କିଛି ଏମିତି ଥିଲା ଚିତାଙ୍କୁ ଭାରତ ଆଣୁଥିବା ବିମାନ ଭିତରର ଦୃଶ୍ୟ, ଦେଖନ୍ତୁ ଭିଡିଓ…

୭ ଦଶନ୍ଧି ପରେ ଭାରତୀୟ ମାଟିରେ ଦୌଡିଲା ଚିତା । ବିମାନ ଯୋଗେ ନାମିବ୍ୟାର ଏହି ୮ ଚିତା ଅଣାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମ ଦିନରେ ଏହି ଆଫ୍ରିକୀୟ ଚିତା ବାଘ ଗୁଡ଼ିକୁ ଜଙ୍ଗଲରେ ଛାଡ଼ିଛନ୍ତି । ୧୯୫୨ରୁ ଭାରତରେ ଚିତା ବିଲୁପ୍ତ ହୋଇଯାଇଥିଲା । ଦୀର୍ଘ ୭୦ ବର୍ଷ ହେଲା ଭାରତରୁ ଚିତା ବାଘ ବଂଶ ଲୋପ ପାଇ ଯାଇଥିଲା । ଏବେ ଏହାକୁ ପୁଣି ବିସ୍ତାର କରିବାକୁ ଯାଇ ନାମିବ୍ୟାରୁ ୩ଟି ଅଣ୍ଡିରା ଓ ୫ଟି ମାଈ ଚିତା ବାଘ ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଅଭ୍ୟାରଣ୍ୟରେ ଛଡା ହୋଇଛି । ତେବେ ଏକ ବିଶେଷ ବୋଇଂ ବିମାନ ଶୁକ୍ରବାର ରାତିରେ ଆଫିକ୍ରାରୁ ଉଡ଼ାଣ ଭରିଥିଲା ଏବଂ କାଠରେ ନିର୍ମିତ ପିଞ୍ଜରାରେ ଚିତାଙ୍କୁ ପ୍ରାୟ ୧୦ ଘଣ୍ଟାର ଯାତ୍ରା ପରେ ଭାରତ ପହଞ୍ଚିଥିଲେ । ଚିତାଙ୍କୁ ଆଣିବାକୁ ପାଇଁ ବିମାନରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା ।

ଶନିବାର ସକାଳ ପ୍ରାୟ ୮ଟାରେ ଗ୍ଵାଲିୟର ବିମାନ ବନ୍ଦରରେ ଅବତରଣ କରିଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଠ ଚିତାକୁ ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଛାଡିଛନ୍ତି। ବର୍ତ୍ତମାନ ଏକ ବାଡା ଭିତରେ ୩୦ ଦିନ ଯାଏଁ କ୍ଵାରେଣ୍ଟାଇନ୍‌ରେ ରଖାଯିବ। ଏହି ସମୟରେ ସେମାନଙ୍କର ବ୍ୟବହାର, ସ୍ଵାସ୍ଥ୍ୟ ଏବଂ ଅନୁକୂଳତା ଉପରେ ସଂପୂର୍ଣ୍ଣ ନଜର ରଖାଯିବ। ଏହା ପରଖାଯିବ ଯେ, ଚିତା ଭାରତୀୟ ପରିବେଶରେ ନିଜକୁ କେମିତି ଖାପଖୁଆଉଛି। ଏହାର ଗୋଟିଏ ମାସ ପରେ ଚିତାଗୁଡିକୁ ଏକ ବର୍ଗ କିଲୋମିଟର ବଡ ବାଡା ଭିତରେ ଛଡାଯିବ। ପୁଣି ଏହାର ମାସେ କିମ୍ବା ଦେଢ ମାସ ପରେ ତୃତୀୟ ପର୍ଯ୍ୟାୟରେ ସେମାନଙ୍କୁ କୁନା ନ୍ୟାସନାଲ ପାର୍କରେ ଖୋଲାରେ ବୁଲିବାକୁ ଛାଡି ଦିଆଯିବ ବୋଲି ଅଧିକାରୀ କହିଛନ୍ତି।

