ଜେଜେଙ୍କ ଅମୂଲ୍ୟ ସଂପଦକୁ ସମ୍ଭାଳୁଛନ୍ତି ନାତି: ଏହି ସ୍ଥାନ ପାଲଟିଛି ଓଡିଶାର ମୟୁର ଗଡ, ଜାଣନ୍ତୁ ପିକକ୍ ଭାଲେ ପଛରେ ଲୁଚି ରହିଥିବା ସ୍ନେହଭରା କାହାଣୀ

ଆପଣ ଜାଣିଥିବେ ଭଲପାଇବା କେବଳ ମଣିଷ ମଣିଷଙ୍କ ଭିତରେ ହୁଏନି, ଏମିତି ଅନେକ ଘଟଣା ଆପଣ ଦେଖିଥିବେ ଯେଉଁଠି ପଶୁ ପକ୍ଷୀଙ୍କ ସହିତ ବି ମଣିଷର ଭଲ ପାଇବା ହୁଏ ତାହା ପୁଣି ହୋଇଯାଏ ନିବିଡ ସଂପର୍କ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଓଡିଶାର ପିକକ୍ ଭାଲେ । ଆପଣତ ଅନେକ ଉଦାହରଣ ଦେଖିଥିବେ, ଯେଉଁଠି ମଣିଷର ସଂପର୍କ ଏମିତି ଯୋଡି ହୋଇଯାଏ ସେହି ପଶୁ ପକ୍ଷୀଙ୍କ ସହିତ । ଏମିତିକି ପରସ୍ପର ବିନା କିଛି ସମୟ ରହିବା ମଧ୍ୟ ଅସମ୍ଭବ ହୋଇଯାଏ । ତେଣୁ ଏହି ମଣିଷ ଓ ପଶୁ ପକ୍ଷୀଙ୍କ ନିବିଡ ସଂପର୍କ କେବଳ ସମ୍ଭବ ହୋଇଥାଏ ବିଶ୍ୱାସ ପାଇଁ । ଦୁନିଆରେ ଏମିତି କିଛି ଲୋକେ ଅଛନ୍ତି, ଯିଏକି ପଶୁ ପକ୍ଷୀଙ୍କୁ ବହୁତ ଭଲପାଆନ୍ତି । ହୁଏତ ଆପଣ ମଧ୍ୟ ସେହି ମଣିଷଙ୍କ ମଧ୍ୟରୁ ଜଣେ ହୋଇଥାଇ ପାରନ୍ତି । ଆଉ ସେମିତି ଜଣେ ମଣିଷ ହେଉଛନ୍ତି ସ୍ୱର୍ଗତ ପାଣୁୁ ବେହେରା, ଯିଏକି ଥିଲେ ଓଡିଶା ପୋଲିସ ହୋମଗାର୍ଡ । ସ୍ୱର୍ଗତ ପାଣୁ ବେହେରାଙ୍କର ମୟୁର ପ୍ରତି ସେହି ଟିକିଏ ଭଲ ପାଇବା ପାଇଁ ଆଜି କଟକ ସ୍ଥିତ ନରାଜରେ ଥିବା ଫରେଷ୍ଟ ରେଞ୍ଜ ହୋଇ ପାରିଛି ପିକକ୍ ଭାଲେ । ଏହି ସ୍ଥାନ ସାଜିଛି ମୟୁର ମାନଙ୍କର ଗଡ ।

ତେଣୁ ଏହି ସ୍ଥାନକୁ ଅନେକ ପର୍ଯ୍ୟଟକ ଆସୁଛନ୍ତି, କେବଳ ଓଡିଶା ନୁହେଁ ରାଜ୍ୟ ବାହାରୁ ମଧ୍ୟ ଅନେକ ଲୋକ ଆସୁଛନ୍ତି ଏହି ସ୍ଥାନକୁ । ତେବେ ଏହି ପିକଅକ୍ ଭାଲେ ପଛରେ ମଧ୍ୟ ଲୁଚି ରହିଛି ଏକ ସ୍ନେହଭରା କାହାଣୀ, ଆସନ୍ତୁ ଜାଣିବା ସେହି ବିଷୟରେ ।
ସ୍ୱର୍ଗତ ପାଣୁ ବେହେରା ଯେହେତୁ ହୋମ ଗାର୍ଡ ଥିଲେ ସେ ନରାଜରେ ଥିବା ଫରେଷ୍ଟ ରେଞ୍ଜ ପାଖରେ ରହୁଥିଲେ । ଏହା ହେଉଛି ୧୯୯୯ ମସିହାର କଥା । ଫରେଷ୍ଟ ରେଞ୍ଜ ପାଖରେ ଯେତେବେଳେ ସେ ହଠାତ ଦେଖିବାକୁ ପାଇଥିଲେ ଯେ ମେଲ ମୟୁର ରାଜାର ଗୋଡରେ ଆଘାତ ଲାଗିଛି, ସେ ତାକୁ ନିଜେ ଚିକିତ୍ସା କରି ପୁଣି ଜଙ୍ଗଲ ଭିତରେ ଛାଡି ଦେଇଥିଲେ । କିଛିଦିନ ପରେ ପୁଣି ସେଠାରେ ଥିବା ତିନୋଟି ମୟୁର ତାଙ୍କ ଠାରୁ କିଛି ଦୂରରେ ବୁଲୁଥବାର ଦେଖିଥିଲେ, ନିଜେ ଖାଉଥିବା ଭାତକୁ ସେ ସେମାନଙ୍କୁ ଖାଇବା ପାଇଁ ଦେଇଥିଲେ । ତେବେ ସେଠାରେ ଥିବା ତିନୋଟି ମୟୁରଙ୍କ ମଧ୍ୟରେ ଥିଲେ ଦୁଇଟି ଫିମେଲ ମୟୁର ଓ ଗୋଟେ ମେଲ ମୟୁର । ମେଲ ମୟୁରର ନା ପାଣୁ ବେହେରା ଦେଇଥିଲେ ରାଜା । ଏମିତିକି ମୟୁର ରାଜାକୁ ଯେତେବେଳେ ସେ ରାଜା ବୋଲି ଡାକି ଦିଅନ୍ତି ସେ ତାଙ୍କ ଡାକ ଶୁଣି ଚାଲିଆସେ । ପାଣୁ ମଉସା ଏବେ କିନ୍ତୁ ନାହାନ୍ତି । ତେବେ ତାଙ୍କ ନାତି ସମ୍ଭାଳୁଛନ୍ତି ପାଣୁ ମଉସାଙ୍କର ଏହି ଅମୂଲ୍ୟ ସମ୍ପଦକୁ ।

ତାଙ୍କ ନାତି କାହ୍ନୁଙ୍କ କହିବା ଅନୁଯାୟୀ, ସେ ୨୦୧୩ ମସିହାରେ ସେ ପ୍ରଥମେ ତାଙ୍କ ଜେଜେବାପା ପୋଷିଥିବା ଏହି ମୟୁରଙ୍କୁ ଦେଖିଥିଲେ । ତାଙ୍କ ଜେଜେବାପା ପାଣୁ ବେହେରା ମୟୁରକୁ ଥରେ ନାଁ ଧରି ଡାକିଦେଲେ ପ୍ରଥମେ ଉଡିଆସେ ରାଜା, ତା ପରେ ଆଉ ସବୁ ମୟୁର । ଏହାକୁ ଦେଖି କାହ୍ନୁ ପ୍ରଥମେ ଅନୁଭବ କରିପାରିଥିଲେ ମଣିଷ ଓ ପକ୍ଷୀ ଭିତରେ ଥିବା ଏହି ନିବିଡ ସଂପର୍କକୁ । ୨୦୧୭ ମସିହାରେ ସ୍ୱର୍ଗତ ପାଣୁ ବେହେରା ଏଇ ଦୁନିଆକୁ ଛାଡି ଚାଲିଗଲେ କିନ୍ତୁ ତା ପୂର୍ବରୁ ସେ ଲୋକମାନଙ୍କ ପାଇଁ ମଧ୍ୟ ଅନେକ ଭଲ କାମ କରିଛନ୍ତି,ଯାହାପାଇଁ ତାଙ୍କୁ ପୁରଷ୍କାର ମଧ୍ୟ ମିଳିଛି। ୧୯୯୯ ମସିହାରେ ହୋଇଥିବା ମହାବାତ୍ୟାରେ ନିଜ ଅଞ୍ଚଳର ଲୋକଙ୍କ ଥଇଥାନ କରିବା, ଗଛ ଲଗାଇ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ୨୦୦୭ ରେ ସେ ପାଇଥିଲେ ରାଷ୍ଟ୍ରପତି ପୁରଷ୍କାର, ସେ ସମୁଦାୟ ୭୫ ଟି ପୁରଷ୍କାର ପାଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସମୟରେ, ମୃତ୍ୟୁର ୭ ଦିନ ପୂର୍ବରୁ ହସ୍ପିଟାଲରେ ଆଡମିଟ ହୋଇଥିଲେ ବେଣୁ ବେହେରା । ନିଜ ଜୀବନ ସହ ସଂଗ୍ରାମ କରୁଥିବା ବେଳେ ବାରମ୍ବାର ପଚାରୁ ଥିଲେ ଅନ୍ୟ ପ୍ରାଣୀଟିର ଜୀବନ ବିଷୟରେ, କାହ୍ନୁ ମୟୁରଙ୍କୁ ଖାଦ୍ୟ ଦେଇଛୁ ତ?

