ବାପାଙ୍କ ସ୍ମୃତିରେ ରାସ୍ତାଟିଏ: ଏ କାହାଣୀ ସଭ୍ୟ ସମାଜକୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ

ଗୁଣୁପୁର: ଦୁନିଆର ସବୁଠୁ ନିଆରା ସମ୍ପର୍କ, ବାପା-ପୁଅ ସମ୍ପର୍କ । ବାପା ବୁଢା ହେଲେ ବି ସେ ନିଜ ସନ୍ତାନର ଯତ୍ନ ନେବାକୁ ଭୁଲନ୍ତି ନାହିଁ । ତେଣୁ କରି ତ କଥାରେ ଅଛି ବାପା ଥିଲା ପୁଅ ସଭାରେ ହାରେନା । ବାପା’ କେବଳ ଏକ ଶବ୍ଦ ନୁହେଁ କି ଏକ ଶରୀର ନୁହେଁ ବାପା ଅନେକ ଶକ୍ତିର ଆଧାର । ବାପା ଏକ ଅବର୍ଣ୍ଣନୀୟ ଶବ୍ଦ । ଶବ୍ଦରେ ବାପାଙ୍କ ବର୍ଣ୍ଣନା କରିବା ବହୁତ କଷ୍ଟ । ଗୋଟିଏ ସନ୍ତାନ ପାଇଁ ଏହି ନାମ ହିଁ ଯଥେଷ୍ଟ ।

ତେବେ ସାମାଜିକ ମୂଲ୍ୟବୋଧର ଅବକ୍ଷୟ ଦିନକୁ ଦିନ ବଢିବାରେ ଲାଗିଥିବାବେଳେ, ବାପା ମାଆ ପ୍ରତି ଆମର ଯେତକି କର୍ତ୍ତବ୍ୟ କରିବା କଥା ଆମେ କଣ କରିପାରୁଛେ? ଏ ପ୍ରଶ୍ନ ଆମେ ନିଜକୁ ନିଜ ପଚାରିବା ଉଚିତ୍ । ତେବେ ଏହି ପରିପେକ୍ଷୀ ଏମିତି ଏକ କାହାଣୀ ଆସି ପହଁଚିଛି ଗୁଣପୁର ଅଞ୍ଚଳରୁ । ଯେଉଁଠି ଦେଖିବାକୁ ମିଳିଛି ଭିନ୍ନ ଏକ ଚିତ୍ର । ବାପାଙ୍କ ଦେହାନ୍ତ ପରେ, ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁଅ ନିଜସ୍ଵ ସଞ୍ଚିତ ଅର୍ଥରେ ବଂଶଧାରା ନଦୀ ତୁଠରେ ଏକ ପକ୍କା ରାସ୍ତା ନିର୍ମାଣ କରି ସଭ୍ୟ ସମାଜ ପାଇଁ ଏକ ଉତ୍ତମ ବାର୍ତା ପ୍ରଦାନ କରିଛନ୍ତି ।

ରାୟଗଡା ଜିଲ୍ଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ୧୨ ନମ୍ବର ୱାର୍ଡ କୁମ୍ଭାର ସାହିରେ ସପରିବାର ସହ ବସବାସ କରନ୍ତି କୋନା ମାର୍କଣ୍ଡ । ପେଷାରେ ଜଣେ ଚିତ୍ର ଶିଳ୍ପୀ ତଥା ମୂର୍ତି କାରିଗର । ପର୍ବ ପର୍ବାଣି ସମୟରେ ବିଭିନ୍ନ ଦେବା ଦେବୀଙ୍କ ମୂର୍ତ୍ତି ନିର୍ମାଣ, ମାର୍ବଲ୍ ଓ ଗ୍ରାନାଇଟ ପଥରରେ ବିଭିନ୍ନ ଖୋଦେଇ କାମ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ୨୦୨୦ ମସିହାରେ କୋନା ମାର୍କଣ୍ଡଙ୍କର ବାପାଙ୍କ ଦେହାନ୍ତ ହୋଇଥିଲା । ବାପାଙ୍କ ଯିବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ । ବାପାଙ୍କ ସ୍ମୃତି ସାଉଁଟିବା ପାଇଁ ଚିତ୍ରଶିଳ୍ପୀ ଜଣକ କିଛି ଏକ ମହତ୍ କାମ କରିବାକୁ ମନ ବଳାଇଥିଲେ । ବଂଶଧାରା ନଦୀ କୂଳ ରାସ୍ତାଟି ଖାଲ ଖମାରେ ଭର୍ତି ହୋଇଥିବାରୁ ନଦୀ ପାଣି ବ୍ୟବହାର କରୁଥିବା ବାସିନ୍ଦାଙ୍କୁ ଅସୁବିଧାର ସମୁଖୀନ ହେବାକୁ ପଡୁଥିଲା । ତେଣୁ ସାଧାରଣ ଜନତାଙ୍କ ହିତକୁ ଦୃଷ୍ଟିରେ ରଖି ଚିତ୍ର ଶିଳ୍ପୀ ଜଣକ ନିଜସ୍ଵ ସଞ୍ଚିତ ଅର୍ଥରେ ବଂଶଧାରା ନଦୀକୂଳରେ ଏକ ପକ୍କା ରାସ୍ତା ନିର୍ମାଣ କରି ଅଞ୍ଚଳରେ ଭିନ୍ନ ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି ସେ ।

