ଏହିସବୁ ଜିନିଷକୁ ଭୟ କରନ୍ତି ସାପ, ଆପଣଙ୍କ କବଚ ଭାବରେ କରିବ କାମ

ପ୍ରତିବର୍ଷ ଭାରତରେ ସାପ କାମୁଡ଼ା ଯୋଗୁଁ ଅନେକ ଲୋକ ମୃତ୍ୟୁବରଣ କରନ୍ତି । ସାରା ବିଶ୍ୱରେ ୩,୦୦୦ ରୁ ଅଧିକ ପ୍ରଜାତି ସାପ ଅଛନ୍ତି । ଏହି ସାପଗୁଡ଼ିକ ପ୍ରତିବର୍ଷ ପ୍ରାୟ ୫୦-୬୦ ଲକ୍ଷ ଲୋକଙ୍କୁ କାମୁଡ଼ି ଥାଆନ୍ତି । ପ୍ରାୟତଃ ବର୍ଷା ଋତୁରେ ଗ୍ରାମାଞ୍ଚଳରେ ସାପ କାମୁଡ଼ା ସଂଖ୍ୟା ଅଧିକ ବଢିଯାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହା ଆପଣଙ୍କୁ ସାପ ଭୟ ଦୂର କରିବାରେ ସାହାଯ୍ୟ କରିବ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରୋଷେଇ ଘରର କିଛି ମସଲା ଏବଂ ଗନ୍ଧରେ ସାପ ମଧ୍ୟ ଡରିଯାଆନ୍ତି ଏବଂ ସେମାନେ ସେଠାରୁ ଚାଲିଯାଆନ୍ତି । ସେହିଭଳି ବର୍ଷା ଋତୁରେ ଅନେକ ସାପ ଘର ଭିତରେ ଆଶ୍ରୟ ନିଅନ୍ତି, ଯେଉଁଥିରୁ ଅନେକ ଅତ୍ୟନ୍ତ ବିଷାକ୍ତ ମଧ୍ୟ ହୋଇଥାନ୍ତି । ଏଭଳି ପରିସ୍ଥିତିରେ ସାପକୁ ଘଉଡ଼ାଇବା ପାଇଁ କାର୍ବୋଲିକ୍ ଏସିଡର ବ୍ୟବହାର ବିଷୟରେ ତ ସମସ୍ତେ ଜାଣନ୍ତି, କିନ୍ତୁ ଆଜି ଆମେ ଆଉ କିଛି ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ସାପମାନେ ବି ଭୟ କରନ୍ତି ।

ହୁଏତ ଆପଣ ଜାଣିନଥିବେ ଲେମ୍ବୁ ରସରେ ଗୋଲମରିଚ ଗୁଣ୍ଡ ମିଶାଇ ଘରର କୋଣରେ ଛିଞ୍ଚିବା ଦ୍ୱାରା ସାପ ଦୂରକୁ ପଳାଇଯାଇଥାଏ । ଏହି ଗନ୍ଧ ସେମାନଙ୍କୁ ବହୁତ କଷ୍ଟ ଦିଏ । ସେହିଭଳି ଡାଲଚିନି ପାଉଡର ଏବଂ ଧଳା ଭିନେଗାର ମିଶାଇ ଘର ବାହାରେ ଛିଞ୍ଚନ୍ତୁ । ସାପ ଏହି ଗନ୍ଧକୁ ସହ୍ୟ କରିପାରେ ନାହିଁ ଏବଂ ଏହି ବାସ୍ନାରେ ହିଁ ସେମାନେ ଦୂରକୁ ପଳାଇଯାଆନ୍ତି । ରସୁଣ ଏବଂ ତେଲକୁ ଏକାଠି ମିଶାଇ ଗୋଟିଏ ଦିନ ପାଇଁ ଛାଡି ଦିଅନ୍ତୁ । ତା’ପରେ ଏହାକୁ ଘର ଚାରିପାଖରେ ସିଞ୍ଚନ କରନ୍ତୁ ଯାହାଦ୍ୱାର ସାପ ଆପଣଙ୍କ ଘର ପାଖକୁ ବି ଆସିବ ନାହିଁ ।

ସାପ ଘଉଡ଼ାଇବାରେ ନିମ୍ବ ତେଲ ମଧ୍ୟ ବହୁତ ପ୍ରଭାବଶାଳୀ ହୋଇଥାଏ । ନିମ୍ବ ତେଲକୁ ପାଣିରେ ମିଶାଇ ପ୍ରତିଦିନ ସ୍ପ୍ରେ କରିବା ଦ୍ୱାରା କେବଳ ସାପ ନୁହେଁ ବରଂ ପୋକଜୋକ ମଧ୍ୟ ଦୂରେଇ ରହିଥାନ୍ତି । ସାପକୁ ଦୂରେଇ ରଖିବା ପାଇଁ ଆପଣଙ୍କ ଘରର ଦ୍ୱାର ଏବଂ ଝରକା ପାଖରେ କଣ୍ଟାଯୁକ୍ତ କାକ୍ଟସ୍, ନାଗ ଗଛ, ତୁଳସୀ ଗଛ ଏବଂ ଲେମ୍ବୁ ଘାସ ଭଳି ଗଛ ମଧ୍ୟ ଲଗାଇପାରିବେ । ଏହି ଗଛଗୁଡ଼ିକର ଗନ୍ଧରୁ ସାପମାନେ ଆପଣଙ୍କ ଘର ଠାରୁ ଦୂରେଇ ଯାଆନ୍ତି ।

Also read: ବାସୁକୀ ସାପର ପ୍ରଜାତି କେବଳ ଭାରତରେ ଥିଲେ, ତିମିକୁ ବି ଗିଳି ଦେଉଥିଲା