ମହେଶ୍ଵର ଓ ରୁକ୍ମଣୀଙ୍କ ନିଆରା ପ୍ରେମ କାହାଣୀ, ସମାଜ ପାଇଁ ଉଦାହରଣ

ପ୍ରେମ କେଉଁଠି, କେମିତି, କାହା ସହିତ ହୋଇଯାଏ  ସେ ବିଷୟରେ କେହି କହିପାରିବେ ନାହିଁ  । ଆଉ ଏମିତିରେ କହିବାକୁ ଗଲେ ପ୍ରେମ ତ ଅନ୍ଧ।  ପ୍ରେମ ସାମ୍ନାରେ ବୟସ, ଜାତି, ଧର୍ମ, ବର୍ଣ୍ଣ,ଅକ୍ଷମତା  କିଛି ବି ମାନେ ରଖେନାହିଁ  । ଏମିତି ହିଁ ଏକ ପ୍ରେମ କାହାଣୀ ଏବେ ନଜରକୁ ଆସିଛି  । 

ସୋର(କେନ୍ୟୁଜ): ପ୍ରେମ କେଉଁଠି, କେମିତି, କାହା ସହିତ ହୋଇଯାଏ  ସେ ବିଷୟରେ କେହି କହିପାରିବେ ନାହିଁ  । ଆଉ ଏମିତିରେ କହିବାକୁ ଗଲେ ପ୍ରେମ ତ ଅନ୍ଧ।  ପ୍ରେମ ସାମ୍ନାରେ ବୟସ, ଜାତି, ଧର୍ମ, ବର୍ଣ୍ଣ,ଅକ୍ଷମତା  କିଛି ବି ମାନେ ରଖେନାହିଁ  । ଏମିତି ହିଁ ଏକ ପ୍ରେମ କାହାଣୀ ଏବେ ନଜରକୁ ଆସିଛି  ।

ଜଣେ ଦିବ୍ୟାଙ୍ଗ ପ୍ରେମିକାଙ୍କ ପାଇଁ ନିଜ ପରିବାର ସହ ଲଢି ଶେଷରେ ତାଙ୍କୁ ଧର୍ମପତ୍ନୀ କରିଛନ୍ତି ଏହି ଯୁବକ ଜଣକ। ଆଜିର ଯୁବପିଢି ପ୍ରମର ପରିଭାଷାକୁ ଭିନ୍ନ ନଜରରେ ଦେଖୁଥିବା ବେଳେ ରୁକ୍ମଣୀ ଓ ମହେଶ୍ଵରଙ୍କ ପାଇଁ ଏହାର ମାନେ ଭିନ୍ନ । ନିଜ ଆଖିରେ ନ କରିପାରିଲେ ବିଶ୍ୱାସ କରିହେବନାହିଁ । ସତରେ ପ୍ରେମ ପବିତ୍ର ଶାଶ୍ୱତ ଓ ଚିରନ୍ତନ । ପ୍ରେମ ମାନେନା ବାଧା କି ବନ୍ଧନ । ତେବେ ନିଜ ବାକ୍ ଶକ୍ତି ହରାଇଥିବା ଏହି ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ କରି ସମାଜ ପାଇଁ ପ୍ରେରଣା ସାଜିଛନ୍ତି ମହେଶ୍ୱର ।

ମନ୍ଦିରରେ ସମ୍ପନ୍ନ ହୋଇଛି ବାହାଘର । ଉପସ୍ଥିତ ଥିଲେ ବନ୍ଧୁ ବାନ୍ଧବ । ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବ୍ରାହ୍ମଣଙ୍କ ମନ୍ତ୍ର ପାଠ, ସାଙ୍ଗକୁ ହୋମ ନିଆଁକୁ ସାକ୍ଷି ରଖି ଉଭୟ ସାତ ଜନ୍ମପାଇଁ ଜୀବନ ସାଥୀ ରୂପେ ବାନ୍ଧି ହୋଇଥିଲେ ।

ତେବେ ସୂଚନା ଥାଉକି, ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ କସବାଜୟପୁର ପଞ୍ଚାୟତ ଜିରିତାଳ ଗ୍ରାମର ବୁଦ୍ଧିଆ ମଲ୍ଲିକଙ୍କ ପୁଅ ମହେଶ୍ଵର (୨୧) । ମହେଶ୍ଵର ନିଜ ସମ୍ପର୍କୀୟ ଘରକୁ ଯାତାୟାତ ସମୟରେ କୋଚିଆକୋଇଲି ଗ୍ରାମର ବାବୁ ମଳିକଙ୍କ ଝିଅ ରୁକ୍ମଣୀଙ୍କ ସହିତ ତାଙ୍କର ଗଢି ଉଠିଲା ପ୍ରେମ ସମ୍ପର୍କ । ରୁକ୍ମଣୀ ଜନ୍ମରୁ ବାକ୍ ଶକ୍ତି  ହରାଇଥିବା ବେଳେ ଦିବ୍ୟାଙ୍ଗ ଅଟନ୍ତି । ରୁକ୍ମଣୀ କଥା କହିପାରୁନଥିବା ଜାଣି ସୁଦ୍ଧା ମହେଶ୍ଵର ରୁକ୍ମଣୀଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିବାକୁ ମନସ୍ଥ କରିଥିଲେ । ପରେ ଉଭୟ ପ୍ରେମୀ ଯୁଗଳ ଠାରରେ ଠାରରେ ପ୍ରେମର ଭାଷାକୁ ପରିପ୍ରକାଶ କରିବାକୁ ଲାଗିଲେ ।

ମହେଶ୍ଵର ଡିପ୍ଲୋମା ପାସ କରିବା କରେ ଚେନ୍ନାଇରେ କାମ କରୁଛନ୍ତି । ମହେଶ୍ଵରଙ୍କ ପରିବାର ରୁକ୍ମଣୀ ଭିନ୍ନକ୍ଷମ ଥିବାରୁ ପ୍ରଥମେ ଏହି ବିବାହ ପ୍ରସ୍ତାବରେ ରାଜି ହୋଇ ନ ଥିଲେ । ପରେ ନିଜ ଅନାବିଳ ପ୍ରେମକୁ ଚିର ଶାଶ୍ଵତ କରିବା ପାଇଁ ଉଭୟ ବିବାହ ପାଇଁ ଜିଦ୍ ଧରିଥିଲେ । ଶେଷରେ ଉଭୟ ପରିବାର ମହେଶ୍ଵର ଏବଂ ରୁକ୍ମଣୀଙ୍କ ପ୍ରେମକୁ ସ୍ବୀକୃତ ଦେଇଥିଲେ ।

ବର ବେଶରେ ସାଜି ନିଜର ବରଯାତ୍ରୀ ସହ ମହେଶ୍ଵର ବାହାନଗା ବଡ଼ଗାଁ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ପହଞ୍ଚିଥିଲେ । କନ୍ୟା ବେଶରେ ସଜେଇ ହୋଇ ନିଜ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସହ ରୁକ୍ମଣୀ ମଧ୍ୟ ପହଞ୍ଚି ଥିଲେ । ଉଭୟଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ତେବେ ଆଜିକାଲି ମଣିଷ ସମାଜରେ ପ୍ରେମରେ ଅନେକ ପ୍ରତାରଣା ହେଉଥିବାବେଳେ ମହେଶ୍ଵର ଓ ରୁକ୍ମଣୀଙ୍କ ପ୍ରେମ କାହାଣୀ ସମାଜ ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛି ।