ସୌଖୀନ କୁକୁଡ଼ା ଚାଷରେ ସଫଳ ପିପିଳିଆ ଗାଁର ପ୍ରେମାନନ୍ଦ, ଦାମ୍‌ ଜାଣିଲେ ଚକିତ ହେବେ

ପେସାରେ ସେ ଜଣେ ସରକାରୀ ଚାକିରିଆ କିନ୍ତୁ ନିଶା ତାଙ୍କର ସୌଖୀନ କୁକୁଡା ପାଳନ । ତାହା ପୁଣି ୫ଶହ କି ହଜାରେ ନୁହେଁ ଗୋଟିଏ ଗୋଟିଏ କୁକୁଡ଼ାର ମୂଲ୍ୟ ୨୦ରୁ ୩୫ ହଜାର ଟଙ୍କା । ଏଭଳି ଜଣେ ସୌଖୀନ କୁକୁଡ଼ା ଚାଷୀ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଗ୍ରାମର ପ୍ରେମାନନ୍ଦ ମହାନ୍ତ । ନିଜର ସଉକ ପୂରଣ କରିବା ସହ ବାହାର ରାଜ୍ୟରୁ ବିଭିନ୍ନ ପ୍ରଜାତିର କୁକୁଡା ଆଣି ପାଳନ କରୁଛନ୍ତି ।

IMAGE-2

କୁକୁଡ଼ା ବିକ୍ରିରୁ ଭଲ ରୋଜଗାର ମଧ୍ୟ କରି ପାରୁଛନ୍ତି । ପ୍ରେମାନନ୍ଦ ଜଣେ ସରକାରୀ କର୍ମଚାରୀ । କୁକୁଡା ପାଳନ କରିବାକୁ ପିଲା ବେଳୁ ତାଙ୍କର ରୁଚି ରହି ଆସିଛି । ସେତେବେଳେ ସେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ହାଜରୀ କୁକୁଡା ପାଳନ କରୁଥିଲେ । ତେବେ ସମୟ ସହିତ ତାଳ ଦେଇ ଏବେ ବିଭିନ୍ନ ପ୍ରଜାତିର କୁକୁଡା ଭିନ୍ନ ଭିନ୍ନ ରାଜ୍ୟରୁ ଆଣି ସେଗୁଡିକୁ ଘରେ ଛୋଟ ଅବସ୍ଥାରୁ ପାଳନ କରିଥାନ୍ତି ।

IMAGE-3

ତାମିଲନାଡୁ ଓ ମହାରାଷ୍ଟ୍ର ଭଳି ବାହାର ରାଜ୍ୟରୁ କ୍ରିଷ୍ମାମାଚାରୀ, ବାଲାଜୀ ବ୍ରିଡ, ସୁଲତାନ ବ୍ରିଡ, ପେରିକଟ ମୁର୍ଗାନ ବ୍ରିଡ ଓ ରାମପୁର ହଜାରୀ ଆଦି ପ୍ରଜାତିର ଛୋଟବଡ ୬୦ରୁ ଊର୍ଦ୍ଧ୍ୱ କୁକୁଡ଼ା ପାଳିଛନ୍ତି । ଏହି କୁକୁଡା ଗୁଡିକର ମୂଲ୍ୟ ୫ହଜାରରୁ ଆରମ୍ଭ କରି ୩୦ ରୁ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ । ପ୍ରଥମ ନିଜର ସଉକ ପାଇଁ ଅଳ୍ପ କୁକୁଡା ଆଣିଥିବା ବେଳେ ପରେ ଏହା ବୃଦ୍ଧି ହୋଇ ଆଉ ଏକ ରୋଜଗାରର ବାଟ ଫିଟାଇଛି ।

IMAGE-4ସେ ସରକାରୀ ଚାକିରିଆ ହୋଇଥିବାରୁ କୁକୁଡାଙ୍କ ଯତ୍ନ ପାଇଁ ସମୟ ଦେଇ ପାରନ୍ତି ନାହିଁ । ତାଙ୍କୁ ଏଥିରେ ତାଙ୍କ ପତ୍ନୀ ସାହାଯ୍ୟ କରିଥାନ୍ତି । ସକାଳୁ ସନ୍ଧ୍ୟା ଯାଏ କୁକୁଡ଼ାଙ୍କୁ ଦାନା ଦେବା ସହ ସଠିକ ଭାବେ ସେମାନଙ୍କ ଦେଖାଶୁଣା କରିଥାନ୍ତି । ଓଡିଶାରେ ଏଭଳି କୁକୁଡା ଚାଷ ଖୁବ କମ ଦେଖିବାକୁ ମିଳିଥାଏ । କୁକୁଡ଼ାଗୁଡ଼ିକର ମୂଲ୍ୟ ଅଧିକ ହୋଇଥିବାରୁ ସ୍ଥାନୀୟ ଅଂଚଳରେ ଏହାର ବିଶେଷ ଚାହିଦା ନାହିଁ । ଏଥିପାଇଁ ବାହାର ଅଂଚଳର ଗ୍ରାହକଙ୍କ ଉପରେ ନିର୍ଭର କରିବାକୁ ପଡିଥାଏ । ତଥାପି ପ୍ରେମାନନ୍ଦ ବାର୍ଷିକ ପ୍ରାୟ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରି ପାରୁଛନ୍ତି ଏଇ କୁକୁଡ଼ା ଚାଷରୁ।

କେନ୍ଦୁଝର ଘଟଗାଁରୁ ଭବାନୀ ପ୍ରସାଦ ମହାନ୍ତଙ୍କ ରିପୋର୍ଟ, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.