ଖନନ ବେଳେ ମିଳିଲା ପିତ୍ତଳ କଳସ ଭର୍ତ୍ତି ଭିକ୍ଟୋରିଆ କାଳର ଚାନ୍ଦି ମୁଦ୍ରା, ଶ୍ରମିକ ନେଇ ଫେରାର୍‌, ମାତ୍ର ୧୪୦ଟି ଜବତ କଲା ପ୍ରଶାସନ

ରାଜସ୍ଥାନର ଧୌଲପୁର ଜିଲା ସୈପଉ ଉପଖଣ୍ଡରୁ ଏକ ପୁରାତନ ଭବନ ଖନନ ବେଳେ କଳସ ଭର୍ତ୍ତି ଚାନ୍ଦି ମୁଦ୍ରା ମିଳିଛି। କଳସ ମଧ୍ୟ ପିତ୍ତଳର ଥିବା ଜଣାପଡ଼ିଛି। ଏକ ସମୟରେ ଏତେଗୁଡ଼ିଏ ଚାନ୍ଦି ମୁଦ୍ରା ଦେଖି ଖନନ କରୁଥିବା ଶ୍ରମିକ ତାଜୁବ ହୋଇଯାଇଥିଲେ। ଘଟଣା ଧୀରେ ଧୀରେ ଆଖପାଖ ଅଞ୍ଚଳରୁ ବ୍ୟାପିଯାଇଥିଲା ଏବଂ ଘଟଣାସ୍ଥଳରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

ଆଶ୍ଚର୍ଯ୍ୟର କଥା, ଖନନ ବେଳେ ପାଇଥିବା ଏହି ଚାନ୍ଦି ମୁଦ୍ରାଗୁଡ଼ିକୁ ଧରି ଶ୍ରମିକ ଦୌଡ଼ିବାକୁ ଲାଗିଥିଲେ। ଏପରିକି, ଉପସ୍ଥିତ ଲୋକେ ମଧ୍ୟ ତାଙ୍କ ପଛେ ପଛେ ଦୌଡ଼ିଥିଲେ। କିଛିବାଟ ଗଲା ପରେ ଶ୍ରମିକ ଜଣକ କଳସରୁ କିଛି ମୁଦ୍ରା ବାହାର କରି ଲୋକଙ୍କ ଆଡ଼କୁ ଫିଙ୍ଗି ଦେଇଥିଲେ। ଲୋକେ ବି ବିକଳରେ ମୁଦ୍ରାଗୁଡ଼ିକୁ ଲୁଟିବାରେ ଲାଗି ପଡ଼ିଥିଲେ। ଖବର ପାଇ ଉପଖଣ୍ଡ ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଶ୍ରମିକ ଫେରାର୍‌ ହୋଇଯାଇଥିବା ବେଳେ ପୋଲିସ ଖୋଜାଖୋଜି ଜାରି ରଖିଛି। ଏଥିସହିତ ଘଟଣାସ୍ଥଳରୁ ୧୪୦ଟି ଚାନ୍ଦି ମୁଦ୍ରା ଜବତ କରିଛି।

ସବୁଠୁ ବଡ଼ କଥା ହେଉଛି, ଯାଞ୍ଚ ସମୟରେ ଜଣାପଡ଼ିଛି ଯେ ଏହି ଚାନ୍ଦି ମୁଦ୍ରା ଭିକ୍ଟୋରିଆ କାଳର ଏବଂ ଏଥିରେ ଏଡ୍‌ଓ୍ଵାର୍ଡ ୭ମ କିଙ୍ଗ୍‌ ଏମ୍ପରର୍‌ ଲେଖା ହୋଇଛି। ପ୍ରଶାସନ ଜବତ ମୁଦ୍ରାଗୁଡ଼ିକୁ ନେଇ ଅଫିସ ଭଣ୍ଡାରରେ ରଖିଛି। ସୂଚନା ମୁତାବକ, ପୁରୁଣା ବଜାର ନିବାସୀ ବ୍ୟବସାୟୀ କୃଷ୍ଣା ସେଠ ତାଙ୍କ ପୁରୁଣା ଭବନକୁ ଭାଙ୍ଗି ନୂଆ ଭବନ ନିର୍ମାଣ କରୁଛନ୍ତି। ପାଖାପାଖି ଅଧା ଡର୍ଜନ ଶ୍ରମିକ ଏଥିରେ ନିୟୋଜିତ ଅଛନ୍ତି। ଖନନ ବେଳେ ଜଣେ ଶ୍ରମିକଙ୍କ କୁରାଢ଼ି ଏକ ପିତ୍ତଳ କଳସ ଦେହରେ ବାଜିଥିଲା। ସେ ଯେତେବେଳେ ମାଟି ଆଡ଼େଇଥିଲେ, ତ କଳସ ଭିତରେ ପାଖାପାଖି ୧୦୦ରୁ ଅଧିକ ବର୍ଷର ପୁରାତନ ଚାନ୍ଦି ମୁଦ୍ରା ଭର୍ତ୍ତି ଥିବା ଦେଖିବାକୁ ପାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.