ନଦୀ କୂଳରୁ ନିଖୋଜ ମହିଳାଙ୍କ କଙ୍କାଳ ଉଦ୍ଧାର, ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

ନଦୀ କୂଳ ହୁଡ଼ାରୁ ନିଖୋଜ ମହିଳାଙ୍କ କଙ୍କାଳ ଉଦ୍ଧାର ହେବା ପରେ ସ୍ତବ୍ଧ ପାଲଟି ଯାଇଛନ୍ତି ବାପା ମା’ । ବନ୍ତ ଥାନା ଅନ୍ତର୍ଗତ ସେଣ୍ଡତୀରା ପଞ୍ଚାୟତ ଫୁଲଗଡ଼ିଆ ଗାଁର ନାଜିର ମୁଣ୍ଡାଙ୍କ ଝିଅ ରାଧା ମୁଣ୍ଡା । କେତେ ସ୍ବପ୍ନ ନେଇ ସ୍ବାମୀର ହାତ ଧରିଥିଲେ । ବାପା ମା’ ବି ଅଭାବ ଅନଟନ ଭିତରେ ଝିଅକୁ ବାହା ଦେଇଥିଲେ । କିନ୍ତୁ ଝିଅକୁ ବାହା ଦେବାଟା ଯେ ସେମାନଙ୍କର ବଡ଼ ଭୁଲ ସେମାନେ ଭାବି ବି ନଥିଲେ । କାହିଁକି ନା ନଈ କୂଳରୁ ମିଳିଛି ଝିଅର କଙ୍କାଳ ।

କେନ୍ଦୁଆପଦା ଫାଣ୍ଡି ଅଧୀନ କଳାହାଣ୍ଡିଆ ଗାଁ ନିକଟ ଦେଈ ପ୍ରବାହିତ କପାଳୀ ନଦୀ ନିକଟରୁ ଏହି କଙ୍କାଳ ଉଦ୍ଧାର ହୋଇଛି । ଖବର ପାଇ ଘଟଣା ସ୍ଥଳରେ କେନ୍ଦୁଆପଦା ପୋଲିସ୍ ସହ ସାଇଣ୍ଟଫିକ୍ ଟିମ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି ।

ସୂଚନାରୁ ଜଣାପଡିଛି ବନ୍ତ ଥାନା ଅନ୍ତର୍ଗତ ସେଣ୍ଡତୀରା ପଞ୍ଚାୟତ ଫୁଲଗଡ଼ିଆ ଗାଁର ନାଜିର ମୁଣ୍ଡାଙ୍କ ଝିଅ ରାଧା ମୁଣ୍ଡାଙ୍କୁ କଳାହାଣ୍ଡିଆ ଗାଁର ରାମ ବେହେରା ୪ବର୍ଷ ପୂର୍ବେ ଦ୍ୱିତୀୟ ବିବାହ କରିଥିଲେ । ପାରିବାରିକ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା । ପରେ ପରେ ରାମ ବେହେରା ସ୍ତ୍ରୀ ରାଧାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ରାଧାଙ୍କ ବାପା ମା’ । ତେବେ ଆଜକୁ ୧୫ ଦିନ ହେବ ନିଖୋଜ ଥିଲେ ରାଧା । ବାପ ଘରୁ ସ୍ତ୍ରୀକୁ ମୁଗ ତୋଳିବା ପାଇଁ ଡାକିଥିଲେ ସ୍ବାମୀ ରାମ ବେହେରା । ଆଉ ସେହି ଦିନ ଠାରୁ ଝିଅ ରାଧାର ଖୋଜଖବର ପାଇନଥିଲେ ବାପା ମା’ ।

ତେବେ ଗତକାଲି ରାଧାଙ୍କ ପରିବାର ଲୋକେ କୌଣସି ସୂତ୍ରରୁ କଳାହାଣ୍ଡିଆ ଗାଁ ସାଳନ୍ଦୀ ନଦୀ ନିକଟରେ ତାଙ୍କ ଝିଅର କଙ୍କାଳ ପଡ଼ିଥିବା ଜାଣି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଝିଅ ହାତର ଚୁଡ଼ି ଓ ହାର ଦେଖି ଝିଅର କଙ୍କାଳ ବୋଲି ଚିହ୍ନଟ କରି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ବାପା ମା’ । ଅଭିଯୋଗ ପାଇ ପୋଲିସ୍ ଏକ  ମାମଲା ରୁଜ୍ଜୁ କରି ରାଧାଙ୍କ ସ୍ବାମୀ ରାମ ବେହେରାଙ୍କୁ ଫାଣ୍ଡିରେ ଅଟକ ରଖି ପଚରାଉଚରା କରୁଛି । ସେପଟେ ଏହି ଘଟଣାରେ କେନ୍ଦୁଆପଦା ଫାଣ୍ଡି, ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ୍  ଏବଂ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟ ପକ୍ଷରେ ରାମ ବେହେରା ରାଧାଙ୍କୁ ହତ୍ୟା କରିଛି ବୋଲି ମୃତ ରାଧାଙ୍କ ବାପା ଓ ମା’ ଅଭିଯୋଗ କରିଛନ୍ତି ।

ପ୍ରକୃତରେ ରାଧାକୁ ତାଙ୍କ ସ୍ୱାମୀ ହତ୍ୟା କରିଛନ୍ତି କି ନାହିଁ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଅନ୍ୟପଟେ ନଦୀ କୂଳରେ ପଡିଥିବା କଙ୍କାଳ ଏବେ ବି ରହସ୍ୟ ଘେରରେ ଥିବାରୁ ପୋଲିସ ତନାଘନା ଜାରି ରଖିଛି ।

Also Read:ଉତ୍ତରାଖଣ୍ଡର କଙ୍କାଳ ହ୍ରଦ, ଏହାର ନାମ ଏପରି ରହିଛି କାହିଁକି? ଜାଣନ୍ତୁ ଏହାର ରହସ୍ୟ