ଶେଷ ମୂହୁର୍ତ୍ତରେ ପରିବାର ସହ ନାତି କାହ୍ନୁକୁ କହିଥିଲେ ମୋର ଜଦି କିଛି ହୋଇଯାଇ ଯେମିତି ପରିସ୍ଥିତି ଆସିଲେ ବି ମୋ ମୟୁରମାନଙ୍କ ଯତ୍ନ ନେବୁ , ତାଙ୍କୁ ଖାଇବା ପାଇଁ ଦେବୁ । ତାଙ୍କ କଥା ମାନି କାହ୍ନୁ ମଧ୍ୟ ଜେଜେଙ୍କ ମୃତ୍ୟୁ ଦିନ ମଧ୍ୟ ମୟୁରଙ୍କୁ ଖାଦ୍ୟ ଦେବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ପ୍ରଥମେ ସେ ଯେତେବେଳେ ଜେଜେଙ୍କ ପରି ରାଜାକୁ ଡାକିବା ସହ ଅନ୍ୟ ସବୁ ମୟୁରକୁ ଡାକିଲେ, କେହି ଆସିନଥିଲେ । ପରେ କିଛି ମୟୁର ଆସିଥିଲେ ହେଲେ ଖାଦ୍ୟ ଖାଇବା ପାଇଁ ନୁହେଁ । ସେମାନଙ୍କୁ ଏତେ ଭଲପାଇବା ଦେଇ ସବୁଦିନେ ଖାଦ୍ୟ ଦେଉଥିବା ମଣିଷଟିର ସେଶ ଦର୍ଶନ ପାଇଁ । ତାଙ୍କୁ ମଶାଣିକୁ ନେବା ସମୟରେ ଯେତେବେଳେ ଲୋକେସବୁ ରାସ୍ତାରେ ଶବକୁ ନେଇ ଯାଉଥିଲେ, ସେହି ସମୟରେ ମୟୁରମାନେ ବଣେ ବଣେ ଯାଇଥିଲେ ।

କାହ୍ନୁଙ୍କ କହିବା ଅନୁସାରେ, ମଶାଣି ପାଖରେ ଯେଉଁ ଲୋକେ ରହୁଥିଲେ, ସେମାନେ ସେହି ଦିନ ରାତିରୁ ସକାଳ ହେବା ପର୍ଯ୍ୟନ୍ତ ମୟୁରମାନଙ୍କୁ ତାଙ୍କ ଜେଜେଙ୍କ ଜୁଇ ପାଖରେ ବୋବାଉଥିବା ଦେଖିଥିଲେ । ନିଜେ ଯେତେବେଳେ କାହ୍ନୁ ଜେଜେଙ୍କ ଅସ୍ତି ଆଣିବା ପାଇଁ ଯାଇଥିଲେ, ସେତେବେଳେ ମଧ୍ୟ ସେ କେତେଗୁଡିଏ ମୟୁରଙ୍କୁ ସେଠାରେ ଦେଖିଥିଲେ ଆଉ ବିଶ୍ୱାସ କରି ପାରିନଥିଲେ ନିଜ ଆଖି ଉପରେ । ସେହି ଦିନ ସେ ବୁଝିପାରିଥିଲେ, ମଣିଷ ଆଉ ପକ୍ଷୀ ଭିତରେ ଥିବା ସଂପର୍କର ମହତ୍ୱ କ’ଣ । ସେବେଠାରୁ କାହ୍ପୁ ନେଉଛନ୍ତି ମୟୁର ମାନଙ୍କ ଯତ୍ନ ଓ ନିଜର ଖୁସିକୁ ବଳିଦାନ ଦେଇ ସବୁ ଦିନ ସେ ଦିନକୁ ଦୁଇ ଥର ମୟୁରମାନଙ୍କୁ ଖାଇବାକୁ ଦେଉଛନ୍ତି । ମୟୁରମାନଙ୍କୁ ନିଜେ ଖାଦ୍ୟ ଖୁଆଉଥିବା ବେଳେ କାହ୍ନୁ ମଧ୍ୟ ବୁଝି ପାରିଛନ୍ତି ପ୍ରକୃତ ଭଲପାଇବାର ମାନେ କଣ । ଏହି ମଣିଷ ଓ ପକ୍ଷୀ ଭିତରେ ଥିବା ଭଲପାଇବା ଟିକେ ନିଆରା, ଯାହା ଏବେ ପାଲଟିଛି ପିକକ୍ ଭାଲେ । ଏହି ସ୍ଥାନ ଏବେ ଏତେ ଫେମସ ହେଉଛି ଯେ କେବଳ କଟକ ଓ ଭୁବନେଶ୍ୱର ନୁହେଁ । ରାଜ୍ୟ ବାହାରୁ ମଧ୍ୟ ଲୋକେ ଆସି ଥାଆନ୍ତି ଏହି ସୁନ୍ଦର ପକ୍ଷୀଙ୍କୁ ନିଜର ଅତି ପାଖରୁ ଦେଖିବା ପାଇଁ । ସେ ଏହି ମୟୁରମାନଙ୍କୁ ଖାଦ୍ୟ ଦେବାରେ ମାସକୁ ଖର୍ଚ କରନ୍ତି ୨୦ ରୁ ୨୫ ହଜାର ଟଙ୍କା, ଯାହାକି ତାଙ୍କ ପାଇଁ ଟିକେ ଅସୁବିଧା ହୁଏ । ଯେତିକି ବି ଲୋକେ ମୟୁର ଦେଖିବାକୁ ଆସନ୍ତି ତାଙ୍କ ମଧ୍ୟରୁ କିଛି ଲୋକେ ଯେତିକି ପଇସା ଦିଅନ୍ତି ସେ ନିଜ ଟଙ୍କା ମିଶାଇ ସେହି ସମୟରେ ଖାଇବା ପାଇଁ ଦେଉଥିଲେ । ତେଣୁ ସରକାରଙ୍କୁ ସେ ନିବେଦନ କରିଛନ୍ତି ଏହି ପିକକ୍ ଭାଲେକୁ ଏକ ରାଜ୍ୟ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ଦିଆଯାଉ । ଯେମିତିକି ଆମ ଜାତୀୟ ପକ୍ଷୀମନଙ୍କ ସଂଖ୍ୟା ବଢିବା ସହିତ ଏମାନଙ୍କର ସଂରକ୍ଷଣ ହୋଇପାରିବ । ତାଙ୍କୁ ଠିକ ସମୟରେ ଖାଦ୍ୟ ମଧ୍ୟ ମିଳିବ । ତାଙ୍କ ପରେ ଯେମିତି ଏହି ସୁନ୍ଦର ପକ୍ଷୀଙ୍କର କିଛି ଅସୁବିଧା ନହେଉ ।

୨୦୧୭ ମସିହାରେ ଯେବେ କାହ୍କୁଙ୍କର ଜେଜେବାପା ଥିଲେ, ସେ ସମୟରେ ମୟୁରଙ୍କ ସଂଖ୍ୟା ଥିଲା ୬୭, କିନ୍ତୁ ୨୦୨୨ ସୁଧା ମୟୁରଙ୍କ ସଂଖ୍ୟା ବଢି ୧୩୨ରୁ ମଧ୍ୟ ଅଧିକ ହୋଇଛି । କାହ୍ନୁଙ୍କ ଅନୁସାରେ ଏହି ସ୍ଥାନ ପିକକ୍ ଭାଲେ ନାମରେ ଆଦୃତ ହୋଇଥିଲା ୨୦୧୭ ମସିହାରେ, ଯେତେବେଳେ ସାଇକେଲ ରାଇଡରମାନେ ସେହି ବାଟ ଦେଇ ଯିବା ସମୟରେ ବର୍ଷାରେ ମୟୁରମାନଙ୍କୁ ନାଚୁଥିବାର ଦେଖିଥିଲେ, ଏହାପରେ ସେମାନେ ହିଁ କହିଥିେ ଏହି ସ୍ଥାନକୁ ପିକକ୍ ଭାଲେ କରିବା ପାଇଁ । ଆପଣ ମଧ୍ୟ ଏହି ସ୍ଥାନକୁ ଆସି ଏହି ସୁନ୍ଦର ପକ୍ଷୀଙ୍କର ସୁନ୍ଦରତାକୁ ପ୍ରକୃତି ସହ ଅନୁଭବ କରିପାରିବେ ।