ଜମିବାଡ଼ି ବିବାଦକୁ ନେଇ ବାପା ସହ ଥିଲା ପୂର୍ବ ଶତ୍ରୁତା, ଜୀବନ ଗଲା ପୁଅର

ବଲାଙ୍ଗିର: ଗତ ୨୪ ତାରିଖ ଘଟଣା । ପୁଅ ନିଜ କାମ ପାଇଁ ବାହାରକୁ ଯାଇଥିଲା । ବଢ଼େଇ କାମ କରୁଥିବାରୁ ଜଙ୍ଗଲକୁ ଯାଇଥିଲେ କାଠ ପଟା ଆଣିବାକୁ । ହେଲେ ଆଉ ଘରକୁ ଆସି ନଥିଲା ପୁଅ । ଯାହାପରେ ଘର ଲୋକେ ଚିନ୍ତିତ ହୋଇ ପୁଅକୁ ବହୁତ ଖୋଜା ଖୋଜି କରିଥିଲେ । କିନ୍ତୁ ଯେତେ ଖୋଜିଲା ପରେ ବି ପୁଅର ପତ୍ତା ମିଳିନଥିଲା । ହେଲେ ଯେତେବେଳେ ପାଇଲେ ପୁଅର ଦେହରେ ଆଉ ଜୀବନ ନଥିଲା । ଯାହାପରେ ଘର ଲୋକ ଜାଣିଥିଲେ ତାଙ୍କ ପୁଅର ହତ୍ୟା କରାଯାଇଛି ।
ବଲାଙ୍ଗିର ଜିଲ୍ଲା ସଦର ଥାନା ଡିମ୍ୱେର ଝରନ ଗାଁ ନିକଟ ଜଙ୍ଗଲରେ ଘଟିଛି ଏଭଳି ଭୟଙ୍କର ହତ୍ୟାକାଣ୍ଡ । ଜଙ୍ଗଲ ଭିତରେ ବିଭତ୍ସ ହତ୍ୟା । ଜମିବାଡ଼ି ବିବାଦ ଯୋଗୁଁ ପଥରରେ ପିଟି ପିଟି ହତ୍ୟା । ଆଉ ହତ୍ୟା କରିବା ପରେ ଜଙ୍ଗଲରେ ମୃତଦେହକୁ ଫିଙ୍ଗି ଫେରାର ହୋଇଯାଇଥିଲା ଅଭି୍ଯୁକ୍ତ । ମୃତକ ଜଣକ ହେଲେ ଶତ୍ରୁଘ୍ନ ପଟେଲ । ତେବେ ଅନେକ ବର୍ଷ ହେବ ଶତ୍ରୁଘ୍ନଙ୍କ ବାପାଙ୍କ ସହିତ ଅଭିଯୁକ୍ତର ଜମିବାଡ଼ି ବିବାଦ ଲାଗିରହିଥିଲା । ଯାହାକୁ ନେଇ ଉଭୟ ପରିବାର ଭିତରେ ସବୁବେଳେ ଝଗଡା ଲାଗିରହେ ।
ତେବେ ୨୪ ତାରିଖ ଦିନ ଥରେ ନୁହଁ ଦୁଇ ଦୁଇ ଥର ମୁହାଁମୁହିଁ ହୋଇଥିଲେ ଅଭିଯୁକ୍ତ ଗୌତମ ନାଏକ ଓ ମୃତକ ଶତ୍ରୁଘ୍ନ ପଟେଲ । ଆଉ ଅଭିଯୁକ୍ତ ଗୌତମ ଶେଷରେ ଶତ୍ରୁଘ୍ନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା ମର୍ଡର ପ୍ଲଟ । ତେବେ ପଟେଲ ଓ ନାଏକ ପରିବାରର ବିବାଦ ଆଜିର ନୁହେଁ । ୨୦୧୭ ମସିହାରୁ ଉଭୟ ପରିବାର ମଧ୍ୟରେ ଲାଗି ରହିଥିଲା ଏହି ବିବାଦ । ଏପରି କି ଏବେ ବି ମାମଲା କୋର୍ଟରେ ବିଚାରଧୀନ ରହିଛି । ଏହାରି ଭିତରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ ।
ତେବେ ପୋଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ଯାହାପରେ ଅଭିଯୁକ୍ତ ସ୍ୱୀକାର କରିଥିଲା । ହେଲେ ମୃତକଙ୍କ ପରିବାର ଲୋକେ କହିଛନ୍ତି ଏହା ଜଣେ ଅଭିଯୁକ୍ତର କାମ ନୁହଁ ଏବଂ ୫ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ଏହି ଘଟଣାର ତଦନ୍ତ ହେଉ । ଅପର ପକ୍ଷେ ହତ୍ୟାକାଣ୍ଡର ରହସ୍ୟ ଖୋଲିଛି ବଲାଙ୍ଗିର ସଦର ପୋଲିସ । ବଲାଙ୍ଗିର ଅତିରିକ୍ତ ଏସ.ପି କହିଛନ୍ତି ଜଣେ ଅଭିଯୁକ୍ତକୁ ଗିରଫ କରିବା ସହିତ ପୋଲିସ ଏବେ ବି ଘଟଣାର ତଦନ୍ତ ଜାରୀ ରଖିଛି ।
Also read: କାମ କରୁଥିବା ବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ, କ୍ଷତିପୂରଣ ଦାବି ନେଇ ତାତିଲେ ଲୋକେ