ଆଜି ମୂଳାଷ୍ଟମୀରେ ଆରମ୍ଭ ହେବ ମା ଦୁର୍ଗାଙ୍କ ଷୋଡ଼ଶ ଉପଚାର ପୂଜା, ବିଭିନ୍ନ ଦେବୀ ପୀଠରେ ବିରାଟ ଆୟୋଜନ

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜି ହେଉଛି ପବିତ୍ର ମୂଳାଷ୍ଟମୀ ବା ଦ୍ୱିତୀୟାଷ୍ଟମୀ । ଆଜିଠାରୁ ରାଜ୍ୟ ସମେତ ଦେଶର ବିଭିନ୍ନ ଦେବୀ ପୀଠରେ ଆରମ୍ଭ ହେବ ଷୋଡ଼ଶ ଉପଚାର ପୂଜା । ଏହା ଆଗାମୀ ଦଶହରା ଯାଏ ଚାଲିବ । ଆଜି ନିର୍ଦ୍ଧାରିତ ସମୟରେ କଳସ ସ୍ଥାପନ ପରେ ହୋମ ଯଜ୍ଞ ସହିତ ପୂଜା ଆରମ୍ଭ ହେବ । ପ୍ରତିଦିନ ରୀତି ନୀତି ଅନୁସାରେ ଉଭୟ ଦିନ ଏବଂ ରାତିରେ ନିତ୍ୟ ପୂଜା ସହିତ ଜପ, ଚଣ୍ଡୀପାଠ ଆଦି କରାଯିବ । ଏହି ଅବସରରେ ଦେବୀଙ୍କୁ ଦର୍ଶନ କରି କୃପା ଲାଭ କରିବା ପାଇଁ ଭକ୍ତମାନେ ଦେବୀ ପୀଠରେ ଭିଡ଼ ଲଗାଇଥାନ୍ତି । ଧୂପ, ଦୀପ, ନୈବିଦ୍ୟ ଅର୍ପଣ କରି ନିଜ ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଥାନ୍ତି ।

ଏଇ ପାର୍ବଣ ୠତୁରେ ଭିନ୍ନ ଏକ ପରିବେଶ ସୃଷ୍ଟି ହୁଏ । ନିର୍ମଳ ଆକାଶ, କାଶତଣ୍ଡିର ସୌନ୍ଦର୍ଯ୍ୟ ଆଉ ଧରାପୃଷ୍ଠକୁ ଦେବୀଙ୍କ ଆଗମନ ସମସ୍ତଙ୍କ ମନରେ ଆଣିଦିଏ ଆନନ୍ଦ । ଚାରିଆଡ଼େ ଆଧ୍ୟାତ୍ମିକ ବାତାବରଣ ଖେଳିଯାଏ । ପୌରାଣିକ କଥା ଅନୁସାରେ ମହିଷାସୁରକୁ ବଧ କରିବା ପାଇଁ ଦେବୀ ଦୁର୍ଗାଙ୍କର ଆବିର୍ଭାବ ହୋଇଥିଲା ଏହି ଆଶ୍ୱିନ ମାସରେ । ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟ ବିଜୟ ହେଉଛି ଦୁର୍ଗା ପୂଜା ।

ଯେତେବେଳେ ମହିଷାସୁରର ଅତ୍ୟାଚାରରେ ସାରା ବିଶ୍ୱ ବ୍ରହ୍ମାଣ୍ଡ ଥରହର ହେଉଥିଲା । ସେତିକି ବେଳେ ସମସ୍ତ ଦେବତା ଭୟଭୀତ ହୋଇ ବ୍ରହ୍ମାଙ୍କ ଶରଣ ପଶିଲେ । ପରେ ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ପରାମର୍ଶରେ ଦେବତା ଓ ୠଷିମାନଙ୍କ ମିଳିତ ଉଦ୍ୟମରେ ଏକ ବିରାଟ ଯଜ୍ଞର ଆୟୋଜନ କରାଯାଇଥିଲା । ସେଥିରୁ ଦେବୀ ଦୁର୍ଗା ପ୍ରକଟ ହୋଇଥିଲେ । ତାଙ୍କୁ ସମସ୍ତ ଦେବତା ସେମାନଙ୍କର ବିଭିନ୍ନ ଆୟୁଧ ବା ଅସ୍ତ୍ର ପ୍ରଦାନ କରିଥିଲେ ମହିଷାସୁର ସହିତ ଲଢ଼େଇ କରିବା ପାଇଁ । ଆଉ ଦେବୀ ସିଂହ ବାହନରେ ଚଢ଼ି ମହିଷାସୁର ଏବଂ ତାର ସହଯୋଗୀ ଅସୁରମାନଙ୍କ ସହ ଯୁଦ୍ଧ କରିଥିଲେ । ଲମ୍ବା ସମୟ ଧରି ଯୁଦ୍ଧ ପରେ ଦେବୀ ଦୁର୍ଗା ମହିଷାସୁରକୁ ବଧ କରିଥିଲେ । ଯାହାଫଳରେ ଧରାପୃଷ୍ଠରେ ଶାନ୍ତି ବିରାଜମାନ କଲା ।

ପୁଣି ତ୍ରେତୟା ଯୁଗରେ ରାବଣକୁ ବଧ କରିବା ପାଇଁ ପ୍ରଭୁ ରାମଚନ୍ଦ୍ର ଏହି ଆଶ୍ୱିନ ମାସରେ ପୂଜା କରିଥିଲେ । ସେ ରାବଣ ଉପରେ ବିଜୟ ପାଇବା ପରେ ଦଡହରା ଦିନ ବିଜୟ ଉତ୍ସବ ପାଳନ କରାଯାଇଥିଲା । ଏହି ପରମ୍ପରାରୁ ଚେହତ୍ର ମାସରେ ପାଳନ କରାଯାଉଥିବା ବାସନ୍ତିକ ଦୁର୍ଗା ପୂଜା ଆଶ୍ୱିନ ମାସରେ ମଧ୍ୟ କରାଗଲା । ଆଉ ଦଶହରାକୁ କୁହାଯାଏ ବିଜୟା ଦଶମୀ ।

ଆଉ ଏହି ସମୟରେ ନବରାତ୍ର ମଧ୍ୟ ପାଳନ କରାଯାଇଥାଏ । ମା ଦୁର୍ଗାଙ୍କୁ ୯ଟି ରୂପରେ ଚିନ୍ତନ କରି ନବରାତ୍ର ପାଳନ ସହ ସେହି ରୂପଗୁଡ଼ିକ ପ୍ରତିଦିନ ପୂଜା କରାଯାଇଥାଏ । ଦେବୀ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ ରୂପରେ ନଅ ଦିନ ଧରି ପୂଜା ପାଆନ୍ତି ।

ଆମ ରାଜ୍ୟରେ ପୁରୀ ଶ୍ରୀମନ୍ଦିରରେ ମା ବିମଳା, ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜା, ବାଙ୍କୀର ଚର୍ଚ୍ଚିକାଙ୍କ ଠା ଆରମ୍ଭ କରି କାକଟପୁର ମା ମଙ୍ଗଳା, ସମ୍ବଲପୁରର ମା ସମଲେଶ୍ୱରୀ, ସୁବର୍ଣ୍ଣପୁରର ମା ଭଗବତୀ ଆଦି ପୀଠରେ ଆଜିଠାରୁ ଏହି ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.