ଆର୍ଥିକ କ୍ଷେତ୍ରରେ ସ୍ଵଚ୍ଛଳ ନଥିବା ଯୋଗୁଁ ଚିତ୍ରଶିଳ୍ପୀ ଜଣକ ପର୍ଯ୍ୟାୟ କ୍ରମେ ରାସ୍ତା ନିର୍ମାଣ କରିଥିଲେ । ଚିତ୍ର ଶିଳ୍ପୀ ଜଣକ ପ୍ରଥମ ପର୍ଯ୍ୟାୟରେ ନଦୀ କୂଳରେ ପାହାଚ ନିର୍ମାଣ କରିଥିଲେ । ପରବର୍ତ୍ତୀ ମୁହୂର୍ତରେ ପୁଣି ଅର୍ଥ ସଂଚୟ କରି ସମ୍ପୂର୍ଣ ରାସ୍ତା ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି ସେ । ରାସ୍ତା ନିର୍ମାଣ କରିବା ପାଇଁ ଚିତ୍ର ଶିଳ୍ପୀ ଜଣକ ୩ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରିଥିବାବେଳେ ଏହି ରାସ୍ତା ସମ୍ପୂର୍ଣ୍ଣ କରିବା ପାଇଁ ଦୀର୍ଘ ୫ ବର୍ଷ ଅହରହ ଉଦ୍ୟମ କରିବାକୁ ପଡିଥିଲା ବୋଲି ଚିତ୍ରଶିଳ୍ପୀ କହିଛନ୍ତି ।

ରାସ୍ତା ନିର୍ମାଣ କରି ଚିତ୍ରଶିଳ୍ପୀ ଜଣକ ନିଜର କର୍ତ୍ତବ୍ୟ ସାରି ଦେଇନାହାନ୍ତି , ବରଂ ସମାଜକୁ ସ୍ଵଚ୍ଛତାର ବାର୍ତ୍ତା ମଧ୍ୟ ବାଣ୍ଟିଛନ୍ତି । ନିର୍ମାଣ କରିଥିବା ପକ୍କା ରାସ୍ତାର ରକ୍ଷଣାବେକ୍ଷଣ ମଧ୍ୟ ନିଜେ ମୁଣ୍ଡେଇଛନ୍ତି । ନଦୀ ତୁଠ ରାସ୍ତାକୁ ସ୍ଵଚ୍ଛ ଓ ନିର୍ମଳ ରଖିବା ପାଇଁ ପ୍ରତ୍ୟେକ ଦିନ ସକାଳୁ ରାସ୍ତାରେ ପଡିଥିବା ଅଳିଆ ଆବର୍ଜନାକୁ ସଫା ସୁତାର ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଚିତ୍ରଶିଳ୍ପୀଙ୍କ ମହତପଣିଆକୁ ଅଞ୍ଚଳବାସୀ ବେଶ ପ୍ରସଂଶା କରୁଥିବା ବେଳେ, ନଦୀ କୂଳରେ ରାସ୍ତା ନିର୍ମାଣ କରିବା ଭଳି ଏକ ମହତ କାମକୁ ନେଇ ବେଶ ସାଧୁବାଦ ଜ୍ଞାପନ କରିଛନ୍ତି ସ୍ଥାନୀୟ ଅଞ୍ଚଳର ବାସିନ୍ଦା ।

ବାପା ଯେତେ ଦୂରେ ଥିଲେ ବି, ପାଖରେ ଥିବାର ଆଭାସ ଦେଇଥାନ୍ତି ସବୁଦିନ । ଯାହାକୁ ଅନୁଭବ କରି ବାପାଙ୍କ ସ୍ମୃତିକୁ ସାରା ଜୀବନ ପାଇଁ ସାଉଁଟି ରଖିବା ଉଦ୍ଦେଶ୍ୟରେ ଏଭଳି ଏକ ଉଚ୍ଚକୋଟୀର କାମ କରି ଦେଖାଇଛନ୍ତି କୋନା ମାର୍କଣ୍ଡ । ଯାହା ଏ ସଭ୍ୟ ସମାଜ ପାଇଁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ।

ଆହୁରି ପଢନ୍ତୁ: ଏତେ ଅବିବେକି ଏ ମଣିଷ, ଆଖି ଥାଇ ଯେମିତି କିଛି ଦେଖି ପାରୁନି…