ଜଣେ ବିଜ୍ଞ ରାଜନୀତିଜ୍ଞଙ୍କୁ ହରାଇଲା ଦେଶ

ଆସାମରେ ଜନ୍ମ, ବଢ଼ିଲେ କୋଲକାତାରେ ଆଉ ପଢ଼ିଲେ ଇଂଲଣ୍ଡରେ । ଉଚ୍ଚଶିକ୍ଷା ନେଲେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ । ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନ ମିଡିଲ ଟେମ୍ପୁଲରୁ ଆଇନ୍‌ ଡିଗ୍ରୀ ଲାଭ କଲେ । କଲିକତା ହାଇକୋର୍ଟ ଓ ସୁପ୍ରିମ୍‌ କୋର୍ଟରେ ବାରିଷ୍ଟର ଭାବେ କାର୍ଯ୍ୟ କଲେ । ତେବେ ଏତେ ସବୁ ପରେ ବି ତାଙ୍କ ମନ କେବଳ ଅର୍ଥ କି ସମ୍ମାନ ଉପାର୍ଜନ ନଥିଲା । ସେ ଜନସେବା ପ୍ରତି ଆଗ୍ରହୀ ଥିଲେ । ୧୯୬୮ ମସିହାରେ ସୋମାନାଥ ଚାଟ୍ଟାର୍ଜୀ ଯୋଗ ଦେଲେ ସିପିଆଇଏମ୍‌ରେ । ଅବଶ୍ୟ ତାଙ୍କ ବାପା ନିର୍ମଳ ଚନ୍ଦ୍ର ଚାଟ୍ଟାର୍ଜୀ ମଧ୍ୟ ଜଣେ ଆଇନଜୀବୀ ଏବଂ ହିନ୍ଦୁ ମହାସଭାର ପ୍ରମୁଖ ସଦସ୍ୟ ଥିଲେ । ତାଙ୍କର କିଛି ପ୍ରଭାବ ରହିଥିଲା ପୁଅଙ୍କ ଉପରେ । ତେବେ ଆଭିମୁଖ୍ୟ ଅଲଗା ଥିଲା । ୧୯୭୧ ମସିରେ ପ୍ରଥମେ ଲୋକସଭାକୁ ନିର୍ବାଚିତ ହେଲେ ପଶ୍ଚିମବଙ୍ଗରୁ । ସେଠାରେ ପୂର୍ବରୁ ତାଙ୍କ ବାପା ସଦସ୍ୟ ଥିଲେ ।

ଲୋକସଭାକୁ ୧୦ଥର ନିର୍ବାଚିତ ହୋଇଥିବା ସୋମନାଥଙ୍କୁ ତାଙ୍କର ସାରଗର୍ଭକ ଭାଷଣ ଏବଂ ବିଜ୍ଞତା ପାଇଁ ସମସ୍ତେ ସମ୍ମାନ କରନ୍ତି । ୧୯୯୬ରେ ତାଙ୍କୁ ଶ୍ରେଷ୍ଠ ସାଂସଦ ଭାବେ ସମ୍ମାନିତ କରାଯାଇଥିଲା । ୨୦୦୪ ଜୁନ୍‌ରେ ସର୍ବସମ୍ମତି କ୍ରମେ ସେ ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ । ତେବେ ୧୯୮୯ରୁ ୨୦୦୪ ପର୍ଯ୍ୟନ୍ତ ସେ ଲୋକସଭାରେ ଦଳରନେତା ଭାବେ ଦାୟିତ୍ୱ ତୁଲାଇଥିଲେ । ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ତାଙ୍କର ପ୍ରଥମ କାମ ଥିଲା ଯେ ସେ ଗୃହରେ ସଦସ୍ୟମାନଙ୍କ ଶୃଙ୍ଖଳିତ ଆଚରଣ ଉପରେ ଗୁରୁତ୍ୱ ଦେଇ ଉଦ୍ୟମ କରିଥିଲେ । ତାଙ୍କରି ସମୟରେ ପ୍ରଥମ କରି ଗୃହ କାର୍ଯ୍ୟର ୨୪ ଘଣ୍ଟିଆ ସିଧା ପ୍ରସାରଣ ଟେଲିଭିଜନରେ କରାଯାଇଥିଲା । ଯାହାକୁ ସେ ୨୦୦୬ ଜୁଲାଇ ମାସରେ ଉଦ୍‌ଘାଟନ କରିଥିଲେ । ଧର୍ମନିରପେକ୍ଷ ରାଜନୀତିକୁ ଗୁରୁତ୍ୱ ଦେଉଥିବା ସୋମନାଥ ୨୦୦୮ ମଧ୍ୟ ଭାଗରେ ବିବାଦକୁ ଆସିଥିଲେ । ସେତେବେଳେ କ୍ଷମତାରେ ଥିବା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲେ ବାମ ଦଳ ।

ସିପିଆଇଏମ୍‌ ପକ୍ଷରୁ ତାଙ୍କୁ ବାଚସ୍ପତି ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା । ତେବେ ମନା କରିଥିଲେ ସୋମନାଥ । ତାଙ୍କର ଯୁକ୍ତି ଥିଲା ବାଚସ୍ପତି ଏକ ରାଜନୈତିକ ପଦ ନୁହେଁ । ଅବଶ୍ୟ ଏହା ପରେ ସିପିଆଇଏମ୍‌ ତାଙ୍କୁ ଦଳରୁ ବହିଷ୍କାର କରିଥିଲା । ବୀତସ୍ପୃହ ହୋଇ ଏହା ପରେ ସେ ରାଜନୈତିକ ଜୀବନରୁ ଅବସର ନେଇଯିବେ ବୋଲି ଘୋଷଣା କରିଥିଲେ ଏବଂ ବାଚସ୍ପତି ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ୨୦୦୯ରେ ଅବସର ନେଇ ଯାଇଥିଲେ । ୧୯୨୯ ମସିହା ଜୁଲାଇ ୨୫ ତାରିଖରେ ଆସାମର ତେଜପୁର ଠାରେ ତାଙ୍କର ଜନ୍ମ ହୋଇଥିଲା । ବଗିଚା କାମ ସହ ଜଣେ କ୍ରୀଡ଼ାପ୍ରେମୀ ଥିଲେ । ଅନେକ ସଂଗଠନ ସହିତ ସମ୍ପର୍କ ଥିଲା ତାଙ୍କର । ଜଣେ ଆଇନଜୀବୀ, ରାଜନେତା ଓ ବିଜ୍ଞ ସାଂସଦ ଭାବେ ତାଙ୍କର ନାମକୁ ସମସ୍ତେ ଏବେବି ମର୍ଯ୍ୟାଦାର ସହ ନେଇଥାନ୍ତି । ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।