ସ୍ପ୍ରିଙ୍ଗ୍‌ ଗାର୍ଲ ପ୍ରିୟା, ମାତ୍ର ୩ ବର୍ଷରୁ ହିଁ ଶରୀରକୁ ମୋଡ଼ିମାଡ଼ି କରିପାରୁଛନ୍ତି କଷ୍ଟସାଧ୍ୟ ଯୋଗାସନ

ପ୍ରିୟା ନାୟକ, ବୟସ ମାତ୍ର ୩ ବର୍ଷ। ଏହି ବୟସରେ ପିଲାମାନେ ସାଙ୍ଗସାଥୀଙ୍କ ସହ ଖେଳି ବୁଲି ସମୟ କାଟୁଥିବା ବେଳେ ପ୍ରିୟା କିନ୍ତୁ ଯୋଗ କରିବାରେ ସିଦ୍ଧହସ୍ତା। ସେ ପିଲାବେଳୁ ଯୋଗ କରି କରି ଶରୀରକୁ ଏକ ସ୍ପ୍ରିଙ୍ଗ୍‌ ଭଳି କରିସାରିଲେଣି। ବିଭିନ୍ନ କଠିନ ଯୋଗକୁ ବି ଅତି ଆରାମରେ କରିପାରୁଛନ୍ତି। ଏମିତି କୌଣସି ଯୋଗାସନ ନାହିଁ ଯାହାକୁ ପ୍ରିୟା କରିପାରୁନାହାନ୍ତି। ପୂର୍ଣ୍ଣ ଚକ୍ରାସାନ, ଉଧାରସନ, ସୂର୍ଯ୍ୟ ନମସ୍କାର, ହଳାସାନ, ଚକ୍ରାସାନ ଭଳି କଷ୍ଟସାଧ୍ୟ ଯୋଗ ଯେମିତି ତାଙ୍କ ବାମ ହାତର ଖେଳ। ଅତି ସହଜରେ ଶରୀରକୁ ପଛକୁ ମୋଡ଼ି ସେ ସବୁକୁ କରିପାରୁଛନ୍ତି। ନିଜ ଶରୀରକୁ ନିଜ ଇଚ୍ଛା ମୁତାବକ ବୁଲେଇ ବଙ୍କେଇ ଯୋଗାସନ କରୁଥିବାରୁ ପ୍ରିୟାଙ୍କୁ ଏବେ ସମସ୍ତେ ସ୍ପ୍ରିଙ୍ଗ୍‌ ଗାର୍ଲ ବୋଲି ଡାକୁଛନ୍ତି।

ଯୋଗାସନ କରି ସର୍ବ କନିଷ୍ଠ ପ୍ରତିଯୋଗୀ ଭାବେ ଇଣ୍ଡିଆ ରେକର୍ଡ ଓ ଏସିଆ ରେକର୍ଡ ହାସଲ କରିଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ସୁନାଖଳାର ମଥୁରାପୁର ସାହିର ବିଜୟ ନାୟକଙ୍କ କୁନି ଝିଅ ପ୍ରିୟା। କେବଳ ଏତିକି ନୁହେଁ, ଆହୁରି ଏମିତି ଅନେକ ରେକର୍ଡ ବି ପିଲାଦିନରୁ ଭାଙ୍ଗି ସାରିଲେଣି। ବାପାଙ୍କ ଯୋଗୁ ପ୍ରିୟା ଆଜି ଏତେ ଆଗକୁ ଆସିପାରିଥିବା କହିଛନ୍ତି। ଆର୍ଥିକ ଅନଟନ ସତ୍ତ୍ୱେ ଛୋଟ ବେଳୁ ହିଁ ପ୍ରିୟା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ପାଲଟିଛି ପ୍ରେରଣା।

priya

ବାପା ବିଜୟ ଏକ ଘରୋଇ ସଂସ୍ଥାରେ କାମ କରି ଯେତିକି ଟଙ୍କା ରୋଜଗାର କରନ୍ତି ସେଥିରେ ପରିବାର ଚଳାଇବା ବି କଷ୍ଟକର। ତା’ ଭିତରେ ବି ଝିଅକୁ ପିଲାଟି ଦିନରୁ ଯୋଗ ଶିକ୍ଷା ଦେଇ ଆସିଛନ୍ତି ବିଜୟ। ପ୍ରିୟା ଜନ୍ମ ବେଳଠୁ ତାକୁ ତେଲ ମାଲିସ କରିବାଠୁ ଆରମ୍ଭ କରି ଅଳ୍ପ ଅଳ୍ପ ବ୍ୟାୟାମ କରାନ୍ତି। ଫଳରେ ପିଲାଦିନୁ ହିଁ ପ୍ରିୟାର ଶରୀର ସ୍ପ୍ରିଙ୍ଗ୍‌ ଭଳି ଫ୍ଲେକ୍ସିବଲ ହୋଇପାରିଛି। ତେବେ ଯଦି ଆଗକୁ ତାକୁ ଭଲ ପ୍ରଶିକ୍ଷଣ ମିଳନ୍ତା ତେବେ ସେ ଜିମ୍ନାଷ୍ଟିକ୍‌ରେ ନାଁ କମାଇପାରନ୍ତା ବୋଲି କହିଛନ୍ତି ପ୍ରିୟାର ବାପା।

କିନ୍ତୁ ଦୁଃଖର ବିଷୟ ହେଉଛି ଜିଲ୍ଲା ପ୍ରଶାସନ କିମ୍ବା କୌଣସି ରାଜନୈତିକ ବ୍ୟକ୍ତିଙ୍କ ନଜର ଏବେ ଯାଏଁ ପ୍ରିୟା ଉପରେ ପଡ଼ିନାହିଁ। ତେବେ କେବେ ପ୍ରିୟା ଉପରେ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ିବ ସେଦିନକୁ ଅନେଇ ବସିଛନ୍ତି ପରିବାର ଲୋକେ।