ଗାଁ ଦାଣ୍ଡରେ ହରି ନାମ ଭଜି ଭକ୍ତିମୟ ପରିବେଶ ସୃଷ୍ଟି କଲେ ମହିଳା, ଦେଖନ୍ତୁ ଏକ ନିଆରା ୧୬ ପ୍ରହରୀ

ଭଜନ, କୀର୍ତ୍ତନ ସାଙ୍ଗକୁ ପାରାୟଣର ଧୁନ୍। ଗାୟକଙ୍କ ସ୍ୱରରେ ସ୍ୱର ମିଶାଇ ହରିନାମ ଗାୟନ କରୁଛନ୍ତି ଅନେକ ଭକ୍ତ। ହରିବୋଲ ହୁଳହୁଳିରେ ଫାଟି ପଡୁଛି ପୂରା ପରିବେଶ । କେବଳ ପୁରୁଷ ନୁହେଁ, ମହିଳା ମଣ୍ଡଳୀ ମଧ୍ୟ ହାତରେ ଗିନି ଧରି ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ଜପ କରୁଛନ୍ତି। କୁନି କୁନି ପିଲାମାନେ ରାଧା କୃଷ୍ଣ ବେଶ ହୋଇ ଗୋପପୁର ଭଳି ଭାବମୟ ପରିବେଶ ସୃଷ୍ଟି କରିଛନ୍ତି। ଗାଁର ସବୁ ଲୋକ ଏକତ୍ରିତ ହୋଇ ହରିନାମରେ ହୋଇଛନ୍ତି ମସଗୁଲ। କେବଳ ଗାଁ ଲୋକେ ନୁହେଁ, ଆଖପାଖ ଗାଁର ହଜାର ହଜାର ଲୋକ ବି ସାମିଲ ହୋଇଛନ୍ତି ଏହି କାର୍ଯ୍ଯକ୍ରମରେ। ଏଭଳି ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରଠାରେ।

ଏଠାରେ ଅନୁଷ୍ଠିତ ହୋଇଛି ୧୬ ପ୍ରହରୀ । ୩ ଦିନ ଧରି ଚାଲିଥିବା ଏହି ୧୬ ପ୍ରହରୀର ପ୍ରଥମ ଦିନରେ କଳସ ଯାତ୍ରା କରି କଳସ ସ୍ଥାପନ ହୋଇଥିଲା। ବିଭିନ୍ନ ସଂକୀର୍ତ୍ତନମଣ୍ତଳୀ ଦ୍ୱାରା ନାମ ସଂକୀର୍ତ୍ତନ, ହୋମ ଯଜ୍ଞ ଓ ନଗର ପରିକ୍ରମା ହୋଇଥିଲା। ପରେ ଦହିହାଣ୍ଡି ଭାଙ୍ଗିବା ସହିତ ପୂର୍ଣ୍ଣାହୂତି ଦିଆଯାଇଛି। ଏ ଅବସରରେ ଭକ୍ତଙ୍କ ପାଇଁ ପ୍ରସାଦ ବିତରଣ ବ୍ୟବସ୍ଥା କରାଯାଇଥିଲା। ତେବେ ତିନିଦିନ ଧରି ଚାଲିଥିବା ଏହି ସଂକୀର୍ତ୍ତନ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ମଣ୍ଡପ ନିକଟରେ ବହୁ ଭକ୍ତଙ୍କ ସମାଗମ ହେବା ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଲାଗୁଥିଲା ସତେ ଯେମିତି ଏକାକାର ହୋଇପଡ଼ିଛନ୍ତି ଭକ୍ତ ଓ ଭଗବାନ।

      – ଘଟଗାଁରୁ ଭବାନୀ ମହନ୍ତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.