ସୁପରସ୍ପ୍ରେଡର ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ୬୦ ପ୍ରତିଶତରୁ ଉର୍ଦ୍ଧ୍ବ ଲୋକ, ୭ ମାସର କରୋନା ହିଷ୍ଟ୍ରୀରୁ ଜଣାପଡିଲା ଏହି ତଥ୍ୟ

ସୁପରସ୍ପ୍ରେଡର ଦ୍ୱାରା ୬୦ ପ୍ରତିଶତରୁ ଅଧିକ ଜଣ କରୋନା ଆକ୍ରାନ୍ତ ହେଉଛନ୍ତି । ହଁ ଏପରି ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଭାଇରସ୍ ଦ୍ୱାରା ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ଦଶଭାଗରୁ ଏକ ଭାଗ ସୁପରସ୍ରେଡର ହୋଇଥାନ୍ତି । ଯାହାକି ୬୦ ପ୍ରତିଶତ ନୂଆ କରୋନା ସଂକ୍ରମଣର କାରଣ । ସେହିପରି ୭୦ ପ୍ରତିଶତ ସଂକ୍ରମିତ ରୋଗୀ କାହାରିକୁ ବି ରୋଗ ଦିଅନ୍ତି ନାହିଁ ଅର୍ଥାତ ଏମାନଙ୍କ ଠାରୁ ସଂକ୍ରମଣର ଆଶଙ୍କା ନଥାଏ । ସଂକ୍ରମଣ ପଦ୍ଧତି ପରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାଯାଇଛି । ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ପ୍ରାୟ ଏହିଭଳି ୮୫ ହଜାରରୁ ଉର୍ଦ୍ଧ୍ବ ମାମଲା ରହିଛି । ଛୋଟ ପିଲାମାନେ ମଧ୍ୟ ଆକ୍ଟିଭ୍ ଟ୍ରାନ୍ସମିଟର ହୋଇ ପାରନ୍ତି ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ୪୦ରୁ ୬୯ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ମୃତ୍ୟୁହାର ଅଧିକ ରହିଛି । କେବଳ ଭାରତରେ ନୁହଁ ସବୁ ଦେଶରେ ସୁପରସ୍ରେଡର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ଅଧ୍ୟୟନରୁ ଜଣାପଡ଼ିଛି ।
କହିରଖିବା ଉଚିତ ହେବଯେ, ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୬୩ ଲକ୍ଷ ପାର ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୮୬ ହଜାର ୮୨୧ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧୮୧ ଜଣଙ୍କ ମୃତ୍ୟୁ ହୋଇଛି । ତଥ୍ୟ ଅନୁଯାୟୀ ଦେଶରେ ଏଯାବତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୩ ଲକ୍ଷ ୧୨ ହଜାର ୫୮୫ ଛୁଇଁଥିବା ବେଳେ ମୃତକ ସଂଖ୍ୟା ୯୮ ହଜାର ୬୭୮ ଛୁଇଁଛି । ସେପଟେ ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ପାର ହୋଇଗଲାଣି ।