ଶୀତଳ ଷଷ୍ଠୀ ପାଇଁ ସମ୍ବଲପୁର ଓ ବରଗଡ଼ରେ ଶେଷ ହୋଇଛି ଥାଳ ଉଠା କାର୍ଯ୍ୟକ୍ରମ

ଉତ୍ସବମୁଖର ହେବ ସମ୍ବଲପୁର ସହର । ଉଠିଲା ଶୀତଳ ଷଷ୍ଠୀ ଥାଳ । ନିର୍ଦ୍ଧାରିତ ହେଲା ଶୀତଳ ଯାତ୍ରା ପାଇଁ ତାରିଖ । ପବିତ୍ର ଅକ୍ଷୟ ତୃତୀୟାରେ ସମ୍ପୂର୍ଣ୍ଣ ରୀତି ନୀତି ଅନୁଯାୟୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ଥାଳ ଉଠା ପର୍ବ । ଏହା ସହ ମାତା ପାର୍ବତୀଙ୍କ ମାତା ପିତା ମଧ୍ୟ ଚୟନ ହୋଇଛନ୍ତି l ସମ୍ବଲପୁର ନନ୍ଦପଡାର ବମ ବରାଡ଼ ବାବା ବାଲୁଙ୍କେଶ୍ୱର, ଝାଡୁଆପଡାର ଲୋକନାଥ ବାବା ଓ ମୋଦୀପଡାର ଜାଗେଶ୍ୱର ବାବାଙ୍କ ମନ୍ଦିରରେ ଆଡମ୍ବର ସହକାରେ ଥାଳଉଠା ରୀତିନୀତି ସହ ପୂଜାର୍ଚ୍ଚନା କରାଯାଇଥିଲା । ଏଥର କନ୍ୟା ପିତା ସାଜୁଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।
ଏପଟେ ଘଣ୍ଟ, ଶଙ୍ଖ, ବାଜା ଓ ବାଣରେ ପ୍ରକମ୍ପିତ ହେଉଛି ସମ୍ପୂର୍ଣ୍ଣ ପରିବେଶ l ଚାରି ଆଡେ ବାବା କପିଳେଶ୍ଵର ଓ ଜଗତଜନନୀ ମା ପାର୍ବତୀଙ୍କ ଜୟ ଜୟକାର l ଦୃଶ୍ୟ ହେଉଛି ବରଗଡ଼ ଜିଲ୍ଲା ବରପାଲିର ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବର ଆଦ୍ୟ ପର୍ବ ଥାଳ ଉଠା ନୀତି l ବୁଧବାର ପବିତ୍ର ଅକ୍ଷୟ ତୃତୀୟା ଦିନ ଅପରାହ୍ନରେ ରାଜବାଟୀ ସ୍ଥିତ ଭଣ୍ଡାର ଗୃହ ନୃପରାଜ କ୍ଳବରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ନଗର ପରିକ୍ରମା ପରେ ପହଞ୍ଚିଥିଲା ବାବା କପିଳେଶ୍ୱର ମନ୍ଦିରରେ l
ଏହାପରେ କମିଟି ସଭାପତି ଆନନ୍ଦ ବାବୁ, ସମ୍ପାଦକ ଜୟନ୍ତ ତ୍ରିପାଠୀଙ୍କ ସମେତ ଉଭୟ ବର ଓ କନ୍ୟା ପକ୍ଷଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ରୀତି ନୀତିରେ ଅନୁଷ୍ଠିତ ହୋଇଥିଲା ପବିତ୍ର ଥାଳ ଉଠା ପର୍ବ l ବରପାଲି ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଯାତ୍ରା ପାଇଁ ଦକ୍ଷିଣା ସଂଗ୍ରହ ପ୍ରକ୍ରିୟା ଅନୁକୂଳ ହୁଏ l ଏଥିସହିତ ଚୟନ ହୋଇଥିବା ନୂଆ କନ୍ୟା ପିତା ମାତା ମଧ୍ୟ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଏଥର ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇଥିବା ସସ୍ମିତା ମେହେର ଓ ସଞ୍ଜୟ ମେହେରଙ୍କ ସମେତ ବରପାଲି ଭୁଲିଆ ସମାଜର ଶୈବ ଭକ୍ତଙ୍କ ମନରେ ନାହିଁ ନଥିବା ଉତ୍ସାହ l ମେ ୨୭ତାରିଖରୁ ଜୁନ ୨ ତାରିଖ ପର୍ଯ୍ଯନ୍ତ ଚାଲିବ ବରପାଲିର ମହାନ ପୌରାଣିକ ଶୀତଳ ଷଷ୍ଠୀ ଯାତ୍ରା l ମେ ୩୧ ରେ ରହିଛି ଦେବ ଦମ୍ପତିଙ୍କ ଶୁଭ ବିବାହ l
Also read:ଘରେ ପଶି ନାବାଳିକାଙ୍କୁ ହତ୍ୟା, ପାରିବାରିକ କଳହ ନା ପୂର୍ବ ଶତ୍ରୁତା ହୋଇନି ସ୍ପଷ୍ଟ