ରାତି ଅଧରେ ହଷ୍ଟେଲ ଛାଡ଼ି ପଳାଇଲେ ଅନ୍ତେବାସିନୀ, ଅଭିଭାବକ କହିଲେ ଆମ ପିଲା ଏଠି ସୁରକ୍ଷିତ ନୁହେଁ

ଉଦଳା: ବିଳମ୍ବିତ ରାତିରେ ହଷ୍ଟେଲରେ ହୋ ହାଲ୍ଲା ପାଟିତୁ୍ଣଡ । ରାତି ଅଧରେ ହଷ୍ଟେଲ ଛାଡ଼ି ପଳାଉଛନ୍ତି ଅନ୍ତେବାସିନୀ । କାହିଁକି ଅଭିଭାବକ ମାନେ ନିଜ ପିଲାଙ୍କୁ ସାଙ୍ଗରେ ନେଇ ପଳାଉଛନ୍ତି ? ଏହା ପଛର କାରଣ କଣ ? ଖାଲି ସେତିକି ନୁହେଁ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ମଣୁ ନ ଥିବା କହିବା ସହିତ ହଷ୍ଟେଲର ସୁରକ୍ଷା ବ୍ୟବସ୍ଥାରେ ଢିଲା ଥିବା ନେଇ ଅଭିଯୋଗ ଆଣିଛନ୍ତି ଅଭିଭାବକ । ହଷ୍ଟେଲରେ ୧୭୦ ଛାତ୍ରୀ ରହୁଥିବା ବେଳେ ଅର୍ଦ୍ଧାଧିକ ଛାତ୍ରୀ ବିଳମ୍ବିତ ରାତିରେ ହଷ୍ଟେଲ ଛାଡି ପଳାଇଛନ୍ତି ।

ଗତକାଲି ଉଦଳା ଅନ୍ଵେଷା ହଷ୍ଟେଲରେ ରହୁଥିବା ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ହଷ୍ଟେଲର ତୃତୀୟ ମହଲା ବାଲକୋନୀରୁ ମିଳିଥିଲା। ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ସ୍ଥାନୀୟ ପ୍ରଶାସନ ମଧ୍ୟ ଘଟଣାର ତଦନ୍ତ କରିଥିଲା । ଛାତ୍ରୀ ତନ୍ମୟୀ ମୁର୍ମୁଙ୍କ ମୃତ୍ୟୁର କାରଣ ଖୋଜା ଚାଲିଥିବା ବେଳେ ଛାତ୍ରୀ ମୃତ୍ୟୁ ଖବର ପାଇ ଅନ୍ୟ ଛାତ୍ରୀଙ୍କ ଅଭିଭାବକ ଆସି ପହଞ୍ଚିଥିଲେ ହଷ୍ଟେଲରେ । ବିଳମ୍ବିତ ରାତିରେ ହଷ୍ଟେଲରେ ପହଞ୍ଚି ନିଜ ପିଲାଙ୍କୁ ସାଙ୍ଗରେ ନେଇ ଯାଇଥିଲେ ଅଭିଭାବକମାନେ । ଛାତ୍ରୀଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ତେବେ ହଷ୍ଟେଲରେ ଅଭିଭାବକ ବୈଠକ ଥିବା ବେଳେ ତନ୍ମୟୀଙ୍କ ପରିବାର ଲୋକେ ମଧ୍ୟ ସେହି ମିଟିଙ୍ଗ ଆସିଥିଲେ ଏବଂ ଅପରାହ୍ନ ୫ ଟା ରେ ଝିଅ ସହ କଥା ହୋଇ ଘରକୁ ଯାଇଥିଲେ। ହେଲେ ସନ୍ଧ୍ୟାରେ ପ୍ରାର୍ଥନା ସମୟରେ ସେ ଅନୁପସ୍ଥିତ ରହିଥିଲା। ତାକୁ ଖୋଜାଖୋଜି କରିବା ପରେ ତନ୍ମୟୀ ତୃତୀୟ ମହଲାର ବାଲକୋନୀରେ ଜୀବନ ହାରିଥିବା ଦେଖିବାକୁ ପାଇଥିଲେ। ଏପରି ଅବସ୍ଥାରେ ତନ୍ମୟୀଙ୍କୁ ଦେଖିଥିବା ଛାତ୍ରୀ ଘଟଣା ବାବଦରେ ହଷ୍ଟେଲ ମେଟ୍ରୋନଙ୍କୁ କହିବା ପରେ ସମସ୍ତେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୋଲିସକୁ ଖବର ଦେଇଥିଲେ। ଅନ୍ୟପଟେ ଖବର ପାଇ ଛାତ୍ରୀର ପରିବାର ଲୋକେ ଆସି ହଷ୍ଟେଲରେ ପହଞ୍ଚିଥିଲେ । ତେବେ ଝିଅର ଅନେକ ସମୟରେ ଦେହ ଅସୁସ୍ଥ ରହୁଥିବା ଏବଂ ବାତ ରୋଗ ବାହାରୁ ଥିବାରୁ ଡାକ୍ତର ଦେଖାଇବା ସହିତ ତାକୁ ଗୁଣି ଗାରେଡି ଚିକିତ୍ସା କରାଉଥିବା କହିଛନ୍ତି ମୃତକ ଛାତ୍ରୀର ମା ଏବଂ ବାପା। ଗୁଣି ଗାରେଡି କରି ଚିକିତ୍ସା କରାଇବା ପରେ ଝିଅ ସୁସ୍ଥ ଥିବା ବେଳେ ଆଜି ମଧ୍ୟ ଭଲରେ କଥା ହୋଇଥିଲା । କିନ୍ତୁ ଝିଅ ଏପରି ଚରମ ନିଷ୍ପତ୍ତି କେବେ ନେଇ ନଥିବ ବୋଲି କହିଛନ୍ତି ପରିବାର ଲୋକେ ।

