ଏମିତି ବି ଆସେ ମୃତ୍ୟୁ, ପରୀକ୍ଷା ଦେବାକୁ ଯାଉ ଯାଉ ହଠାତ ଟଳିପଡ଼ିଲେ ଚନ୍ଦ୍ରଶେଖର

ମେଡିକାଲ୍ ରେ ପଡିଛି ମୃତଶରୀର । ପରିବାର ଲୋକେ ଯେମିତି ସ୍ଥାଣୁ ପାଲଟିଯାଇଛନ୍ତି । ନିମିଷକ ଭିତରେ କ’ଣ ଘଟିଗଲା କେହି କିଛି ବୁଝି ପାରୁନାହାନ୍ତି । ଅକାଳରେ ଚାଲିଗଲା ନୀରହ ଜୀବନ । ଦଇବର ଏ କି ଖେଳ । ଆଜି ମ୍ୟାଟ୍ରିକ ପରୀକ୍ଷା ଦେବାକୁ ଯାଇଥାନ୍ତେ । ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପରିବାର ଲୋକଙ୍କୁ ଗର୍ବିତ କରିବେ । ପାଠ ପଢି ବଡ଼ ମଣିଷ ହେବେ । ଏମିତି କେତେ କଣ ସ୍ବପ୍ନ ଦେଖିଥିଲେ ।

କିନ୍ତୁ ଦଇବର ଖେଳ କିଛି ଭିନ୍ନ ଥିଲା । କ୍ଷଣକରେ ସବୁକିଛି ଓଲଟ ପାଲଟ ହୋଇଗଲା । ଅଧା ରହିଗଲା ମାଟ୍ରିକ ପରୀକ୍ଷା । ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ ଛାତ୍ର । ସକାଳେ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ବାହାରୁଥିଲେ । ହେଲେ ହଠାତ୍ ତାଙ୍କର ପେଟ କାଟିଥିଲା । ଯାହାଫଳରେ ସେ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ । ଯାହା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ସୋର ମେଡିକାଲ ନେଇଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ ।

ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ଗାଁରୁ । ମୃତ ଛାତ୍ର ଗାଁର କୈଳାଶ ଚନ୍ଦ୍ର ମାଝୀଙ୍କ ପୁଅ ଚନ୍ଦ୍ରଶେଖର ମାଝୀ । ସୂଚନା ଅନୁସାରେ, ଚନ୍ଦ୍ରଶେଖର ୩ ଦିନ ତଳେ ଜଣେ ପଡ଼ୋଶୀଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ । ସେଦିନ ରାତିରେ ପେଟରେ ଯନ୍ତ୍ରଣା ହେବାରୁ ସୋର ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସୁସ୍ଥ ହେବା ପରେ ଘରକୁ ଫେରିଥିଲେ ଚନ୍ଦ୍ରଶେଖର ।

କିନ୍ତୁ ପେଟ ବ୍ୟଥା ସମ୍ପୂର୍ଣ୍ଣ କମି ନଥିଲା । ଆଜି ସକାଳେ ମାଟ୍ରିକ ପରୀକ୍ଷା ଦେବାକୁ ଯିବା ସମୟରେ ତଳେ ପଡ଼ିଯାଇଥିଲେ । ଯାହାପରେ ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ଶେଖରଙ୍କୁ ମୃତ ଘୋଷଣା କରିଥିଲେ । ବୋଧହୁଏ ସେଥିପାଇଁ କୁହାଯାଏ ମୃତ୍ୟୁ ଅନିଶ୍ଚିତ । ମୃତ୍ୟୁ ଆସିବା ପୂର୍ବରୁ ନା ଦେଖେ ସମୟ ନା ଦେଖେ ସ୍ଥାନ । ମଣିଷ ଜୀବନର ସବୁଠାରୁ ବଡ଼ ସତ୍ୟ ହେଉଛି ମୃତ୍ୟୁ ।

ଯିଏ ବି ଏ ଦୁନିଆକୁ ଆସିଛି ତାର ଦିନେ ନା ଦିନେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ମୃତ୍ୟୁର ଏମିତି କିଛି ଭୟାନକ ଓ ଦୁଃଖଦାୟୀ ଘଟଣା ଘଟିଥାଏ ଯାହା ବିଷୟରେ କଳ୍ପନା କରିବା ସମ୍ଭବ ନୁହେଁ । ଏପଟେ ଗେହ୍ଲା ପୁଅକୁ ହରାଇ ପରିବାର ଲୋକେ ଯେମିତି ସ୍ତବ୍ଧ ହୋଇଯାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ବ୍ୟବଛେଦ ରିପୋର୍ଟରେ ହିଁ ଚନ୍ଦ୍ରଶେଖରଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।