ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ, ମନ ମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ନୂଆ ବର୍ଷ ପାଇଁ ଚାରିଆଡ ଉତ୍ସବ ମୁଖର । ଏହାରି ଭିତରେ ଏବେ ଚାଲିଛି ପିକନିକ ଋତୁ । ତେବେ ଏଥିରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ମୟୁରଭଞ୍ଜ ଜିଲ୍ଲା କେମିତି ବା ବାଦ ପଡନ୍ତା । ନୂଆବର୍ଷରେ ଜିଲ୍ଲାରେ ଥିବା ଶିମିଳିପାଳ ଅଭୟାରଣ୍ୟ ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ୧୦ ହଜାରରୁ ଉର୍ଦ୍ଧ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଛି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମୟୁରଭଞ୍ଜରେ ଥିବା ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ ଏବଂ ତାର ପାଦଦେଶରେ ଥିବା ପର୍ଯ୍ୟଟନ ସ୍ଥଳୀ ।

କେବଳ ଶିମିଳିପାଳକୁ ଉଭୟ ଯଶିପୁର ଓ ପିଠାବଟା ବାଟ ଦେଇ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ପ୍ରବେଶ କରିଥିବା ବେଳେ ପାଦଦେଶରେ ହଜାର ହଜାର ପର୍ଯ୍ୟଟକ ନିଜ ନିଜ ପରିବାର ବର୍ଗଙ୍କ ସହ ବଣଭୋଜି କରି ମଜା ଉଠାଇଛନ୍ତି । କିଏ ସେଲଫି ନେବାରେ ବ୍ୟସ୍ତ ତ ଆଉ କିଏ ପ୍ରାକୃତିକ ସୌନ୍ଦର୍ଯ୍ୟରେ ନିଜକୁ ହଜାଇ ଦେବାକୁ ବସିଛି । ସମସ୍ତଙ୍କୁ ବିମୋହିତ କରିଛି ବଣପାହାଡ ଘେରା ମୟୁରଭଞ୍ଜ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ କତ୍ତୃପକ୍ଷ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ତେବେ ଶିମିଳିପାଳ ପାଦଦେଶରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ତଥା ରାସ୍ତାଘାଟର ମରାମତି ହୋଇ ପାରୁ ନ ଥିବାରୁ ପର୍ଯ୍ୟଟକ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ନୂଆ ବର୍ଷ ଥିବାରୁ ଛୁଆ ପିଲାଙ୍କ ସହ ପରିବାର ବର୍ଗ, ଯୁବ ପିଢି ଶିମିଳିପାଳର ପ୍ରାକୃତି ସୌନ୍ଦର୍ଯ୍ୟ ସହ ଝରଣାର ମଜାକୁ ଉପଭୋଗ କରୁଛନ୍ତି । କିଏ ଗଛ ମୂଳରେ ତ ଆଉ କିଏ ଝରଣା କୂଳରେ ବଣଭୋଜି କରି ପ୍ରକୃତିର ମଜା ଉଠାଉଛନ୍ତି । ଖାଲି ସେତିକି ନୁହେଁ କେହି କେହି ନିଜ ମୋବାଇଲରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ କଏଦ କରିବାରେ ଲାଗି ପଡିଛନ୍ତି ।

କେବଳ ଶିମିଳିପାଳ ତା ନୁହେଁ ଜିଲ୍ଲାରେ ଥିବା ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀ ଯେପରିକି ଲୁଲୁଙ୍ଗ, ଭୀମକୁଣ୍ଡ, ସୁଲେଇପାଟ ଦେବକୁଣ୍ଡ, ବାଲଡିହା, ବଡଯୋଡ, ସୀତାକୁଣ୍ଡ, ମେରୁମଠ ଓ ହଳଦିଆ ଆଦି ସ୍ଥାନ ମାନଙ୍କରେ ମଧ୍ୟ ଜିଲ୍ଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ ଲାଗିଛି । ପର୍ଯ୍ୟଟକଙ୍କ ସମସ୍ତ ସୁବିଧା ସୁଯୋଗକୁ ଧ୍ୟାନ ଦେବା ପାଇଁ ପ୍ରଶାସନକୁ ଦାବି କରିଛନ୍ତି ପର୍ଯ୍ୟଟକ ମାନେ ।

ତେବେ ଶିମିଳିପାଳକୁ ବଣଭୋଜି କରିବାକୁ ଆସିଥିବା ପର୍ଯ୍ୟଟକ ମାନେ ସୋଲ ନିର୍ମିତ ପ୍ଲେଟ ପରିବର୍ତ୍ତେ କେବଳ ଶାଳ ପତ୍ର ନିର୍ମିତ ଖଲି ଦନା ବ୍ୟବହାର କରିବାକୁ ନିବେଦନ କରିଛି ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା । ଯାହା ପଳରେ ଜିଲ୍ଲାବାସୀ ଆର୍ଥିକ ସ୍ଵଚ୍ଛ ହେବା ସାଙ୍ଗକୁ ବନ୍ୟ ଜନ୍ତୁଙ୍କ ଜୀବନ ପ୍ରତି ଥିବା ବିପଦକୁ ମଧ୍ୟ ଏଡାଇ ଦିଆଯାଇ ପାରିବ ।