ଧୂଆଁ ବୀହିନ ଚୁଲା ଦେଇଛି ଦମ୍ପତିଙ୍କୁ ନୂଆ ପରିଚୟ, କରୁଛନ୍ତି ମାସକୁ ଏକ ଲକ୍ଷରୁ ଅଧିକ ରୋଜଗାର

ଜଗତସିଂହପୁର : ଧୂମ ହୀନ ଚୁଲି । ଚୁଲିରୁ ପୁଣି ଧୂଆଁ ବାହାରିବନି । ଏକଥା ଶୁଣିକି ଟିକେ ଅଡୁଆ ଲାଗୁଥିଲେ ବି କଥାଟା ସତ ଆଜ୍ଞା । ଏହି ଧୂମ ହୀନ ଚୁଲି ଦେଇଛି ନୂଆ ପରିଚୟ । ନିଜ ଉଦ୍ୟମରେ କରିଥିବା ପ୍ରଚେଷ୍ଟା ଆଜି ଦେଇଛି ସଫଳତା । ମିଳିଛି ନୂଆ ପରିଚୟ ।

ସବୁ ଖର୍ଚ୍ଚ ଯାଇ ମାସକୁ ଏକ ଲକ୍ଷ ଟଙ୍କା ରୁ ଅଧିକ ରୋଜଗାର କରୁଛନ୍ତି ଏହି ଦମ୍ପତି । ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ତରଡାପଡ଼ା ଗ୍ରାମର ଶୁଭ୍ରାରାଣୀ ମହାନ୍ତି ଓ ସତ୍ୟବ୍ରତ ମହାନ୍ତିଙ୍କ କଥା । ୨୦୧୫ ମସିହାରେ ସ୍ୱଳ୍ପ ଜାଳେଣି ଦ୍ଵାରା କମ୍ ଖର୍ଚ୍ଚରେ କିଭଳି ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତ ହୋଇପାରିବ ସେନେଇ ଧୂମ ହୀନ ଚୂଲା ପ୍ରସ୍ତୁତ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ତିନି ବର୍ଷ ପରେ ଏହି ଉଦ୍ୟମ ତାଙ୍କୁ ସଫଳତା ଦେଇଥିଲା ।

ବର୍ତ୍ତମାନ ଆଧୁନିକ ଯୁଗରେ ଖାଦ୍ୟ ପ୍ରସ୍ତୁତ ପାଇଁ ସମସ୍ତେ ଗ୍ୟାସ୍ ଉପରେ ନିର୍ଭର କରୁଥିବାବେଳେ ସାଧାରଣ ଗରିବ ଲୋକଟି ଜାଳେଣି ଦ୍ଵାରା କିଭଳି ଖାଦ୍ୟ ପ୍ରସ୍ତୁତ କରିବ ଏମିତି ଏକ ନିଆରା ବାର୍ତ୍ତା ଦେଇଛନ୍ତି ଏହି ଦମ୍ପତି । ଶୁଭ୍ରାରାଣୀ ପ୍ରଥମେ ଶିକ୍ଷକତା କରୁଥିଲେ । ବିବାହ ପରେ ଶିକ୍ଷକତା ଛାଡ଼ି ନିଜର ସ୍ୱାମୀଙ୍କ ସହିତ କିଛି ନୂଆ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କଣ କରିବେ ବୋଲି ଭାବି ଧୂମ ହୀନ ଚୁଲା ତିଆରି କରିବା ପାଇଁ ମନ ବଳାଇଥିଲେ । ଏହି ଚୁଲା ପ୍ରସ୍ତୁତ ପାଇଁ ସେ କାହା ଠାରୁ ପ୍ରେରଣା ନେଇ ନାହାଁନ୍ତି ।

