ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଦର୍ଶନ ପାଇଁ ଆସିଛନ୍ତି ଅନେକ ଶ୍ରଦ୍ଧାଳୁ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଚନ୍ଦନ ଯାତ୍ରା। ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ତାପରୁ ଉପଶମ ପାଇବା ପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିଛନ୍ତି। ଦୀର୍ଘ ୨୧ ଦିନ ଧରି ଚାଲିବାକୁ ଥିବା ଏହି ବାହାର ଚାପରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ପ୍ରତ୍ୟହ ମଧ୍ୟାହ୍ନରେ ଶ୍ରୀମନ୍ଦିରରୁ ବାହାରି ବିରାଟ ଶୋଭାଯାତ୍ରାରେ ଚନ୍ଦନ ପୁଷ୍କରିଣୀ ନରେନ୍ଦ୍ର ଅଭିମୁଖେ ଯିବେ।

ମହାପ୍ରଭୁ ଗରମକୁ ସହ୍ୟ କରିପାରୁନଥିବାରରୁ ପ୍ରତିବର୍ଷ ଏହି ପରମ୍ପରାକୁ ସ୍ୱତନ୍ତ୍ର ରୁପେ ପାଳନ କରାଯାଏ। ମହାପ୍ରଭୁଙ୍କ ଏହି ମାନବୀୟ ଲୀଳାକୁ ଦେଖିବା ପାଇଁ ପୁଷ୍କରିଣୀ ପାଖରେ ଯୋଗଦେଇଥିଲେ ଅନେକ ଶ୍ରଦ୍ଧାଳୁ। ଏହି ବିଶ୍ୱପ୍ରସିଦ୍ଧ ଚନ୍ଦନ ଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତି ପ୍ର୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବାକୁ ଆସିଥାନ୍ତି।

ଚଳିତ ବର୍ଷ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡାନ୍ତ ହୋଇଥିବା ପୂର୍ବ ନୀତି ର୍ନିଘଣ୍ଟ ଅନୁଯାୟୀ ଭୋର ୪ଟା ୧୫ରେ ଦ୍ଵାର ଫିଟା, ମଙ୍ଗଳ ଆଳତୀ, ମଇଲମ, ଅବକାଶ ଓ ସକାଳ ଧୂପ ଅନୁଷ୍ଠିତ ହୋଇଥିଲା। ଏହାପରେ ନକ୍ଷତ୍ର ଓ ଜୟବିଜୟ ଦ୍‌ାର ବନ୍ଦାପନା ସରିବା ପରେ ବିମାନକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ। ସେହିପରି ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ତିନିବାଡର ପୂଜାପଣ୍ଡା ସେବାୟତମାନେ ବିରାଟ ଶୋଭାଯାତ୍ରାରେ ବାହାରି ଶ୍ରୀମନ୍ଦିର କାର୍ଯ୍ଯାଳୟ ଠାରେ ପହଞ୍ଚିବା ପରେ ସେଠାରେ ରଥ ର୍ନିମାଣ କାର୍ଯ୍ଯର ଅନୁକୂଳ କରାଯାଇଥିଲା।

ଆସନ୍ତା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିରରେ ଗତ କାଲି ଅପରାହ୍ନ ୩.୨୫ ରେ ଦ୍‌ାଦଶ ଯାତ୍ରା ବନ୍ଦାପନା ପରେ ୩.୩୫ରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ଯାଳୟ ସମ୍ମୁଖକୁ ଆଜ୍ଞାମାଳ ବିଜେ କରିଥିଲା।ଏହାପରେ ରାମ, କୃଷ୍ଣ ପାଲିଙ୍କିକୁ ବିଜେ କରିଥିଲେ।ଅପରାହ୍ନ ୪ ଟାରେ ମଣି ବିମାନ ଉଠିଥିଲା।ଏହାପୂର୍ବରୁ ଶ୍ରୀମନ୍ଦିର ପୁରୋହିତ ,ଶୋତ୍ରିୟ ବ୍ରାହ୍ମଣଙ୍କ ଦ୍ଵାରା ବନଜାଗ ପଦ୍ଧତିରେ ଯଜ୍ଞ କରାଯାଇ ବ୍ରାହ୍ମଣ ବରଣ କରିଥିଲେ ।

ଆଜ୍ଞାମାଳ ପହଞ୍ଚିବା ପରେ ତିନି ରଥର ବିଶ୍‌କର୍ମାଙ୍କୁ ପ୍ରଦାନ କରାଯାଇଥିଲା। ୧୦ ଜଣ ମହାରଣା ଶାଢ଼ୀ ବାନ୍ଧିବା ପରେ ପ୍ରଥମେ ତାଳଧ୍‌ଜ,ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥ ପାଇଁ ଉଦ୍ଦିଷ୍ଟ ଧଉରା କାଠ ଅନୁକୂଳ ହୋଇଥିଲା। ବିଶ୍ଵାସ ରହିଛି ଯେ ଦୋଳରେ ଦୋଳ ଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ । ତେଣୁ ଚନ୍ଦନ ଯାତ୍ରା ଅବସରରେ ଆଜି ଠାରୁ ୨୧ ଦିନ ପର୍ଯ୍ଯନ୍ତ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚପାଣ୍ଡବଙ୍କୁ ସେବାୟତ ମାନେ ମଣି ବିମାନ ଓ ପାଲିଙ୍କିରେ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ନେଇଥାନ୍ତି।

ପ୍ରବଳ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ସେଠାରେ ମାନବ ଲୀଳାରେ ନୌକା ବିହାର କରିଥାନ୍ତି। ନରେନ୍ଦ୍ର ପୁଷ୍କରିଣୀରେ ଏହି ଅବସରରେ ଚନ୍ଦନ, ପୁଷ୍ପର ପ୍ରଲେପ ଶ୍ରୀଜୀଉଙ୍କ ଅଙ୍ଗରେ ଲଗାଯିବାର ପରମ୍ପରା ରହିଛି। ତେବେ ଗତ ଦୁଇବର୍ଷ ପରେ ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ଚନ୍ଦନ ଯାତ୍ରାରେ ଭକ୍ତ ମାନେ ସାମିଲ ହେବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ଯ ମନେ କରିଥିବା କରିଛନ୍ତି। ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ୍‌ ପୋଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି, ୫ ଡିଏସପି ଓ ୬ଜଣ ଆଇଆଇସି ମୃତୟନ ହୋଇଛନ୍ତି। ସେହିପରି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ଯାପକ ପ୍ରସ୍ତୁତି କରାଯାଇଛି।

ଏହି ଚନ୍ଦନ ଯାତ୍ରା ଆଗାମୀ ୨୧ ଦିନ ଧରି ଚାଲିବାକୁ ଥିବା ବେଳେ ନରେନ୍ଦ୍ରରେ ମହାପ୍ରଭୁ ଦିନ ଓ ରାତି ଚାପରେ ଦୁଇଥର ନୌକା ବିହାର କରିବେ। ତେଣୁ ବହୁ ସଂଖ୍ଯାରେ ଭକ୍ତ ମହାପ୍ରଭୁଙ୍କ ଏହି ଗ୍ରୀଷ୍ମ କାଳୀନ ଲୀଳାକୁ ଦେଖିବା ପାଇଁ ପୁରୀ ଆସିଛନ୍ତି।

Leave A Reply

Your email address will not be published.