ଭାଇର ଦୀର୍ଘାୟୁ କାମନା ପାଇଁ ଭଉଣୀମାନେ କରନ୍ତି ଭାଇ ଜିଉଁତିଆ ବ୍ରତ, କରନ୍ତି  ନିର୍ଜଳା ଉପବାସ

ପଶ୍ଚିମ ଓଡ଼ିଶାର ଏକ ବଡ଼ ପର୍ବ ହେଉଛି ଭାଇ ଜିଉଁତିଆ । ଏହି ପର୍ବରେ ଭଉଣୀମାନେ ଭାଇଙ୍କ ପାଇଁ ଓପାସ ରହି ଶୁଭ ମନାସିଥାନ୍ତି । ଭଉଣୀମାନେ ମା’ଙ୍କ ଠାରେ ପୂଜା କରି ଭାଇର ଦୀର୍ଘାୟୁ କାମନା କରିବା ସହ ସେମାନଙ୍କ ବନ୍ଧନ ସବୁବେଳେ ଅତୁଟ ରହୁ ବୋଲି ମା’ଙ୍କ ଠାରେ ପ୍ରାର୍ଥନା କରନ୍ତି । ଭାଇର ମଙ୍ଗଳ କାମନା ପାଇଁ ଭଉଣୀମାନେ କରନ୍ତି କୋଠର କାଷ୍ଠା । ସେଇ କାଷ୍ଠା ମଧ୍ୟରୁ ସବୁଠାରୁ ବଡ଼ ବ୍ରତ ହେଉଛି ଭାଇ ଜିଉଁତିଆ । ଏହା ଅଶ୍ୱିନୀ ମାସ ଅଷ୍ଟୀମି ତିଥିରେ ହୁଏ ।

ଦିନ ସାରା ନିର୍ଜଳା ଉପବାସ ରହି ଅପରାହ୍ନ ସମୟରେ ସ୍ନାନ କରି ସମସ୍ତ ପ୍ରକାର ଫଳ ମୂଳ, ଲିଆ, ଉଖୁଡା ସାଥିରେ ନେଇ ନିଶାର୍ଦ୍ଧ ରାତିରେ ଏକ ମୁଖା ହୋଇ ପୂଜା ସ୍ଥଳୀକୁ ଯାଇଥାନ୍ତି । ସେଠାରେ ସମସ୍ତେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିବା ସହ ଗୀତ ବୋଲିବା ଏବଂ ହୁଳହୁଳି ହରିବଲ ଦେଇ ମା ଜଗତଜନନୀଙ୍କ ସହ ଦେବାଦେବୀଙ୍କ ଠାରେ ଭାଇର ଶୁଭ କାମନା କରିଥାନ୍ତି । ପରବର୍ତ୍ତୀ ସମୟରେ ସକାଳୁ ନଦୀ ଘାଟ ବା ଜଳାଶୟରେ ପହଁଚି ଜଳଘାଟ ପୂଜା କରିବା ପରେ ଘରକୁ ଫେରି ଭାଇମାନଙ୍କୁ ଦୁବ ଓ ଅରୁଆ ଚାଉଳରେ ବନ୍ଦାପନା କରିଥାନ୍ତି ।

ଏହି ଓଷା ବ୍ରତ କାହିଁ କେଉଁ ଆବାହମାନ କାଳରୁ ହୋଇ ଆସୁଛି । ଭାଇର ଶୁଭ କାମନା କରିବା ଏହି ପୂଜାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ବ୍ରତଧାରୀ ମାନେ ପ୍ରକାଶ କରିଛନ୍ତି । ବିଶେଷ କରି ଏହି ପର୍ବ ପ୍ରଶ୍ଚିମ ଓଡିଶାରେ ଗାଁ ଗଣ୍ଡା, ପୁରପଲ୍ଲୀରେ ଯାକ ଜକମରେ ପାଳିତ ହୋଇଥିବା ଦେଖିବାକୁ ମିଳେ । ଏହି ମହାନ ପର୍ବକୁ ଭଉଣୀମାନେ ଭାଇଙ୍କ  ପାଇଁ ବେଶ ଆଦରରେ ପାଳନ କରନ୍ତି ଓ ଭାଇ ଭଉଣୀଙ୍କ ସ୍ନେହ ବନ୍ଧନକୁ ଏଇ ପର୍ବ ଅତୁଟ ରଖେ ।