୨୦୧୫ ମସିହା ଠାରୁ ଆରମ୍ଭ କରି ୨୦୨୪ ଏ ପର୍ଯ୍ୟନ୍ତ ସେ ଏହି ଚୁଲା ପ୍ରସ୍ତୁତ କରୁଛନ୍ତି । ଯାହାଦ୍ଵାରା ଭଲ ଦି ପଇସା ରୋଜଗାର କରୁଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ଚୁଲା ପ୍ରସ୍ତୁତ କରିବା ପାଇଁ ୧୦ ରୁ ୧୫ଜଣ ଲୋକ ପ୍ରତ୍ୟେକ ଦିନ ନିୟୋଜିତ ହୋଇଛନ୍ତି । ୪ରୁ ୫ ପ୍ରକାରର ଧୂମ ହୀନ ଚୁଲା ତିଆରି କରୁଛନ୍ତି । ଯାହାର ବଜାର ଦର ବହୁତ୍ ଭଲ ରହିଛି । ଏପଟେ ପାଖରେ କାମ କରୁଥିବା ଲୋକ ରୋଜଗାର ପାଇ ବହୁତ ଖୁସି ଥିବା କହିଛନ୍ତି ।

chuli

ଏହି ଦମ୍ପତିଙ୍କ ଧୂମ ହୀନ ଚୁଲା ବର୍ତ୍ତମାନ ସେମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇ ପାରିଛି । ଓଡ଼ିଶା ଛାଡି ୧୮ ଗୋଟି ରାଜ୍ୟ ବିହାର ,ପଶ୍ଚିମବଙ୍ଗ ,ମଧ୍ୟପ୍ରଦେଶ ,ମହାରାଷ୍ଟ୍ର ସହିତ ନାଇଜେରିଆ, ସାଉଥ ଆଫ୍ରିକା, କାନାଡ଼ା ଆଦି ବିଦେଶରେ ଏହି ଚୁଲା ବିକ୍ରି ହେଉଥିବା କହିଛନ୍ତି । ବିଶେଷ କରି ଚୁଲା ପାଇଁ ନଡିଆ କତା, ଶଢେଇ, ଜାଳେଣି କାଠ, ଘଷି ଜାଳେଣି ହିଁ ବ୍ୟବହାର କରାଯିବ । ଏହା ଦ୍ୱାରା ୫୦ ଶତକଡା ଜାଳେଣି ଖର୍ଚ୍ଚ ହେବ । ୯୦ ଶତକଡା ସଂପୂର୍ଣ୍ଣ ଭାବେ ଧୂଆଁ ମୁକ୍ତ ହେବ ବୋଲି କହିଛନ୍ତି ।

ଯେଉଁ ସ୍ଥାନକୁ ଯିବାକୁ ଚାହିଁବେ ଏହାକୁ ନବା ଆଣିବା କରି ହେବ । ସ୍ଵାସ୍ଥ୍ୟକର ଓ ପ୍ରାକୃତିକ ସ୍ୱାଦଭରା ରୋଷେଇ ପ୍ରସ୍ତୁତ କରି ହେବ । ଆମେ ଦୈନ ଦିନ ଜୀବନରେ ଯେଉଁ ସବୁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ଗ୍ୟାସ, ଷ୍ଟୋଭ , ହିଟର ଉପରେ ନିର୍ଭର କରୁଛେ । ତାକୁ ଛାଡି ଆମେ ଧୂମ ହୀନ ଚୁଲା ବ୍ୟବହାର କଲେ ଖାଦ୍ୟର ମାନ ମଧ୍ୟ ଭଲ ରହିବ ବୋଲି କହିଛନ୍ତି ଏହି ଦମ୍ପତି ।

ଏହି କାର୍ଯ୍ୟ ପାଇଁ ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ଶିଖା ସମ୍ମାନରେ ସମ୍ମାନୀତ ହୋଇଥିଲେ ଶୁଭ୍ରାରାଣୀ ମହାନ୍ତି । ଏଥିସହ ସେ ବହୁ ପ୍ରଶଂସା, ପୁରସ୍କାର ଓ ସମ୍ମାନୀତ ହୋଇଛନ୍ତି । ଶୁଭ୍ରାରାଣୀ କହିଛନ୍ତି ଯଦି ସରକାରୀ ସହାୟତା ମିଳନ୍ତା ନିଜର ଏହି ଛୋଟିଆ ଉଦ୍ୟମକୁ ସେ ବଡ଼ କରିବା ସହିତ ଦେଶ ବିଦେଶରେ ଆହୁରୀ ନାମ କମାଇ ପାରିବାରେ ସଫଳତା ପାଆନ୍ତେ ।