ପାହାଡ଼ ଉପରେ ବସି ପାଠ ପଢୁଛନ୍ତି ପିଲା । ହାତରେ ମୋବାଇଲ ଫୋନ ସାଙ୍ଗକୁ ବହି ଖାତା ଧରି ନିଜ ଜୀବନକୁ ବାଜିରେ ଲଗାଇ ଉଚ୍ଚ ସ୍ଥାନରେ ବସିଛନ୍ତି । ସେପଟେ ଗଛ ଡାଳର ବିଭିନ୍ନ ସ୍ଥାନରେ ଝୁଲୁଛି ମୋବାଇଲ ଫୋନ । ଆପଣଙ୍କ ପାଖରେ ସିନା ମୋବାଇଲ ଫୋନ ସାଙ୍ଗକୁ ନେଟୱର୍କ ଅଛି । କିନ୍ତୁ କିଛି ଲୋକଙ୍କୁ ଆଜି ଯାଏଁ ମିଳିପାରିନି ନେଟୱର୍କ ସୁବିଧା । ବୌଦ୍ଧ ବ୍ଲକ ଶଗଡା ଗ୍ରାମ ପଞ୍ଚାୟତର ଅନେକ ଗାଁକୁ ପହଞ୍ଚି ନାହିଁ ମୋବାଇଲ ସେବା । ଗାଁ ଠାରୁ ୧୦ କିଲୋମିଟର ଦୂରରେ ଥିବା ଏକ ପାହାଡ଼ ଉପରେ କେତେବେଳେ କେମିତି ଆସ ନେଟୱାର୍କ । ସେଥିପାଇଁ ପିଲାଏଁ ଅନଲାଇନ ପାଠ ପଢିବା ହେଉ କି ଜରୁରୀ କାମରେ ଫୋନ କରିବା ପାଇଁ ହେଉ ଏହି ପାହାଡ଼ ଉପରକୁ ଆସନ୍ତି । ଗଛ ଉପରେ ଚଢି ଦିନରାତି ସବୁବେଳେ ନେଟୱର୍କକୁ ଅପେକ୍ଷା କରନ୍ତି ଗାଁ ଲୋକେ ।
ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ଇଣ୍ଟରନେଟ ସେବା । ଦେଶ ସ୍ୱାଧିନ ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ବି ବୌଦ୍ଧ ବ୍ଲକର ଦୁର୍ଗମ ଅଞ୍ଚଳରେ ଏମିତି ଅନେକ ଗାଁ ରହିଛି ଯେଉଁ ଗାଁରେ ଇଣ୍ଟରନେଟ ସେବା କଣ ମୋବାଇଲ ଫୋନ ସେବା ବି ପହଞ୍ଚି ପାରିନି । ଫଳରେ ଶିକ୍ଷା ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି ଦୁର୍ଗମ ଅଞ୍ଚଳବାସୀ । କେବଳ ଶଗଡା ପଞ୍ଚାୟତ ନୁହଁ ଗୁନ୍ଦୁଳିଆ ପଞ୍ଚାୟତର ଅନେକ ଗାଁରେ ବି ସମାନ ଦଶା । ପାଠ ପଢିବା ହେଉ କି କାହାକୁ ଫୋନ କରିବା ପାଇଁ ହେଉ ପାହାଡ଼ ଶିଖରକୁ ଧାଇଁ ଯାଆନ୍ତି ପିଲାଠୁ ବୁଢା । କାରଣ ପାହାଡ଼ ଶିଖର ଉପରେ ଥିବା ପଥର ଉପରକୁ ଆସିଥାଏ ମୋବାଇଲ ନେଟୱାର୍କ ।
ଫୋନ ଆଉ ଇଣ୍ଟରନେଟ ସେବା ନ ମିଳିବାରୁ ବିଭିନ୍ନ ସମସ୍ୟା ଭୋଗୁଛନ୍ତି ଦୁର୍ଗମବାସୀ । ଏନେଇ ବାରମ୍ବାର ଜିଲା ପ୍ରଶାସନକୁ ଅଭିଯୋଗ ପରେ ମାଳତୀଗୁଚ୍ଛାପଡା ଗାଁରେ ଏକ BSNL ଟାୱାର ଦୁଇ ବର୍ଷ ହେଲା ବସିଛି ହେଲେ ଏଯାଏଁ ତାହା କାର୍ଯ୍ୟ କାରି ହୋଇ ନାହିଁ । ବୌଦ୍ଧ ବ୍ଲକ ଶଗଡା ପଞ୍ଚାୟତର ସିଗାଡି, ମେନକା ସାହି, ଚୁହୁରାକାନ, କୁଆ କୁମୁଡା, ବାତେପଙ୍ଗା, ବାଡେପଙ୍ଗା, ନେଟିଜୋର, ନଳୀକୁମ୍ପା, ମାଳତୀଗୁଚ୍ଛାପଡ଼ା, କାକଟପଙ୍ଗା ଭଳି ଅନେକ ଗାଁ ରହିଥିବାବେଳେ ଗୁନ୍ଦୁଳିଆ ପଞ୍ଚାୟତର ୨୫ରୁ ଉର୍ଦ୍ଧ୍ବ ଗାଁ ମାନଙ୍କରେ ପହଞ୍ଚି ପାରିନି ମୋବାଇଲ ଫୋନ ସେବା କି ଇଣ୍ଟରନେଟ ସେବା । ଏସବୁ ଅଞ୍ଚଳ ମାଓ ଅଧ୍ୟୁଷିତ ସାଙ୍ଗକୁ ଦୁର୍ଗମ ଘାଟିପାହାଡିଆ ଅଞ୍ଚଳ ହୋଇଥିବାରୁ ଏମାନଙ୍କ ପ୍ରତି କୌଣସି ଟେଲିକମ କମ୍ପାନୀ ହେଉ ଅବା ରାଜ୍ୟ କି କେନ୍ଦ୍ର ସରକାର କେହି ବି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଏନେଇ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଲୋକସଭାରେ ମାନ୍ୟବର ଟେଲିକମ ବିଭାଗ ମନ୍ତ୍ରୀଙ୍କୁ ଦୁର୍ଗମ ଅଞ୍ଚଳରେ ମୋବାଇଲ ଟାୱାର ବସାଇବାକୁ ଦାବି କରିଛନ୍ତି । ବୌଦ୍ଧ ବ୍ଲକର ଏସବୁ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ମୋବାଇଲ ଫୋନ ସେବା ଓ ନେଟୱର୍କ କେବେ ମିଳୁଛି ତାହା ଦେଖିବାକୁ ବାକି ରହିଲା ।