ନୟାଗଡ ଜିଲ୍ଲାରେ ବି ଫଳିଲା ଷ୍ଟ୍ରବେରୀ, ବଜାରରେ ବିକ୍ରିକରି ବେଶ ଲାଭ ପାଉଛନ୍ତି ଚାଷୀ

ଦେଶୀ ଜଳବାୟୁରେ ବିଦେଶୀ ଫଳ। ବିଦେଶୀ ଫଳକୁ ଫଳେଇବାରେ ସଫଳ ହୋଇଛି ଉଦ୍ୟାନ ବିଭାଗ । ନୟାଗଡ ଜିଲ୍ଲାର ୮ ଜଣ ଚାଷୀଙ୍କୁ ପରୀକ୍ଷା ମୂଳକ ଭାବେ ଷ୍ଟ୍ରବେରୀ ଚାଷ ଆରମ୍ଭ କରିବାକୁ ଚାରା ଯୋଗାଇ ଦିଆଗଲା । ଚାଷୀମାନେ ସଫଳତାର ସହ ଲାଲ ଟହ ଟହ ଷ୍ଟ୍ରବେରୀ ଫଳ ଫଳାଇଛନ୍ତି । ଷ୍ଟ୍ରବେରୀକୁ ବଜାରରେ ବିକ୍ରିକରି ବେଶ ଲାଭ ପାଉଛି ଚାଷୀ ।

ପାହାଡ଼ ଜଙ୍ଗଲ ଘେରା ନୟାଗଡ ଜିଲ୍ଲା । ଜିଲ୍ଲାବାସୀ ପ୍ରାୟତଃ ଚାଷ ଉପରେ ନିର୍ଭର କରନ୍ତି । ଏହାରି ଭିତରେ ନୟାଗଡ ଜିଲ୍ଲାର ୨ ଜଣ ଚାଷୀ ଚର୍ଚ୍ଚାରେ ଅଛନ୍ତି । ଏଭଳି ଜଣେ ସଫଳ ଚାଷୀ ହେଉଛନ୍ତି ଅବସର ପ୍ରାପ୍ତ DFO ସୁରେଶ କୁମାର ହୋତା। ତାଙ୍କର ୮ ଏକର ଜମିରୁ ୪ ଏକର ଜମିରେ ଡ୍ରାଗନ ଫଳ ଲଗାଇ ପୂର୍ବରୁ ଚର୍ଚ୍ଚାରେ ଥିଲେ । ଯେଉଁ ଜମିରେ ଡ୍ରାଗନ ଚାଷ କରୁଛନ୍ତି ସେଠାରେ ହିଁ ଧାଡିକି ଧାଡି ଲଗାଇଛନ୍ତି ଷ୍ଟ୍ରବେରୀ ଚାରା । ଲାଲ ଟହ ଟହ ଷ୍ଟ୍ରବେରୀ ଫଳାଇ ସଫଳ ହୋଇଛନ୍ତି । ସେଭଳି ଅନ୍ୟ ଜଣେ ଚାଷୀ ହେଉଛନ୍ତି ଉଦ୍ୟାନ ବିଭାଗର ଅବସର ପ୍ରାପ୍ତ ସହ ନିର୍ଦେଶକ ତାରେଶ୍ୱର ପାଣି । ତାଙ୍କର ଏକ ଏକରରୁ କମ ଜମିରେ ଷ୍ଟ୍ରବେରୀ ଚାଷ କରିଥିଲେ । ଅରଗାନିକ ପ୍ରଣାଳୀରେ ଚାଷ କରୁଛନ୍ତି । କୌଣସି ରାସାୟନିକ ପଦାର୍ଥ ଚାଷରେ ବ୍ୟବହାର ହେଉନାହିଁ । ନିମପୀଡ଼ିଆ, ଜିଆ ଖତ ଓ କୀଟନାଶକ ପାଇଁ ନିମ୍ବାସ୍ତ୍ର ବ୍ୟବହାର କରାଯାଉଛି ।

ଜିଲ୍ଲା ଉଦ୍ୟାନ ବିଭାଗର ଲକ୍ଷ୍ୟ ରହିଛି ଜିଲ୍ଲାରେ କିଛି ନୂଆ ଚାଷ କରି ଫଳ ଫଳାଇବେ। ୩ ବର୍ଷ ପୂର୍ବେ କନ୍ଧମାଳ, ରାୟଗଡା ଓ କୋରାପୁଟରେ ଷ୍ଟ୍ରବେରୀ ଚାଷ କରି ଚାଷୀ ବେଶ ଲାଭବାନ ହୋଇଥିଲେ । ନୟାଗଡ ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ୮ ଜଣ ଚାଷୀଙ୍କୁ ଚିହ୍ନଟ କରାଯାଇଥିଲା । ବାଲିଆ ମାଟିରେ ଷ୍ଟ୍ରବେରୀ ଚାଷ ଭଲ ହୋଇଥାଏ । ଉଦ୍ୟାନ ବିଭାଗ ଚାଷୀମାନଙ୍କୁ ଚାରା ଠାରୁ ଆରମ୍ଭ କରି ସମସ୍ତ ଅନୁସଙ୍ଗିକ ସାମଗ୍ରୀ ଯୋଗାଇ ଦେଇଥିଲା । ଷ୍ଟ୍ରବେରୀ ଚାଷ ରୋଜଗାରର ନୂତନ ପନ୍ଥା ପାଲଟିଛି । ଷ୍ଟ୍ରବେରୀରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ । ଡାଇବେଟିସ ରୋଗୀଙ୍କ ପାଇଁ ଏହା ବହୁତ ଉପକାରୀ ।

ଷ୍ଟ୍ରବେରୀ ଚାଷ ବେଶ ଲାଭଦାୟକ ଫସଲ । ଏହା ଥଣ୍ଡା ଜଳବାୟୁରେ ହୋଇଥାଏ। ନୟାଗଡ ଜିଲ୍ଲାରେ ସଫଳତାର ସହିତ ଷ୍ଟ୍ରବେରୀ ଚାଷ ହୋଇଥିବାରୁ ଆଗାମୀ ଦିନରେ ଅଧିକ ପରିମାଣରେ ଷ୍ଟ୍ରବେରୀ ଚାଷ ହେବ ବୋଲି ଆଶା କରାଯାଇଛି ।