ମନରେ ସେବା କରିବାର ଦୃଢ଼ ଇଚ୍ଛାଶକ୍ତି, ଜଗାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ

ଉଦଳା: ମଣିଷ ହେଉ କି ପଶୁପକ୍ଷୀ ସମସ୍ତଙ୍କର ଏ ଦୁନିଆରେ ସୁରକ୍ଷିତ ଭାବେ ବଞ୍ଚିବାର ଅଧୀକାର ଅଛି । ତେବେ ଆମ ସମସ୍ତଙ୍କର ସମସ୍ତଙ୍କ ପ୍ରତି କିଛି ନା କିଛି କର୍ତ୍ତବ୍ୟ ରହିଛି । କିନ୍ତୁ କେଉଁଠି ନା କେଉଁଠି କାର୍ଯ୍ୟ ବ୍ୟସ୍ତତା ପାଇଁ ଆମେ କେବଳ ନିଜ କଥା କିମ୍ବା ନିଜ ପରିବାର କଥା ହିଁ ଭାବିଥାଉ । ହେଲେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ସମାଜ ପ୍ରତି ଥିବା ନିଜ କର୍ତ୍ତବ୍ୟକୁ ସୂଚାରୁ ରୂପେ କରିଥାନ୍ତି । ଯାହା ସେମାନଙ୍କ ସେବା ମାଧ୍ୟମରେ ପ୍ରତିଫଳିତ ହୋଇଥାଏ । ଆଉ ସେମାନଙ୍କୁ ଦେଇଥାଏ ଅସରନ୍ତି ଖୁସି । ତେବେ ସେବା କ୍ଷେତ୍ରରେ ସୋପାନ ପରେ ସୋପାନ ଚଢ଼ି ଚଢ଼ି ଚାଲିଥିବା ଏମିତି ଜଣେ ଯୁବକ ଏବେ ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ମନରେ ସେବା କରିବାର ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ । ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସି ଅଞ୍ଚଳର ଏ ହେଉଛନ୍ତି ଲଷ୍ମୀଧର ସାହୁ । ସେବା ଆଗ ବାକି ସବୁ ପଛ । ଲଷ୍ମୀଧରଙ୍କ ବୟସ ୩୨ । ହେଲେ ବୟସ ତୁଳନାରେ ତାଙ୍କର ସେବା କରିବାର ମନବଳ ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ । ଲଷ୍ମୀଧର ଏ ଅଞ୍ଚଳରେ ଜଗା ନାମରେ ବେଶ ପରିଚିତ । ଜଗା ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଛୋଟ ବେଳୁ ତାଙ୍କର ମନରେ ସେବା କରିବାର ଇଚ୍ଛା ରହିଥିଲା । ତେବେ ସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଛନ୍ତି ସେ । ପର ହେଉ କି ଆପଣାର ହେଉ ଯିଏ ଯେତେବେଳ ଅସୁବିଧାରେ ଡାକନ୍ତି ଜଗା ତତକ୍ଷଣାତ ଯାଇ ଲୋକ ମାନଙ୍କ ପାଖରେ ପହଞ୍ଚି ଯାଇ ନିଜର ସେବା କରିଥାନ୍ତି ।

ଜଗା ଏ ଅଞ୍ଚଳର ବେଶ ଜଣାଶୁଣା ବ୍ୟକ୍ତିତ୍ୱ । କାମରେ ବିଶ୍ୱାସ କରୁଥିବା ଜଣେ ସରଳ ବ୍ୟକ୍ତିତ୍ୱ ଜଗା । ସବୁଠୁ ବଡ଼ କଥା ହେଉଛି ଉଦଳା ମେଡିକାଲରେ ଯେଉଁ ଗ୍ରୁପର ରୋଗୀ ମାନଙ୍କର ରକ୍ତ ଦରକାର ହୁଏ ବିନା ସଙ୍କୋଚରେ ରକ୍ତ ସଂଗ୍ରହ କରି ଗୋଟିଏ ଅମୂଲ୍ୟ ଜୀବନକୁ ବଞ୍ଚାଇଥାନ୍ତି । ଏପରିକି ଭୁବନେଶ୍ୱର ହେଉ କି ବାରିପଦା ନିଜର ସଂଗଠନ ମାଧ୍ୟମରେ ମଧ୍ୟ ସଙ୍ଗେ ସଙ୍ଗେ ରକ୍ତ ଯୋଗାଡ଼ କରିଥାନ୍ତି । ନିଜେ ୧୦୦ ରୁ ଅଧିକ ଥର ରକ୍ତଦାନ କରିବା ସହ ବିଭିନ୍ନ ସଂଗଠନରୁ ମଧ୍ୟ ସମ୍ମାନିତ ହୋଇଛନ୍ତି । ଏପରିକି ବନ୍ୟା ବାତ୍ୟା ଆସିଲେ ନିଜର ସାଙ୍ଗସାଥିଙ୍କ ସହ ବିପନ୍ନ ମାନଙ୍କୁ ସହଯୋଗର ହାତ ବଢ଼ାଇଥାନ୍ତି ।

କେବଳ ଯେ ମାନବ ସେବା ନୁହେଁ ତାହା ନୁହେଁ ପଶୁ ପକ୍ଷୀ ମାନଙ୍କର ମଧ୍ୟ ସେବା କରିଥାନ୍ତି । ଗଣେଶ ପୂଜା ଦିନ ରାସ୍ତାରେ ଏକ କୁକୁର ମରି ପଡ଼ିଥିବା ଦେଖିବାକୁ ପାଇଥିଲେ ଜଗା । ମନରେ ଆସିଲା କୁକୁରଟିକୁ ନେଇ ପୋତିଦେବା ପାଇଁ । ତେବେ ନିଜର କାର୍ଯ୍ୟ ବ୍ୟସ୍ତତା ଭିତରେ ମଧ୍ୟ ଜଣେ ସହକର୍ମୀଙ୍କୁ ଡାକି କୁକୁରକୁ ନେଇ ଏକ ଜଙ୍ଗଲରେ ଗାତ ଖୋଲି ପୋତିଥିଲେ । ତେବେ ସୋସିଆଲ ମିଡ଼ିଆରେ ତାଙ୍କର ଏହି ମହାନତାକୁ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like