ଯାଜପୁର ଟାଉନ୍(କେନ୍ୟୁଜ୍): ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ଆଜିକାଲି ଅନେକ ପ୍ରତିଭା ଛୋଟ ବେଳୁ ନିଜର ଅର୍ନ୍ତନିହିତ ଗୁଣକୁ ପରିପ୍ରକାଶ କରି ଲୋକଲୋଚନକୁ ଆସୁଛନ୍ତି । କିଏ ନିଜ ନାଚ ମାଧ୍ଯମରେ ତ କିଏ ଗୀତ , ଆଉ କିଏ ଚିତ୍ରକଳା ମାଧ୍ଯମରେ । ତେବେ ବିଜ୍ଞାନ ଶିକ୍ଷା ପ୍ରତି ଛାତ୍ର ଛାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି କେନ୍ଦ୍ର ସରକାର ଓ ନିତି ଆୟୋଗଙ୍କ ଦ୍ୱାରା ପ୍ରତିଷ୍ଠିତ ଅଟଳ ଟିଙ୍କରିଂ ଲ୍ୟାବ୍ ବିଭିନ୍ନ ସ୍କୁଲ ମାନଙ୍କରେ ପ୍ରତିଷ୍ଠା ହୋଇଛି। ବଳକା ଓ ବର୍ଜ୍ୟବସ୍ତୁକୁ ନେଇ କିଭଳି ନୂତନ ସାମଗ୍ରୀ ତିଆରି ବା ଉଦ୍ଭାବନ ହୋଇପାରିବ ଏହା ଏହି ଲ୍ୟାବର ପ୍ରମୁଖ ଉଦେଶ୍ୟ । ଏଭଳି ଉଦେଶ୍ୟକୁ ପୁରଣ କରି ପାରିଛନ୍ତି ଯାଜପୁର ପ୍ରହହ୍ଲାଦ ଚନ୍ଦ୍ର ବ୍ରହ୍ମଚାରି ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରିୟବ୍ରତ ସାହୁ । ଦୃଷ୍ଟିହୀନ ଓ ବଧୀର ମାନଙ୍କ ପାଇଁ ତିଆରି କରିଛନ୍ତି ଏପରି ଏକ ଚଷମା,ଯାହାକି ସେମାନଙ୍କ ପାଇଁ ଏକ ବରଦାନ ସାବ୍ୟସ୍ତ ହୋଇପାରିବ ।
ଯଦିଓ ଏହି ଚଷମା ମାଧ୍ୟମରେ ଦେଖି ହେବ ନାହିଁ କିନ୍ତୁ ସମ୍ଭାବ୍ୟ ବିପଦକୁ ଟାଳି ହେବ । ପ୍ରିୟବ୍ରତ ନିଜ ବିଦ୍ୟାଳୟରେ ଥିବା ଅଟଳ ଟିଙ୍କରିଂ ଲ୍ୟାବରେ ଏହି ଚଷମା ନିର୍ମାଣ କରିଛନ୍ତି । ଆଉ ତାଙ୍କୁ ସଂପୁର୍ଣ୍ଣ ସହଯୋଗ କରିଛନ୍ତି ତାଙ୍କ ବିଜ୍ଞାନ ଶିକ୍ଷକ ତୁଷାର କାନ୍ତି ମିଶ୍ର । ଏହି ଚଷମା ଦୃଷ୍ଟିହୀନ ମାନେ ପିନ୍ଧିଲେ ଆଗକୁ କୌଣସି ବିପଦ ଥିଲେ ୧୦୦ ସେଂଟିମିଟର ଦୂରରୁ ଏହା ସଂକେତ ଦେବ । ଆଗରେ କୌଣସି ଜିନିଷ ରହିଥିଲେ ଏହା ବଜର ମାଧ୍ୟମରେ ଦୃଷ୍ଟିହୀନ ମାନେ ଜାଣିପାରିବେ । ସେହିପରି ଏହାକୁ ବଧୀର ମାନେ ମଧ୍ୟ ବ୍ୟବହାର କରିପାରିବେ । ବଧୀର ମାନଙ୍କ କ୍ଷେତ୍ରରେ ଏହି ଚଷମା ଭାଇବ୍ରେଟ୍ କରିବ ଏବଂ ବଧୀର ମାନଙ୍କୁ ବିପଦ ସପଂର୍କରେ ସତର୍କ କରିବ ।
ପିଲାଟି ଦିନରୁ ପ୍ରିୟବ୍ରତଙ୍କର ରହିଥିଲା ବିଜ୍ଞାନ ପ୍ରତି ଅହେତୁକ ଦୁର୍ବଳତା । ନିଜ ଗାଁରେ ଦୃଷ୍ଟିହୀନଙ୍କ ଦୁର୍ଦ୍ଧଶା ଦେଖିବା ପରେ ସେମାନଙ୍କ ପାଇଁ କିଛି କରିବାର ନିଷ୍ପତି ନେଇଥିଲେ ପ୍ରିୟବ୍ରତ । ନିଜ ବିଦ୍ୟାଳୟରେ ଖୋଲାଯାଇଥିବା ଅଟଳ ଟିଙ୍କରିଂ ଲ୍ୟାବ ସହାୟତାରେ ଏହି ଚଷମାକୁ ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି ପ୍ରିୟବ୍ରତ । ପ୍ରିୟବ୍ରତଙ୍କ ଏଭଳି ସପଂଳତା ନେଇ ନିଜ ସହପାଠୀ ଠାରୁ ଆରମ୍ଭ କରି ପ୍ରଧାନ ଶିକ୍ଷକ ବେଶ ଖୁସି । ଅଧିକ ଗବେଷଣା ପାଇଁ ପ୍ରିୟବ୍ରତଙ୍କୁ ସୁଯୋଗ ମଳିଲେ ସେ ନୂଆ ନୂଆ ଜିନିଷ ନିର୍ମାଣ କରିପାରିବେ । ଛାତ୍ର ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ନିର୍ମାଣ ହୋଇଥିବା ଏହି ଅଟଳ ଟିଙ୍କରି ଲ୍ୟାବ ବେଶ ଲାଭଦାୟକ ହୋଇପାରିଛି । ପ୍ରିୟବ୍ରତଙ୍କ ଏଭଳି ଉଦ୍ଭାବନ ଅନ୍ୟ ଛାତ୍ର ଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।
ଯାଜପୁର ଟାଉନ୍ ରୁ ଦେବାଶିଷ ସାହୁ, କେନ୍ୟୁଜ୍