ଜୋତା ଆଣିବାକୁ ଯାଇ ସ୍ନେହଲତାର ଜୀବନ ଗଲା, ଅଚାନକ ମୃତ୍ୟୁକୁ ଗ୍ରହଣ କରିପାରୁନି ପରିବାର

ଆଈ ଆଖିରୁ ବୋହି ଯାଉଛି ଧାର ଧାର ଲୁହ । ହସ୍ପିଟାଲ ପରିସରରେ ବାହୁନି ବାହୁନି କାନ୍ଦୁଛନ୍ତି । ନାତୁଣୀକୁ ଭାରି ଗେଲ ବସରରେ ଘରେ ରଖିଥିଲେ ଅଜା ଆଈ । କିନ୍ତୁ ହଠାତ ଘଟିଗଲା ବଡ଼ ଅଘଟଣ । ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା କୁନି ଝିଅ ସ୍ନେହଲତାର ହେଲା ଅଚାନକ ମୃତ୍ୟୁ । ଆଉ ଏ ଦୁନିଆରେ ନାହିଁ କୁନି ଝିଅ ସ୍ନେହଲତା । ବିଧିର ବିଧାନ ବଡ଼ ବିଚିତ୍ର । କେତେବେଳେ କିଏ ଏ ଦୁନିଆରୁ ବିଦାୟ ନେବ କେହି କହି ପାରିବେନି । ସମାନ ଭାବେ ସ୍ନେହଲତା ବି ନିଜ ପରିବାର ଲୋକଙ୍କୁ ବିଦାୟ ଦେଇ ପରପାରିକୁ ଚାଲି ଯାଇଛି ।
ସ୍ନେହଲତାର ଆଜି ବାର୍ଷିକ ପରୀକ୍ଷା ଥିଲା । ସଜବାଜ ହୋଇ ଖାଇ ସାରିବା ପରେ ଜୋତା ଖୋଜି ଖୋଜି ପଡ଼ୋଶୀ ଘର ପାଖରେ ପହଞ୍ଚିଥିଲା । କିନ୍ତୁ ହଠାତ ସବୁକିଛି ଓଲପାଲଟ ହୋଇଗଲା । ହଠାତ ଭାଙ୍ଗିଗଲା ପଡ଼ୋଶୀ ଘରର କାନ୍ଥ । ଆଉ କାନ୍ଥ ତଳେ ଚାପି ହୋଇ ରହିଗଲା ସ୍ନେହଲତା । ଘଟଣାସ୍ଥଳରେ ରୁଣ୍ଡ ହୋଇଗଲେ ଶହ ଶହ ଲୋକେ । ସ୍ନେହଲତାକୁ ବହୁ କଷ୍ଟରେ ଉଦ୍ଧାର କଲେ ସତ । କିନ୍ତୁ ସେତେବେଳକୁ ସବୁକିଛି ଶେଷ ହୋଇ ଯାଇଥିଲା । ସ୍ନେହଲତାକୁ ହସ୍ପିଟାଲରେ ପହଞ୍ଚାଇଥିଲେ ବି ସେତେବେଳକୁ ତା ପ୍ରାଣ ବାୟୁ ଉଡ଼ି ଯାଇଥିଲା ।
କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ବଡରମ୍ପାସ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସକାଳୁ ସକାଳୁ ପରୀକ୍ଷା ଦେବାକୁ ବାହାରିଥିବା ଦ୍ବିତୀୟ ଶ୍ରେଣୀ ଛାତ୍ରୀ ଉପରେ ଘର କାନ୍ଥ ଭୁଷୁଡି ପଡିବାରୁ ତାର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଗାଁର ଆନନ୍ଦ ସାହୁଙ୍କ ୮ ବର୍ଷୀୟ ନାତୁଣୀ ସ୍ନେହଲତା ନିକଟସ୍ଥ ସ୍କୁଲରେ ଦ୍ବିତୀୟ ଶ୍ରେଣୀରେ ପାଠ ପଢ଼ୁଥିଲା । ଯାଜପୁର ଜିଲ୍ଲାର ଦୁର୍ଲ୍ଲଖାପାଟଣା ଗାଁର ନିରାକାର ସାହୁଙ୍କ ଝିଅ ସ୍ନେହଲତା । ଗତ କିଛି ବର୍ଷ ତଳେ ନିରାକାର କ୍ୟାନ୍ସରରେ ପଡ଼ି ମୃତ୍ୟୁବରଣ କରିଥିଲେ । ପରେ ଅଜା ଘରେ ରହୁଥିଲା ସ୍ନେହଲତା । ସେ ଅତ୍ୟନ୍ତ ଶାନ୍ତ ସରଳ ସ୍ବଭାବ ଓ ମେଧାବୀ ଛାତ୍ରୀ ଥିଲା । ଆଜି ବାର୍ଷିକ ପରୀକ୍ଷା ଦେବାକୁ ସଜବାଜ ହୋଇ ବାହାରୁ ଥିବା ବେଳେ ଅଚାନକ ତାଙ୍କ ପଡିଶା ଘରର ମାଟିକାନ୍ଥ ତା ଉପରେ ଭୁଷୁଡି ପଡ଼ିଥିଲା । ଘଟଣାସ୍ଥଳରେ କୁନି ଝିଅ ସ୍ନେହଲତାର ଜୀବନ ଗଲା । ଉପସ୍ଥିତ ଗ୍ରାମବାସୀମାନେ ତାକୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏଥିରେ ଆନନ୍ଦଙ୍କ ୫ବର୍ଷୀୟ ନାତି ମଧ୍ୟ ଆହତ ହୋଇଛି ।
ଦଇବର ଖେଳ ସତରେ ବଡ଼ ବିଚିତ୍ର । ପୂର୍ବରୁ ନିରାକାର ସାହୁ ଏ ଦୁନିଆ ଛାଡ଼ି ଯାଇଥିଲେ । ଆଉ ଏବେ କୁନି ଝିଅର ବି ଜୀବନ ଗଲା । ଏ ପରିବାର ଭଗବାନଙ୍କ ନିକଟରେ କି ଦୋଷ କରିଛନ୍ତି କେଜାଣି ଏମିତି ଅଘଟଣ ବାରମ୍ବାର ଘଟୁଛି । ଯାହା ବି ହେଉନା କାହିଁକି କୁନି ଝିଅକୁ ହରାଇ ଏବେ ଭାଙ୍ଗି ପଡ଼ିଛି ପରିବାର ।
Also Read: ପ୍ରବଳ ବର୍ଷାରେ ଭୁଶୁଡିଲା ଘର କାନ୍ଥ, ଗୋଟିଏ ପରିବାରର ୫ ଜଣ ଗୁରୁତର