ଘାଟିକିଆ ଦୁର୍ଘଟଣାର ପରିଣତି, ପତ୍ନୀକୁ ପର କରି ଦେଇ ଆରପାରିକୁ ଚାଲିଗଲେ ସୌମ୍ୟ ରଞ୍ଜନ

ରାଜଧାନୀରେ ଆଜି ସକାଳୁ ସକାଳୁ ଘଟିଲା ଅଘଟଣ । କୌଣସି ଏକ ଇଞ୍ଜିନିୟରିଂ ସ୍କୁଲ ବସ୍ ଧକ୍କା ଦେଲା ଜଣେ ଯୁବକଙ୍କୁ । ଆଉ ସେଇଠି ଚାଲିଗଲା ତାଙ୍କ ଜୀବନ । କେଇଟା ଦିନ ତଳେ ବାହା ହୋଇଥିଲେ । ଏବେ ପତ୍ନୀ ମଥାରୁ ଲିଭିଗଲା ସିନ୍ଦୂର । ଅନ୍ୟ ଦିନମାନଙ୍କ ଭଳି ସକାଳୁ ନିତ୍ୟକର୍ମ ସାରି ଘରୁ ଦୋକାନ ଅଭିମୁଖେ ବାହାରି ଯାଇଥିଲେ ସୌମ୍ୟ ରଞ୍ଜନ ସାହୁ l ଘରେ ସ୍ତ୍ରୀଙ୍କୁ କହି ଆସିଥିଲେ କଣ ଖାଇବେ l ବେଶ ହସ ଖୁସିରେ ଘରୁ ଗାଡି ଧରି ବାହାରି ଆସିଲେ କିନ୍ତୁ ଜାଣି ନଥିଲେ ଘର ଲୋକ ଏବଂ ସ୍ତ୍ରୀ ସହିତ ଇଏ ଥିଲା ଶେଷ ଦେଖା ଏ ହସ ଟିକିଏ ଥିଲା ପରିବାର ପାଇଁ ଶେଷ ହସ l ଆଉ ସେ ମରଣଟା ସତେ ଯେମିତି ବସ୍ ଭିତରେ ଜଗି ବସିଥିଲା l ହଠାତ ଆସି ନିମିଷକେ ନେଇଗଲା ସୌମ୍ୟଙ୍କ ଜୀବନ l ଭୁବନେଶ୍ବର ଘାଟିକିଆ ଠାରେ ଘଟିଛି ଏଇ ଦୁଃଖଦ ଘଟଣା । ଯାହାକୁ ନେଇ ଅନେକ ସମୟ ଧରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।

ଆଜିକାଲି ସଡ଼କ ଦୁର୍ଘଟଣା ସତେ ଯେମିତି ପଣ କରିଛି ବାପା ମା ଠାରୁ ଭେଣ୍ଡିଆ ପୁଅକୁ ଭଉଣୀ ଠାରୁ ଭାଇକି ଛଡେଇ ନେବାକୁ ସଂକଳ୍ପ ବଧ l ଆଜି ସକାଳ ସମୟରେ ରାଜଧାନୀରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୩୩ ବର୍ଷୀୟ ଯୁବକ ସୌମ୍ୟ ରଞ୍ଜନ ସାହୁ l ଆଜି ସକାଳ ପ୍ରାୟ ୮ଟା ସମୟରେ ଭୁବନେଶ୍ବର ନୂଆ ଗାଁ ଛକରେ ଏହି ଅଘଟଣ ଘଟିଛି । ମୃତ ଯୁବକ ଜଣକ ପାଇକରାୟପୁର ଅଞ୍ଚଳରେ ରହୁଥିବା ସୌମ୍ୟ ରଞ୍ଜନ ସାହୁ ବୋଲି ଜାଣିବାକୁ ମିଳିଛି। ସକାଳ ସମୟରେ ସେ ବାଇକ୍ ଯୋଗେ ସବୁଦିନ ଭଳି ଆଜି ଗ୍ରୋସରୀ ଦୋକାନକୁ ଯାଉଥିବା ସମୟରେ ଏକ ଦ୍ରୁତଗାମୀ ଘରୋଇ ବସ ସୌମ୍ୟଙ୍କ ବାଇକକୁ ପଛରୁ ଆସି ଧକ୍କା ଦେଇଥିଲା। ସୌମ୍ୟ ବସ୍ ତଳେ ପଡିଯାଇଥିଲେ । ଆଉ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ବସ ଗୋଟିଏ ଘରୋଇ କଲେଜର ହୋଇଥିବା ଜଣା ପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା l ଅନେକ ସମୟ ଯାଏ ମୃତ ଶରୀର ଘଟଣା ସ୍ଥଳରେ ପଡ଼ି ରହିଥିଲା l ସ୍ଥାନୀୟ ଲୋକେ ଓ ପରିବାର ବର୍ଗ କ୍ଷତି ପୂରଣ ଦାବି କରିଥିଲେ l ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇ ରହିଥିଲା । ଖବର ପାଇ ଭରତପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସ୍ ଡ୍ରାଇଭରକୁ ଅଟକ ରଖିବା ସହ ବସକୁ ଜବତ କରିଥିଲେ। ସେପଟେ ମୃତ ବ୍ୟକ୍ତିଙ୍କ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ସହ ଚାକିରି ପ୍ରଦାନ କରିବାକୁ ଘରୋଇ କଲେଜ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଅନ୍ୟପଟେ ଦୁର୍ଘଟଣା କେଉଁ କାରଣରୁ ଘଟିଲା ତାହାକୁ ନେଇ ତଦନ୍ତ କରୁଛି ଭରତପୁର ଥାନା ପୋଲିସ।

Also Read :ମହାକାଶରୁ ଫେରିବେ ସୁନୀତା ୱିଲିୟମ୍ସ, ଫ୍ଲୋରିଡା କୋଷ୍ଟରେ ଅବତରଣ କରିବ ସ୍ପେସ୍ କ୍ରାଫ୍ଟ