ତେବେ ବୋଇଂ ୭୪୭-୪୦୦ ମାଲବାହକ ବିମାନରେ ଚିତାଙ୍କୁ ନାମିବ୍ୟାରୁ ଭାରତ ଅଣାଯାଇଥିଲା । ବିମାନ ନାମିବ୍ୟା ପହଞ୍ଚିବା ପରେ ଏହାର ଫଟୋ ସାମ୍ନାକୁ ଆସିଥିଲା । ବିମାନରେ ଚିତାର ପେଣ୍ଟିଂ କରାଯାଇଥିଲା । ଏବେ ବିମାନ ଭିତରର ଭିଡିଓ ସାମ୍ନାକୁ ଆସିଛି। ଏହା ଦେଖିଲେ ଆପଣ ଅନୁମାନ କରି ପାରିବେ ଯେ, ଚିତାକୁ ଆଣିବା ପାଇଁ କେତେ ପରିଶ୍ରମ କରିବାକୁ ପଡିଛି।

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ତରଫରୁ ବିମାନ ଭିତରର ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଏହା ଦେଖାଯାଇଛି ଯେ ପିଞ୍ଜରାରେ ବନ୍ଦ ଏହି ଚିତାଙ୍କୁ ଆଣିବା ପାଇଁ କେଉଁଭଳି ବ୍ୟବସ୍ଥା କରାଯାଇଛି । ଭିଡିଓରେ ଦେଖାଯାଉଛି ଯେ ବିମାନରେ କାଠ ପିଞ୍ଜରା ଭିତରେ ଏହି ଚିତା ବାଘଙ୍କୁ ଅଣାଯାଉଛି । କୁହାଯାଉଛି ଏହି ଭିଡିଓ ବିମାନ ଗ୍ୱାଲିୟର ପହଞ୍ଚିବା ପୂର୍ବର ଭିଡିଓ ବୋଲି ।

ଦେଖନ୍ତୁ ଭିଡିଓ… 

 

କୁହାଯାଉଛି କ୍ୱାରେଣ୍ଟାଇନ ବାଡାରେ ଛାଡିବା ପରେ ଚିତାମାନେ ପ୍ରାୟ ଘଣ୍ଟାଏ କାଳ ଡରିକରି ଥିଲେ। ଖରା ହେଉଥିବାରୁ ବାଘମାନେ ଏକ ଗଛ ଛାଇରେ ବସି ରହୁଥିଲେ। ବାଡାରେ ନିର୍ମିତ କୁଣ୍ଡରେ ସେମାନଙ୍କୁ ପାଣି ଦିଆଯାଇଥିଲା । ପ୍ରାୟ ୩ ଘଣ୍ଟା ପରେ ପାଣି ପିଇ ବାଘ ଟିକେ ଫୂର୍ତ୍ତି ହୋଇଥିଲେ। ବାଡା ଭିତରେ ଧାଁଧପଡ ହୋଇଥିଲେ। ପାଣି ପିଇବାର ପ୍ରାୟ ୧ ଘଣ୍ଟା ପରେ ସେମାନଙ୍କୁ ମହିଁଷ ମାଂସ ଖାଇବାକୁ ଦିଆଯାଇଥିଲା। କୁହାଯାଉଛି ଚିତାମାନେ ୮ରୁ ୯ କେଜି ମାଂସ ଖାଇଛନ୍ତି। ସେମାନେ ଦୀର୍ଘ ଯାତ୍ରା ଯୋଗୁ ବିଶେଷ ଖାଇ ପାରିନଥିବା ବେଳେ ୩ରୁ ୪ ଦିନରେ ସେମାନଙ୍କ ଖାଇବା ପିଇବା ସ୍ୱଭାବିକ ହୋଇଯିବ ବୋଲି ବିଶେଷଜ୍ଞ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.