ଗତ ମେ ୨୫ ତାରିଖ ଥିଲା ତିନିଟି ପରିବାର ପାଇଁ ଅତ୍ୟନ୍ତ ଦୁଃଖ ଓ ଯନ୍ତ୍ରଣାର ଦିନ । ଏହି ଦିନ ଅପରାହ୍ନରେ ତିନି ଜଣ ଛାତ୍ର ଏକ ଦୁଇ ଚକିଆ ଗାଡ଼ିରେ ଜୟଦେବ ବିହାରରୁ ବରମୁଣ୍ଡା ଫ୍ଲାଏଓଭରରେ ଆସିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଲେ । ଟ୍ରକ୍ ଧକ୍କାରେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ହୋଇଗଲା । ଆଉ ଜଣେ ଏବେବି ଚିକିତ୍ସାଧୀନ ଅଛି । ସେହି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କ ଆଖିରୁ ଲୁହ ଝରାଇ ଦେଲା । କାରଣ ସେମାନେ ଥିଲେ ପରିବାରର ଏକମାତ୍ର ପୁତ୍ର ସନ୍ତାନ । ଘଟଣାକୁ ଆଉଥରେ ବର୍ଣ୍ଣନା କରିବାର ଅବକାଶ ଏହି ଯେ ଗତ ମଙ୍ଗଳବାର ଦିନ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଫ୍ଲାଏ ଓଭର ଉପରେ ବିନା ହେଲମେଟ୍ରେ କେହି ଦୁଇ ଚକିଆ ଯାନ ଚଳାଇ ପାରିବେ ନାହିଁ ବୋଲି କଟକଣା କରାଯାଇଛି । ହେଲେ ବୁଝି ହେଉନି ଯେ ବିନା ହେଲେ୍ମେଟ୍ରେ ଦୁଇ ଚକିଆ ଯାନ ଚଳାଇବା ସମ୍ପୂର୍ଣ୍ଣ ନିଷିଦ୍ଧ ଥିବା ବେଳେ ପ୍ରଶାସନ ଏଭଳି କାହିଁକି ନିଷ୍ପତ୍ତି ନେଲା ଯେ ଫ୍ଲାଏଓଭର ତଳେ ଯାଇ ପାରିବେ ଅଥଚ ଉପରେ ଯାଇ ପାରିବେ ନାହିଁ ?
ଗତ ମାସ ଭିତରେ ରସୁଲଗଡ଼ରୁ ବରମୁଣ୍ଡା ଧ୍ୟରେ ଥିବା ଏହି ‘ମୃତ୍ୟୁର ପଥ’ରେ ୧୨ଟି ଦୁର୍ଘଟଣା ଘଟି ୮ ଜଣଙ୍କର ପ୍ରାଣ ଗଲାଣି । ଇଏ ହେଉଛି ସରକାରୀ ହିସାବ । ହେଲେ ଏସବୁ ବାଦ୍ ମଧ୍ୟ କିଛି ଦୁର୍ଘଟଣା ଘଟିଛି । ଯାହା ରେକର୍ଡ଼କୁ ଆସି ନାହିଁ । ଉଭୟ ସଚେତନତା ଓ କଟକଣା ମିଶିଲେ ଯାଇ ଏଭଳି ବାରମ୍ବାର ଦୁର୍ଘଟଣା କମି ପାରିବ ।
ତେବେ ମେ ୨୫ ତାରିଖ ଦୁର୍ଘଟଣା ବେଳେ ଏମିତି କିଛି ଘଟିଥିଲା ଯାହାକୁ ନଜର ଅନ୍ଦାଜ କରିବା ଉଚିତ ନୁହେଁ । ଏଇ କଥାଟି ହୁଏତ ସମସ୍ତଙ୍କ ଆଢୁଆଳରେ ରହିଯାଇଛି । ଦୁର୍ଘଟଣା ଘଟିବାର କେଇ ସେକେଣ୍ଡ ପରେ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ ଜଣେ ଯୁବକ । ସେ ଖଣ୍ଡଗିରି ପଟୁ ଆସୁଥିଲେ । ଘଟଣା ସ୍ଥଳରେ ନିଜ ବାଇକ୍ରୁ ତୁରନ୍ତ ଓହ୍ଲାଇ ପଡ଼ି ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ । ସେତେବେଳେକୁ ଜଣେ ଛାତ୍ର ଟ୍ରକ୍ ତଳେ ଚାପି ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ଯୁବକ ଜଣକ ସଂଗେ ସଂଗେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର୍ ଓ ହେଲପରଙ୍କୁ ଡାକିଲେ ଗାଡ଼ିରୁ ଜଗ୍ ବାହାର କରି ଟ୍ରକ୍ରେ ଲଗାଇ ପିଲାଟିକୁ ଉଦ୍ଧାର କରିବା ଲାଗି । ହେଲେ ଉଭୟ ଡ୍ରାଇଭର୍ ଓ ହେଲପର୍ ତାଙ୍କ କଥା ନଶୁଣି ସେଠାରୁ ଦୌଡ଼ି ପଳାଇ ଗଲେ । ହୁଏତ ଲୋକଙ୍କ ଆକ୍ରମଣର ଭୟ ଥିଲା । ପରେ ଯୁବକ ଜଣକ ରାସ୍ତାରେ ଯାଉଥିବା ଅନ୍ୟ ଟ୍ରକ୍କୁ ମଧ୍ୟ ଅଟକାଇବାକୁ ଚେଷ୍ଟା କଲେ । କିନ୍ତୁ କେହି ଅଟକିଲେ ନାହିଁ । ପରେ ସେହି ଯୁବକ ଜଣକ ପୋଲିସ୍କୁ ମଧ୍ୟ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇ ଦେଇଥିଲେ । ପୋଲିସ୍ ଓ ପରେ ଅଗ୍ନିଶମ କର୍ମଚାରୀ ଆସି ପିଲାଟିକୁ ଉଦ୍ଧାର କଲା ବେଳକୁ ଅନେକ ସମୟ ବିତି ଯାଇଥିଲା । ଆଉ କ୍ୟାପିଟାଲ ହସପିଟାଲକୁ ଆସିବ ପରେ ଏହି ଉଦୀୟମାନ ଛାତ୍ରଟିର ମୃତ୍ୟୁ ଘଟିଥିଲା । ଉଦ୍ଧାର କରିବାକୁ ଉଦ୍ୟମ କରିଥିବା ଯୁବକ ଜଣକ ସେ ପର୍ଯ୍ୟନ୍ତ ଜାଣି ନଥିଲେ ଯେ ଅନ୍ୟ ମୃତ ଛାତ୍ରଟି ତାଙ୍କର ସମ୍ପର୍କୀୟ ବୋଲି ।
ଏଠାରେ ଏହି ଘଟଣା ସମ୍ପର୍କରେ କହିବାର ତାତ୍ପର୍ଯ୍ୟ ହେଉଛି, ଯଦି ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଓ ହେଲପର ସେଠାରେ ଅଟକି ପିଲାଟିକୁ ଉଦ୍ଧାର କରିବାରେ ସାହାଯ୍ୟ କରିଥାନ୍ତେ କିମ୍ବା ବାଟରେ ଯାଉଥିବା ଅନ୍ୟ ଗାଡ଼ିଗୁଡ଼ିକ ସହଯୋଗ କରିଥାନ୍ତେ ତେବେ ହୁଏତ ପିଲାଟି ଠିକଣା ସମୟରେ ହସପିଟାଲରେ ପହଞ୍ଚି ପାରିଥାନ୍ତା ଏବଂ ତାର ଚିକିତ୍ସା ମଧ୍ୟ ହୋଇ ପାରିଥାନ୍ତା । କାରଣ ୪୫ ଡିଗ୍ରୀ ଖରାରେ ଟ୍ରକ୍ ତଳେ ଚାପି ହୋଇ ପିଲାଟି ଅଧଘଣ୍ଟାଏରୁ ଅଧିକ ସମୟ ସଂଘର୍ଷ କରିଥିଲା ।
କିଛି ବର୍ଷ ପୂର୍ବରୁ ପୋଲିସ୍ ନିୟମ ବଦଳାଇ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ହସପିଟାଲ ପହଞ୍ଚାଇଲେ କୌଣସି ହଇରାଣ ହରକତ କରାଯିବ ନାହିଁ ବୋଲି ନିୟମ କରିଛି । ହେଲେ ଏବେବି ପୋଲିସ୍ ଭୟରେ ଅନେକ ଲୋକ ଦୁର୍ଘଟଣା ଗ୍ରସ୍ତଙ୍କୁ ଡାକ୍ତରଖାନା ନେବାକୁ ମଙ୍ଗୁ ନାହାନ୍ତି । ଠିକ୍ ସେହିଭଳି ଦୁର୍ଘଟଣା ଘଟାଉଥିବା ଗାଡ଼ିର ଚାଳକ ଲୋକଙ୍କ ଆକ୍ରମଣ ଭୟରେ ତୁରନ୍ତ ଜାଗା ଛାଡ଼ି ପଳାଇ ଯାଉଛନ୍ତି । କାରଣ ଜୀବନରୁ ମାରିଦେବାର ଭୟ ଆଗରେ ହାର ମାନିଛି ମାନବିକତା ।
ସବୁ ପୁରିସ୍ଥିତିକୁ ମୁକାବିଲା କରିବାରେ ମଣିଷ ସକ୍ଷମ । କେବଳ ଦରକାର ସଚେତନତା ଓ ବିବେକ ଅନୁଯାୟୀ କାର୍ଯ୍ୟ କରିବାର ଧାରା । ଏଇ ଫ୍ଲାଏଓଭର୍ରେ ଏତେ ସବୁ ମୁଣ୍ଡ ଗଡ଼ିବା ପରେ ବି କଣ ଆମେ ସଚେତନ ହେବୁ ?