ଆଠଗଡ଼ ବୁଦ୍ଧ ଜୟନ୍ତୀପୁରର ବୌଦ୍ଧ ମନ୍ଦିର ଓ ବୋଧିଦ୍ରୁମର କାହାଣୀ, ଯାହାର ସମ୍ବନ୍ଧ ଶ୍ରୀଲଙ୍କା ସହ ରହିଛି

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ରେ ଅନେକ ପୁରାତନ ମନ୍ଦିର ଓ ମସଜିଦ ରହିଛି ଯାହା ଉପରେ ସ୍ଥାନୀୟ ପ୍ରଶାସନ କି ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁନାହିଁ । ଆଠଗଡ଼ ତିଗିରିଆ ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତ ବୁଦ୍ଧଜୟନ୍ତୀପୁରରେ ଗଢ଼ି ଉଠିଥିବା ପୁରାତନ ବୁଦ୍ଧ ମନ୍ଦିର କଥା ହୁଏତ ଖୁବ୍‌ କମ୍‌ ଲୋକେ ଜାଣିଥିବେ । ଯାହାର ସମ୍ପର୍କ ରହିଛି ଶ୍ରୀଲଙ୍କା ସହିତ ।

ଏହି ଗାଁରେ ରହୁଛନ୍ତି ପାଖାପାଖି ୫୦ରୁ ଅଧିକ ବୌଦ୍ଧ ଧର୍ମାବଲମ୍ବୀ ପରିବାର। ଗାଁ ଆରମ୍ଭରେ ରହିଛି ଏକ ବିରାଟକାୟ ବୋଧି ଦ୍ରୁମ ବା ବୃକ୍ଷ। ୧୯୫୬ ମସିହା ଜାନୁଆରୀ ୮ ତାରିଖରେ ଏହି ଗାଁରେ ରୋପଣ କରାଯାଇଥିଲା ବୁଦ୍ଧ ଗୟାର ପବିତ୍ର ମହା ବୋଧଦ୍ରୁମ। କୁହାଯାଏ ଏହି ବୃକ୍ଷ ଆସିଥିଲା ଶ୍ରୀଲଙ୍କାର ଅନୁରାଧାପୁରରୁ। ଯେଉଁଠି ସମ୍ରାଟ ଅଶୋକଙ୍କ କନ୍ୟା ସଂଘମିତ୍ରା ଏହାକୁ ରୋପଣ କରିଥିଲେ। ବର୍ମା ବା ଆଧୁନିକ ମିଆଁମାରର ପୂର୍ବତନ ପ୍ରଧାନମନ୍ତ୍ରୀ ୟୁନୋଙ୍କ ଉଦ୍ୟମରେ ସେହି ବୋଧିଦ୍ରୁମ ଚାରା ଅଣାଯାଇ ଏହି ବୁଦ୍ଧଜୟନ୍ତୀପୁର ଗାଁରେ ବୁଦ୍ଧ ବିହାର ପରିସରରେ ରୋପଣ କରାଯାଇଥିଲା।

BUDHA-3

ଏହି ଚାରା ରୋପଣ ଉତ୍ସବରେ ଯୋଗ ଦେଇଥିବା ରାଜ୍ୟର ବରପୁତ୍ରମାନେ ଏହାକୁ ଆମ ରାଷ୍ଟ୍ର ଏବଂ ସାଧାରଣ ନାଗରିକଙ୍କ ଦାୟିତ୍ୱ ବୋଲି କହିଥିଲେ। ସେଇ ଛୋଟ ଚାରା ଏବେ ବଢି ମହାଦ୍ରୁମରେ ପରିଣତ ହୋଇଛି। ହେଲେ ଏହି ବୃଦ୍ଧବିହାରର ଉନ୍ନତି ଓ ପ୍ରଚାର ପ୍ରସାର ହେଉନାହିଁ। ଯାହାର ଫଳ ସ୍ୱରୂପ ଏହି ବୋଦ୍ଧିପୀଠ ରାଜ୍ୟ ସଂସ୍କୃତି ଓ ପଯ୍ୟର୍ଟନ ବିଭାଗର ନଜର ଆଢ଼ୁଆଳରେ ଏବେବି ଅଣଦେଖା ହୋଇ ଅତୀତର ସ୍ମୃତି ବଖାଣି ଚାଲିଛି। ଆଠଗଡ଼ ନିର୍ବାଚନ ମଣ୍ଡଳୀର ତତ୍କାଳୀନ ବିଧାୟକ ତଥା ରାଜ୍ୟ ଶିକ୍ଷା ଓ ଅର୍ଥମନ୍ତ୍ରୀ ପଦ୍ମ ଭୂଷଣ ଡଃ ରାଧାନାଥ ରଥ ଓ ତତ୍କାଳୀନ ବମ୍ବେର ରାଜ୍ୟପାଳ ଉତ୍କଳ କେଶରୀ ହରେକୃଷ୍ଣ ମହତାବ ଏହି ଚାରା ରୋପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚସଖା ପଣ୍ଡିତ ନୀଳକଣ୍ଠ ଦାସ ଓ ନୂଆପାଟଣାରେ ବାନ୍ଧକଳାର ଜନକ ଭାବରେ ପରିଚିତ ବହୁ ପ୍ରତିଷ୍ଠିତ ଅର୍ଜୁନ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହିଥିବାର ନଜିର ରହିଛି।

