ରୋଜଗାରର ନୂଆ ପନ୍ଥା ଦେଇଛି ଷ୍ଟ୍ରବେରୀ, ଚାଷ କରି ଲାଭବାନ ହେଉଛନ୍ତି ଚାଷୀ

ସବାଇ ଘାସ ପରେ ଏବେ ମୟୁରଭଞ୍ଜ ଜିଲ୍ଲାର ଚାଷୀଙ୍କୁ ରୋଜଗାରର ନୂଆ ପନ୍ଥା ଦେଇଛି ଷ୍ଟ୍ରବେରୀ । କୋରାପୁଟ ଓ କନ୍ଧମାଳ ପରେ ମୟୁରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ । ଅଳ୍ପ ଦିନରେ ମିଳିବ ଅଧିକ ଲାଭ । ଏନେଇ ଚାଷୀମାନେ ବହୁତ ଉତ୍ସାହିତ ଅଛନ୍ତି । ପ୍ରଥମ କରି ଶିମିଳିପାଳ ପାଦ ଦେଶରେ ଆରମ୍ଭ ହୋଉଛି ଏହି ଷ୍ଟ୍ରବେରୀ ଚାଷ । ବିଶ୍ବ ଷ୍ଟ୍ରବେରୀ ବଜାରକୁ ପ୍ରବେଶ କରିଛି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଷ୍ଟ୍ରବେରୀ । ଆଗକୁ ଜିଲ୍ଲାର ବିଭିନ୍ନ ବ୍ଳକରେ ଏହି ଚାଷ ପାଇଁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।

ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା । ଶିଳ୍ପ ବିହୀନ ଏହି ଜିଲ୍ଲାର ଏକମାତ୍ର ବିକଳ୍ପ ହେଉଛି ଚାଷ । ଜିଲ୍ଲାର ଅଧାରୁ ଅଧିକ ଚାଷୀ ସବାଇଘାସ ଚାଷ ଉପରେ ନିର୍ଭର କରନ୍ତି । ସେହି ସବାଇ ଘାସ ଆଜି ମୟୁରଭଞ୍ଜ ଜିଲ୍ଲାକୁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରିଛି । ମୟୁରଭଞ୍ଜ ଜିଲ୍ଲାର ସବାଇ କ୍ରାଫ୍ଟ ଦେଶ ବିଦେଶରେ ପ୍ରସିଦ୍ଧ । ଏବେ ଜିଲ୍ଲାର ଏହି ଚାଷୀଙ୍କ ପାଇଁ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ । ସବାଇ ପରେ ଏବେ ଷ୍ଟ୍ରବେରୀ ଚାଷ କରି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଭାବେ ଶିମିଳିପାଳ ପାଦଦେଶ ଶାମାଖୁଣ୍ଟା ବ୍ଳକର ତାରଜୋଡି ଗାଁକୁ ନେଇଥିଲା ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ତାରାଜୋଡି ଗାଁର ୨୧ ଜଣ ଚାଷୀଙ୍କ  ୩ ହେକ୍ଟର ଜମିରେ ଆରମ୍ଭ ହୋଇଥିଲା ଏହି ଚାଷ । ହେକ୍ଟର ପିଛା ୫୦ ହଜାର ଚାରା ଲଗାଯାଇଥିଲା । ମହାରଷ୍ଟ୍ରରୁ ସ୍ବତନ୍ତ୍ର ଭାବେ ଅଣାଯାଇଥିଲା ଦେଢ ଲକ୍ଷ ଷ୍ଟ୍ରବେରୀ ଚାରା । ପଡିଆ ପଡିଥିବା ଜମିରେ ଏବେ ସୁନା ଫଳାଇ ଚାଷୀ ଏବେ ଉତ୍ସାହିତ । ଚାଷୀଙ୍କ ଶ୍ରମ ବ୍ୟତୀତ ଏହି ଷ୍ଟ୍ରବେରୀ ଚାଷ ପାଇଁ ସମସ୍ତ ସହଯୋଗ ଜିଲ୍ଲା ପ୍ରଶାସନ ଯୋଗାଇ ଦେଇଥିଲା । ଏବେ ଗଛରେ ଷ୍ଟ୍ରବେରୀ ଫଳିବା ପରେ ଚାଷୀମାନେ ବେସ୍‌‍ ଖୁସି ।

ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଏବେ ଶିମିଳିପାଳରେ ଯୋଡି ହେବାକୁ ହୋଇଛି ଷ୍ଟ୍ରବେରୀ ଚାଷ । ଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ଏବେ ସମ୍ଭବ ହୋଇଛି ଏହି ଷ୍ଟ୍ରବେରୀ ଚାଷ । ଉଦ୍ୟାନ କୃଷି ବିଭାଗ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ମିଳିତ ଉଦ୍ୟମରେ ଏହି ପାଇଲଟ ପ୍ରଜେକ୍ଟକୁ ଋପରେଖ ଦିଆଯାଇଛି । ଏପରିକି ଉତ୍ପାଦିତ ଷ୍ଟ୍ରବେରୀକୁ ଶିମିଳିପାଳ ପର୍ଯ୍ୟଟକମାନଙ୍କ ଉଦ୍ଦେଶ୍ୟରେ ବିକ୍ରି ପାଇଁ ରଖାଯିବା ସହ ଦେଶ ବିଦେଶରେ ବିକ୍ରି କରିବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିଛି । ଆଗକୁ ଜିଲ୍ଲାର ଉଦଳା, ଯଶିପୁର ଆଦି ସ୍ଥାନରେ ଏଭଳି ଷ୍ଟ୍ରବେରୀ ଚାଷ କରାଯିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଥିବା କହିଛନ୍ତି ଜିଲ୍ଲାପାଳ । ଷ୍ଟ୍ରବେରୀ ଚାଷ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବାୟୁ ଏବଂ ପରିବେଶକୁ ପରଖା ଯାଉଛି ।

ଅନ୍ୟ ଚାଷ ତୁଳନାରେ ଷ୍ଟ୍ରବେରୀ ଚାଷ ବେସ୍‌‍ ଲାଭ ଦାୟକ । ମାତ୍ର ୪୦ ରୁ ୪୫ ଦିନରେ ଫଳ ଆସି ଥିବାବେଳେ କିଲୋ ପ୍ରତି ଏହା ୫୦୦ ଟଙ୍କାରେ ବିକ୍ରି ହେଉଛି । ପ୍ରତି ଗଛରେ ୮୦୦ ରୁ ୧୫୦୦ ଗ୍ରାମ ଷ୍ଟ୍ରବେରୀ ଫଳୁଛି । ଶିମିଳିପାଳ ଷ୍ଟ୍ରବେରୀ ନାମରେ ଏବେ ବଜାରରେ ଉପଲବ୍ଧ ଏହି ଷ୍ଟ୍ରବେରୀ ।