ବାପାଙ୍କ ପାଇଁ କୁନି ଝିଅ ସାଜିଛି ଏ ଯୁଗର ଶ୍ରବଣ କୁମାର

ହରଭଙ୍ଗା: ହାତରେ ବାଡିଟିଏ ଧରି ଦୃଷ୍ଟିହୀନ ବାପାଙ୍କୁ ବାଟ କଢାଉଛି କୁନି ଝିଅ । ଘରୁ ବାହାରକୁ ଗଲେ ହେଉ କି ଘର ଭିତରେ ହେଉ । ଏପରିକି ଗାଧେଇବା,ଶୌଚ ସବୁ କିଛିରେ ସେ ସାଜିଛି ବାପାଙ୍କର ଆଶା ବାଡି । ଏ କୁନି ଝିଅଟି ଦୃଷ୍ଟିହୀନ ବାପାଙ୍କ ସେବାରେ ସମର୍ପିତ । ଝିଅଟିର ଏଭଳି କାର୍ଯ୍ୟ ଦେଖିଲାପରେ ମନେ ହେଉଛି ସେ ଯୁଗର ଶ୍ରବଣ କୁମାରଙ୍କ କଥା ।

ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସଙ୍କୁଲେଇ ଗ୍ରାମ । ସଙ୍କୁଲେଇ ଗ୍ରାମର ହିମାଂଶୁ ସୁନା ଜନ୍ମରୁ ଦୃଷ୍ଟିହୀନ । ପରିବାର କହିଲେ ୬ ପ୍ରାଣୀ କୁଟୁମ୍ବ । ଜରିପାଲ ତଳେ ବିତୁଛି ଏହି ପରିବାରର ଜୀବନ । ସ୍ତ୍ରୀ ସୁମିଆ ସୁନା ନିୟମିତ ପରର ମୁଲ ଲାଗିଲେ ଘରେ ଚୁଲି ଜଳେ । ଦୃଷ୍ଟିହୀନ ହୋଇଥିବାରୁ କୌଣସି କାମଧନ୍ଦା କରିପାରେନି ହିମାଂଶୁ । ଏପଟେ ଝିଅର ସହାୟତାରେ ବାହାରକୁ ଯାଇ ମାଗି ଯାଚି ଯେତିକି ମିଳେ ୬ ପ୍ରାଣୀ କୁଟୁମ୍ବଙ୍କୁ ଚଳାଇବା ମୁସ୍କିଲ । ଫଳରେ ଘର କରିବା ଏମାନଙ୍କ ସ୍ୱପ୍ନର ବାହାରେ । ସରକାରଙ୍କ ପକ୍ଷରୁ ହିମାଂଶୁଙ୍କୁ ଖାଦ୍ୟ ସରକ୍ଷା ଯୋଜନାରେ ଚାଉଳ ଏବଂ ମାସିକ ୧୨୦୦ ଟଙ୍କା ଭତ୍ତା ଛଡା ଆଉ କିଛି ବି ମିଳୁନି ।

ଗାଁ କୁ ଆସୁଛନ୍ତି ଜିଲ୍ଲାପାଳ । ଏକଥା ଶୁଣି ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିବାକୁ ଧାଇଁ ଯାଇଥିଲେ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ଏବଂ ସରକାରଙ୍କ ଘୋଷଣା ମୁତାବକ ୩୫ ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଯୋଗାଦେବାକୁ କହିବା ପାଇଁ କୁନି ଝିଅର ସହାୟତାରେ ଜିଲ୍ଲାପାଳଙ୍କ ନିକଟକୁ ଯାଇ କିହଥିଲେ ହିମାଂଶୁ । ହେଲେ ଜିଲ୍ଲାପାଳ ବୌଦ୍ଧ ଯିବା ପାଇଁ କହିବାରୁ ଏବେ ସେ କଣ କରିବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । କାରଣ ପାଖର କାଣି କଉଡିଟିଏ ନାହିଁ । କୁନି ଝିଅଟି କେବେ ବୌଦ୍ଧକୁ ଯାଇନି କି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବି ଦେଖିନି । ନିରାଶ ହୋଇ ଘରକୁ ଫେରିଥିଲେ ଦୃଷ୍ଟିହୀନ ହିମାଂଶୁ ।

ଝିଅଟି ପାଠପଢା ଛାଡି ସବୁବେଳେ ବାପାଙ୍କ ସେବାରେ ଲାଗିଛନ୍ତି । କେତେବେଳେ ବାପାଙ୍କ ଆଖି ହେଉଛି ତ ଆଉ କେତେବେଳେ ବାପାଙ୍କ ମାଆ ହେଉଯାଉଛି । ଝିଅଟିର ଏଭଳି ସେବା ମନୋବୃତି ଆଜିକାଲିକା ବାପାମାଆଙ୍କୁ ହତାଦର କରୁଥିଭା ଲୋକଙ୍କ ପ୍ରତି ନିଶ୍ଚୟ ପ୍ରେରଣା ଦେବ ନିଶ୍ଚୟ । ଅନ୍ୟପଟେ ହିମାଂଶୁ ଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ନିବେଦନ କରିଥିବାବେଳେ ଘଟଣା ସମ୍ପର୍କରେ ତଦନ୍ତ କରାଯାଇ ସମସ୍ତ ସରକାରୀ ସହାୟତା ଯୋଗଇ ଦିଆଯିବ ବୋଲି କହିଛନ୍ତି ହରଭଙ୍ଗା ବିଡିଓ ।

ଫାଭିଓ: ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରଙ୍କ ପ୍ରତି ରହିଛି ସରକାରଙ୍କ ପ୍ରାଥମିକତା । ମିଳୁଛି ସରକାରୀ ସହାୟତା । ହେଲେ ଦୃଷ୍ଟିହୀନ ହିମାଂଶୁ ଙ୍କ ପ୍ରତି ସରକାରଙ୍କ ନାହିଁ ଦୃଷ୍ଟି । ହିମାଂଶୁ ସୁନା ସିନା ଦୃଷ୍ଟି ଶକ୍ତି ହରାଇଛନ୍ତି । ହେଲେ ଦୃଷ୍ଟି ଶକ୍ତି ଥାଇ ଜଳଜଳ ପରି ସବୁ ଜାଣୁଥିବା ସରକାର ଓ ପ୍ରଶାସନ ଦୃଷ୍ଟିହୀନଙ୍କ ପାଖରେ କେବେ ପହଁଚାଇବେ ସରକାରୀ ସହାୟତା ତାକୁ ହିଁ ଅପେକ୍ଷା ।

 

You might also like