ଏନେଇ ସାଇଣ୍ଟିଫିକ ଟିମ୍ ତଦନ୍ତ କରୁଥିବା ବେଳେ ଏହି ଘଟଣାରେ ଆସିଛି ନୂଆ ଟ୍ବିଷ୍ଟ । ଛାତ୍ରୀଙ୍କ ବହିରୁ ପୋଲିସକୁ ମିଳିଲା ଶେଷଚିଠି। ଯେଉଁଥିରେ ଲେଖା ଅଛି ଛାତ୍ରୀ ଜଣକ ନିଜେ ଜୀବନ ହାରିଛନ୍ତି । ଚିଠିଟି ନିଜର ଜଣେ ସାଙ୍ଗକୁ ଲେଖିଥିବା ବେଳେ ନିଜର ପ୍ରେମ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଏପରିକି ଭଲ ପାଉଥିବା ଯୁବକଙ୍କୁ ମରିଯିବା ପରେ ବିବାହ କରିବେ ଓ ତାଙ୍କୁ ଉପରେ ଥାଇ ଅପେକ୍ଷା କରିଛି ବୋଲି ଚିଠିରେ ଲେଖିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ହଷ୍ଟେଲ କର୍ତ୍ତୃପକ୍ଷ କିମ୍ବା ଅନ୍ୟ କାହାରି ହାତ ନାହିଁ ବୋଲି ଚିଠିରେ ଲେଖିଛନ୍ତି। ଏହି ଚିଠି ପାଇବା ପରେ ତଦନ୍ତକୁ ତ୍ୱରାନ୍ୱିତ କରିଛି ପୋଲିସ୍ । ଅନ୍ୟପଟେ ଏହି ଚିଠି ବାବଦରେ ମୃତ ଛାତ୍ରୀଙ୍କ ପରିବାର ଲୋକେ କିଛି ଜାଣି ନ ଥିବା କହିଛନ୍ତି ।

Also read:ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ଆସିଲା ଟ୍ୱିଷ୍ଟ, ବହିରୁ ମିଳିଲା ସୁଇସାଇଡ ନୋଟ