ପରୀକ୍ଷା ଶେଷ ଦିନରେ ଲିଭିଗଲା ଜୀବନ ଦୀପ, ପୁଅର ଏଭଳି ଅଚାନକ ମୃତ୍ୟକୁ ଗ୍ରହଣ କରିପାରୁନାହାନ୍ତି ବାପା ମା’

ଆଜି ଥିଲା ସ୍କୁଲ ଜୀବନର ଶେଷ ପରୀକ୍ଷା । ମନ ଭାରି ଖୁସି । ଶେଷ ପରୀକ୍ଷା ଦେଇ ଆସିଲେ ଖୁବ ମଜା ମସ୍ତି କରିବେ । ଆଜି ସରିଥାନ୍ତା ସ୍କୁଲ୍ ସ୍ତରର ସବୁଠାରୁ ବଡ ସୋପାନ । ମନରେ କେତେ ସ୍ବପ୍ନ କେତେ ଖୁସି ତାର ଠିକଣା ନଥିଲା । କିନ୍ତୁ କିଏ ଜାଣିଥିଲା ରାସ୍ତାରେ ଏତେ ବଡ଼ ଅଘଟଣ ଘଟିଯିବ । ପରୀକ୍ଷା ଶେଷ ଦିନରେ ଲିଭିଯିବ ଜୀବନ ଦୀପ । ହଁ ଆଜ୍ଞା ମ୍ୟାଟ୍ରିକ ପରୀକ୍ଷା ଦେବାକୁ ଯିବାବେଳେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ମାଲକାନଗିରି ଜିଲ୍ଲା ଚନ୍ଦନଗୁଡା ନିକଟରେ ଘଟିଛି ଏଭଳି ଦୁଃଖଦାୟୀ ଘଟଣା ।

ସକାଳ ୯ ଟାରୁ ଆରମ୍ଭ ହୋଇଥାନ୍ତା ପରୀକ୍ଷା । ପରୀକ୍ଷାର୍ଥୀମାନେ ସକାଳ ସାଢ଼େ ୭ ଟାରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାର ନିୟମ ରହିଛି । ତେଣୁ ସକାଳୁ ସକାଳୁ ନିତ୍ୟକର୍ମ ସାରି ବାଇକ ଧରି ବାହାରି ଯାଇଥିଲେ ଦୁଇ ଛାତ୍ର । କିନ୍ତୁ ଅଧା ବାଟରେ ଜଗି ବସିଥିଲା ଯମ । ପରୀକ୍ଷା ଆଗରୁ ହିଁ ଚାଲିଗଲା ଜୀବନ । ମୃତ ଛାତ୍ର ଜଣକ ହେଉଛନ୍ତି ବିକ୍ରମ ସରଦାର ଏବଂ ଗୁରୁତର ଥିବା ଛାତ୍ର ତାପସ ସରଦାର । ସୂଚନା ଅନୁଯାୟୀ ପଦ୍ମଗିରି ବିଦ୍ୟାଳୟ ଛାତ୍ର ସେରପାଲି ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବାକୁ ଯିବା ବେଳେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ଚନ୍ଦନଗୁଡ଼ା ନିକଟରେ ଏକ ପିକଅପ ଭ୍ୟାନ ସହ ଧକ୍କା ହୋଇଥିଲା ବିକ୍ରମଙ୍କ ବାଇକ । ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ବିକ୍ରମଙ୍କର ମୃତ୍ୟୁ ଘଟିଥିବା ବେଳେ ତାପସଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଅଚାନକ ପୁଅର ଏଭଳି ମୃତ୍ୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ସମସ୍ତେ ଯେମିତି ସ୍ତବ୍ଧ ପାଲଟିଯାଇଛନ୍ତି । ନିମିଷକରେ କ’ଣ ଘଟିଗଲା କେହି କିଛି ବୁଝିପାରୁନାହାନ୍ତି । କିଛି ବୁଝିବା ଆଗରୁ ହିଁ ଚାଲିଯାଇଛି ପୁଅର ଜୀବନ ।

ସତରେ କଣ ଏମିତି ଚାଲିଯାଏ ଜୀବନ? ଦୁଇ ଦିନର ଏ ଜୀବନକୁ ଭରସା କରିବା କାଠିକର ପାଠ । ତଥାପି ଏ ମନ ବୁଝେନି । ପ୍ରତିଦିନ ରଚି ଚାଲେ ମୋହ, ମାୟା ରାଗ ହିଂସା । ଜୀବନର ଅର୍ଥ କଣ? କିଏ କେବେ ବୁଝିଛି ତ କିଏ ବୁଝିକି ବି ଅବୁଝା । ଏ ସଂସାରକୁ ଆସିଛେ ମାନେ ଦିନେ ନା ଦିନେ ବିଦାୟ ନେବା । ଏ କଥା ସତ ଆମେ ସଭିଏଁ ଜାଣିଛେ । ହେଲେ ଏମିତି ଅବେଳରେ ପୁଅର ଜୀବନ ଚାଲିଯିବ ଏ ସତକୁ କିଏ ବା ସହଜରେ ଗ୍ରହଣ କରିପାରିବ । ଆଜି ମାଟ୍ରିକ ପରୀକ୍ଷା ସରୁଥିଲା । ହେଲେ ପରୀକ୍ଷାର ଶେଷ ଦିନରେ ହିଁ ଚାଲିଗଲା ଛାତ୍ରଙ୍କ ଜୀବନ ।

ଅଧା ରହିଗଲା ମ୍ୟାଟ୍ରିକ ପରୀକ୍ଷା । ଛାତ୍ରଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୁଅକୁ ନେଇ କେତେ କଣ ସ୍ବପ୍ନ ଦେଖିଥିଲେ । ମ୍ୟାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି କଲେଜ ଯିବ । ପାଠ ପଢି ବଡ଼ ମଣିଷ ହେବ । କିନ୍ତୁ ଅଚାନକ ପୁଅର ଏଭଳି ମୃତ୍ୟକୁ ଗ୍ରହଣ କରିପାରୁନାହାନ୍ତି ବାପା ମା’ । ଏତେ କମ୍ ବୟସରେ ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ପରିବାର ଲୋକେ । ଅନ୍ୟପଟେ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।

Also read: ବାଇକକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରାକ୍ଟର: ଜଣେ ମୃତ, ଜଣେ ଗୁରୁତର