BUDHA-4
୧୯୫୬ରେ ଏହି ପବିତ୍ର ବୃକ୍ଷର ଚାରାରୋପଣ କରାଯିବା ପରେ ୧୯୫୭ରେ ବୃଦ୍ଧଦେବଙ୍କର ଏକ ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନା କରଯାଇଥିଲା। ସ୍ଥାପନାର କିଛି ବର୍ଷ ପରେ ୧୯୭୩ରେ ବୌଦ୍ଧ ଧର୍ମର ପ୍ରଚାରକ ତଥା ବୌଦ୍ଧ ଧର୍ମଗୁରୁ ଦଲାଇଲାମା ଏଠାକୁ ଆସି ଏହି ପବିତ୍ର ଜାଗାର ପ୍ରସାର ପ୍ରଚାର ନେଇ ସହାୟତା କରିଥିଲେ। ପ୍ରତିବର୍ଷ ଏହି ପବିତ୍ର ଜାଗାକୁ ଦେଶ ବିଦେଶରୁ ଅନେକ ପଯ୍ୟର୍ଟକ ଓ ବୁଦ୍ଧ ଉପାସକ ଆସିଥାନ୍ତି। ଜାପାନ, ଫ୍ରାନ୍ସ, ବର୍ମା, ଜର୍ମାନୀ ଓ ଶ୍ରୀଲଙ୍କା ଭଳି ଦେଶରୁ ବୁଦ୍ଧ ଉପାସକମାନେ ଏଠାକୁ ଆସିଥାନ୍ତି। ବହୁ ବର୍ଷର ମନ୍ଦିର ହୋଇଥିଲେ ମଧ୍ୟ ଏଠାରେ ରହିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏହି ପୁରାତନ ମନ୍ଦିରକୁ ପଯ୍ୟର୍ଟନ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଜୋର ଧରିଛି ଦାବି। କେବଳ ସେତିକି ନୁହେଁ ମନ୍ଦିର ପରିସରରେ କେ ପ୍ରାର୍ଥନା ଗୃହ ନିର୍ମାଣ ଦାବି କରିଛନ୍ତି ଗ୍ରାମବାସୀ।

ବର୍ଷର ପୂର୍ଣ୍ଣିମା, ସଂକ୍ରାନ୍ତି ଓ ଅମାବାସ୍ୟାଦିନ ଗୁଡିକରେ ମନ୍ଦିର ପରିସରରେ ସ୍ୱତନ୍ତ୍ର ପ୍ରାର୍ଥନା କରାଯାଇଥାଏ। ବୈଶାଖ ପୂର୍ଣ୍ଣିମା ଏକ ବଡ଼ପର୍ବ ଭାବରେ ପାଳନ କରାଯାଏ। ସ୍ଥାନୀୟ ଲୋକେ ଏହି ପର୍ବଟିକୁ ପାଳନ କରିଥାନ୍ତି। ଏହି ପବିତ୍ର ସ୍ଥାନର ଉନ୍ନତିକରଣ ପାଇଁ ସ୍ଥାନୀୟ ପ୍ରଶାସନ ବା ରାଜ୍ୟ ସରକାରଙ୍କ ସହାୟତା ନିମନ୍ତେ ଗ୍ରାମବାସୀ ନିବେଦନ କରିଛନ୍ତି।

BUDHA-2
ଅନ୍ୟପଟେ ଏନେଇ ସ୍ଥାନୀୟ ଉପଜିଲ୍ଲାପାଳ କହିଛନ୍ତି ଯେ ଖୁବ୍‌ ଶୀଘ୍ର ଏହି ପବିତ୍ର ସ୍ଥାନର ଉନ୍ନତି କରାଯିବ। ଏହାକୁ ଏକ ପଯ୍ୟର୍ଟନସ୍ଥଳୀର ମାନ୍ୟତା ପାଇଁ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ । କିଭଳି ଏହାର ପ୍ରଚାର ପ୍ରସାର ହୋଇ ପାରିବ ସେ ନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯିବ।
ଆଠଗଡ଼ ଅଞ୍ଚଳରେ ଗଢି ଉଠିଥିବା ଏହି ମନ୍ଦିର ସହିତ ପବିତ୍ର ବୁଦ୍ଧଦ୍ରୁମ ବୃକ୍ଷର ରକ୍ଷଣା ବେକ୍ଷଣ ଦାୟିତ୍ୱ ହେଉଛି ଜିଲ୍ଲା ପ୍ରଶାସନ, ରାଜ୍ୟ ପଯ୍ୟର୍ଟନ ଓ ସଂସ୍କୃତି ବିଭାଗର । ଗ୍ରାମବାସୀଙ୍କ ସହଯୋଗରେ ଏହାର ଉପଯୁକ୍ତ ରକ୍ଷଣା ବେକ୍ଷଣ ଏବଂ ପ୍ରଚାର ପ୍ରସାର କରାଯିବା ଦରକାର ।

କଟକ ଆଠଗଡ଼ରୁ ବିଶ୍ୱଜିତ ରାଉତଙ୍କ ରିପୋର୍ଟ, କେନ୍ୟୁଜ୍‌ ଓଡ଼ିଶା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.