ଅଷ୍ଟ୍ରେଲିଆରେ ଅଚାନକ ଗୋଲାପୀ ହୋଇଗଲା ଆକାଶ, ଏଲିୟନ୍‌ ଆକ୍ରମଣ କଲା ବୋଲି ଭାବିଲେ ଲୋକ; କିନ୍ତୁ ସତ ଥିଲା ଆଉ କିଛି

ନିକଟରେ ଆମେରିକାରେ ଆକାଶ ସବୁଜ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଅଷ୍ଟ୍ରେଲିଆରେ ବି ସମାନ ଘଟଣା ଚର୍ଚ୍ଚାରେ ରହିଛି। ମଙ୍ଗଳବାର ଅଷ୍ଟ୍ରେଲିଆର ଉତ୍ତର ଭିକ୍ଟୋରିଆନ୍‌ ସହର ମିଲ୍ଡୁରାର ଆକାଣର ରଙ୍ଗ ବଦଳି ଗୋଲାପୀ ହୋଇଯାଇଥିଲା। ଆକାଶର ଏହି ରଙ୍ଗ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଲୋକଙ୍କୁ ଲାଗିଥିଲା ଯେ ଏହା ବୋଧେ ଏଲିୟନ୍‌ଙ୍କ ଆକ୍ରମଣ। ଏହାକୁ କିଛି ଲୋକ ସାଇନ୍ସ ଫିକ୍ସନ୍‌ ବୋଲି ମଧ୍ୟ କହିଥିଲେ।

ଦେଖୁ ଦେଖୁ ଗୋଲାପୀ ଆକାଶର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆକାଶର ରଙ୍ଗ ଗୋଲାପୀ ହେବା ପଛର କାରଣ କ’ଣ ତାହା ରହସ୍ୟ ଘେରରେ ଥିଲା। ସମସ୍ତେ ଜାଣିବାକୁ ଚାହୁଁଥିଲେ ଯେ ଏମିତି କ’ଣ ହେଲା ଯେ ଆକାଶର ରଙ୍ଗ ବଦଳିଗଲା। ଚାହୁଁ ଚାହୁଁ ସୋସିଆଲ ମିଡିଆରେ ଏଭଳି ଅନ୍ୟ ଫଟୋ ବି ସାମ୍ନାକୁ ଆସିଥିଲା। ତେବେ ଲୋକମାନେ ଏ ନେଇ ଭିନ୍ନ ଭିନ୍ନ ଆଲୋଚନା କରୁଥିବା ଦେଖି ଫାର୍ମାସ୍ୟୁଟିକଲ କମ୍ପାନୀ କୈନ୍‌ ଗ୍ରୁପର ମୁଖ୍ୟ ଏଭଳି ଆକାଶ ପଛର ସତ୍ୟତା କହିଥିଲେ।

କମ୍ପାନୀର ସିଇଓ ପିଟର କ୍ରକ୍‌ ବୁଧବାର କହିଥିଲେ ଯେ ରାତିରେ ଆକାଶର ରଙ୍ଗ ଗୋଲାପୀ ହେବା ପଛରେ କୌଣସି ଏଲିୟନ୍‌ କିମ୍ବା ଅନ୍ୟ ଶକ୍ତିର ହାତ ନାହିଁ। ଆକାଶ ଗୋଲାପୀ ହେବାର କାରଣ କୈନ୍‌ ଗ୍ରୁପ୍‌ ପକ୍ଷରୁ ଭାଙ୍ଗ ଗଛରେ କରାଯାଇଥିବା ଏକ୍ସପେରିମେଣ୍ଟ ଥିଲା। ସେ କହିଥିଲେ, ଯେମିତି କି ଆପଣମାନେ ଜାଣନ୍ତି ଭାଙ୍ଗ ଗଛକୁ ବଡ଼ କରିବା ପାଇଁ ବିଭିନ୍ନ ପ୍ରକାରର ଆଲୋକ ଦରକାର ପଡ଼ିଥାଏ। ଆମେ ବି ସେଥିପାଇଁ ଏହି ରଙ୍ଗର ଆଲୋକ ବ୍ୟବହାର କରିଛୁ।

ତାଙ୍କ କହିବାନୁସାରେ, ସେମାନେ ଏହି ଗୋଲାପୀ ଲାଇଟ୍‌ ଭାଙ୍ଗ ଗଛର ବିକାଶ ପାଇଁ ବ୍ୟବହାର କରିଥିଲେ। ସନ୍ଧ୍ୟା ପରେ ସେମାନେ ଗୋଲାପୀ ଆଲୋକ ବ୍ୟବହାର କରିଥିଲେ। ଏହାକୁ ରାତିର ଅନ୍ଧକାରରେ ଗଛର ବିକାଶ ପାଇଁ ବ୍ୟବହାର କରାଯାଇଥିଲା। କିନ୍ତୁ ଅଚାନକ ଲୋକଙ୍କ ନଜର ଏହା ଉପରେ ପଡ଼ିଥିଲା ଓ ସେମାନେ ଏହାକୁ ଭୁଲ ଭାବିନେଇଛନ୍ତି। ସାଧାରଣତଃ ମଧ୍ୟ ରାତିରେ ଏହାକୁ ବନ୍ଦ କରି ଦିଆଯାଏ। କିନ୍ତୁ ଗତ ରାତିରେ ଏହାକୁ ବନ୍ଦ କରାଯାଇନଥିଲା। ଫଳରେ ଲୋକମାନେ ଏହାକୁ ଏଲିୟନ୍‌ ବୋଲି ଭାବି ଦେଇଛନ୍ତି।

Also Read: ଆସନ୍ତାକାଲି ଶ୍ରାବଣ ଦ୍ୱିତୀୟ ଶନିବାରରେ ପଡ଼ୁଛି ଖାସ୍‌ ସଂଯୋଗ, ଶନିଦେବଙ୍କ ଆଶୀର୍ବାଦ ପାଇଁ ନିଶ୍ଚୟ କରନ୍ତୁ ଏହି କାମ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.