟିପଡୁଥିଲା ସାରା ପରିବେଶ । ସମସ୍ତଙ୍କ ଆଖି ଛଳ ଛଳ, ଛାତିରେ ଅଜସ୍ର କୋହ । କାହିଁକିନା ଏ ଦୁନିଆ ଛାଡି ସବୁ ଦିନପାଇଁ ଆରପାରିକୁ ଚାଲିଯାଇଛନ୍ତି ଏ ଗାଁର ବୀର ପୁଅ । ଏପଟେ ବାପ ଛେଉଣ୍ଡ ହୋଇଯାଇଛନ୍ତି ସହିଦଙ୍କର ୨ଝିଅ । ସହିଦ ସ୍ୱାମୀଙ୍କୁ ହରାଇ ସ୍ତ୍ରୀଙ୍କ ଆଖିରୁ ଶୁଖୁନି ଲୁହ ।

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ନୂଆଗାଁର ସହିଦ ରାଜକିଶୋର ମୁଣ୍ଡା । କାର୍ଯ୍ୟରତ ଅବସ୍ଥାରେ ୬ଷ୍ଠ ବାଟାଲିୟନ୍, ବିହାର ରେଜିମେଣ୍ଟର ହାବିଲଦାର୍ ରାଜକିଶୋର ମୁଣ୍ଡା ଅରୁଣାଚଳ ପ୍ରଦେଶ ତାୱାଙ୍ଗ ରେ ଗତ ୨୯ ତାରିଖରେ ବୀରଗତି ପ୍ରାପ୍ତ ହୋଇଥିଲେ । ଆଜି ରାଜକିଶୋର ମୁଣ୍ଡାଙ୍କ ମରଶରୀର ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ପୈତୃକ ଗାଁ, ନୂଆଗାଁରେ ସମ୍ପୁର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଏଥିପାଇଁ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ତେବେ ସହିଦଙ୍କୁ ଶେଷ ସଲାମ ଦେଇଛନ୍ତି ସମଗ୍ର ଗାଁ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ସହିଦ ରାଜକିଶୋର ଅମର ରହେ…ଏପଟେ ୨ଝିଅ ଅଧ୍ୟୟନରତ ଥିବାବେଳେ, ସାନଝିଅ ରୋଗାଗ୍ରସ୍ତ । ତେଣୁ ପିତାଙ୍କର ଅକାଳ ମୃତ୍ୟୁ ପରେ ଏବେ ଦୁଇ ଝିଅଙ୍କ ଭବିଷ୍ୟତ ଏକ ପ୍ରକାରର ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି ।

ଏପଟେ ସହୀଦ ରାଜକିଶୋର ମୁଣ୍ଡାଙ୍କ ମରଶରୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦିନ ୧ ଟା ସମୟରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ଉପଜିଲ୍ଲାପାଳ ଓ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ସମୟରେ ଅବସର ପ୍ରାପ୍ତ ସେନା ଅଧିକାରୀ ସଂଘର ଅନେକ ସଭ୍ୟ ଉପସ୍ଥିତ ରହି ସହୀଦଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ପରେ ସହୀଦଙ୍କ ପାର୍ଥିବ ଶରୀରକୁ ନୂଆଗାଁ ସ୍ଥିତ ତାଙ୍କ ପୈତୃକ ଗୃହକୁ ନିଆଯାଇଥିଲା । ସେଠାରେ ପରିବାର ଲୋକଙ୍କ ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଶହ ଶହ ଲୋକ ।

ସହୀଦଙ୍କ ସହିତ ଆସିଥିବା ସେନା ଅଧିକାରୀଙ୍କ କହିବା କଥା ରାଜକିଶୋର ଗୋଳା ବାରୁଦ ଗାଡି ନେଇ ଯାଉଥିବା ସମୟରେ ରାସ୍ତାରେ ସାଧାରଣ ଲୋକଙ୍କୁ ନେଇ ଯାଉଥିବା ଏକ ଗାଡିକୁ ବଞ୍ଚାଇବା ସହ ଗୋଳା ବାରୁଦକୁ ମଧ୍ୟ ସାହସିକତାର ସହ ସୁରକ୍ଷିତ ରଖିବାକୁ ଯାଇ ନିଜ ଜୀବନକୁ ବଳିଦାନ ଦେଇଛନ୍ତି ।

ଏ ଦୁନିଆରେ ଜନ୍ମ ହୋଇଛେ ମାନେ ମୃତ୍ୟୁ ସୁନିଶ୍ଚିତ କିନ୍ତୁ ଏଭଳି ଅକାଳ ମୃତ୍ୟୁ ସତରେ ଭାରି ଦୁଃଖଦାୟକ । ନିଜର ଲୋକଟିକୁ ସବୁଦିନ ପାଇଁ ହରାଇ ବସିବା ଯେ କେତେ ହୃଦୟ ବିଦାରକ ତାହା ସେହି ପରିବାର ଲୋକ ହିଁ କହିପାରିବେ । ତେବେ ଏ ଗାଁ ଆଜି ନିସ୍ତବ୍ଧ ତାର ବୀର ପୁଅକୁ ହରାଇ । ଗାଁ ଶ୍ମଶାନରେ ସମ୍ପନ୍ନ ହୋଇଛି ରାଜକିଶୋରଙ୍କ ଶେଷକୃତ୍ୟ । ପଞ୍ଚଭୂତରେ ବିଲୀନ ହୋଇଛି ତାଙ୍କ ପାର୍ଥିବ ଶରୀର ।

ଆହୁରି ପଢନ୍ତୁ:ପ୍ରବଳ ଖରାରେ କଲବଲ ଭକ୍ତ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଖରାରେ ଦୀର୍ଘ ସମୟ ଧରି ଅପେକ୍ଷା