ଶେଷରେ ସ୍ଥାପନ ହେଲା ମା’ ବୁଢ଼ୀ ସାଆନ୍ତାଣୀଙ୍କ ଶୁଭଖୁଣ୍ଟି, କରୋନା କଟକଣା ମଧ୍ୟରେ ବିରାଜିବେ ମା’

ଘଣ୍ଟଘଣ୍ଟା, ଭେରି, ତୁରୀ, ବାଜା, ଶଙ୍ଖର ତାଳେ ତାଳେ ସ୍ଥାପନ ହେଲା ମା’ ବୁଢ଼ୀ ସାଆନ୍ତାଣୀଙ୍କ ଶୁଭଖୁଣ୍ଟି। ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ଶେଷରେ ମା’ଙ୍କ ଶୁଭଖୁଣ୍ଟି ସ୍ଥାପନ ହୋଇଛି । ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ସାଆନ୍ତାଣୀଙ୍କ ଐତିହାସିକ ଦ୍ଵି-ବାର୍ଷିକ ଠାକୁରାଣୀ ଯାତ୍ରା ପାଇଁ ସୋମବାର ବିଳମ୍ବିତ ରାତିରେ ଦେଶୀ ବେହେରା ସାହିରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।

ରେଶମ ସହର ବ୍ରହ୍ମପୁରରେ ଆରମ୍ଭ ହେବାକୁ ଯାଉଛି ମା’ ବୁଢ଼ୀ ସାଆନ୍ତାଣୀଙ୍କ ଯାତ୍ରା। ଏଥିପାଇଁ ମା’ଙ୍କର ବାପ ଘର ଏବଂ ଶାଶୁ ଘର ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ବ୍ରହ୍ମପୁର ବାପ ଘରକୁ ଯିବେ ମାଆ। ବିରାଟ ପଟୁଆରରେ ଶାଶୁ ଘରୁ ବାହାରି ବାପ ଘରେ ବିଜେ କରିବେ ମା’ ବୁଢ଼ୀ ସାଆନ୍ତାଣୀ। ରେଶମ ସହରରେ ଏହି ଯାତ୍ରାର ପରମ୍ପରା ବହୁ ପୁରାତନ । ପ୍ରତି ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ ଏହି ଯାତ୍ରା । ଶାଶୁଘର ତଥା ସ୍ଥାୟୀ ମନ୍ଦିରରେ ମାଆ ଦର୍ଶନ ଦେଉଥିଲେ ମଧ୍ୟ ଏହି ଯାତ୍ରାକୁ ଉତ୍କଣ୍ଠାର ସହ ଅନାଇ ବସିଥାନ୍ତି ଶହ ଶହ ଶ୍ରଦ୍ଧାଳୁ ।

maa

ଐତିହାସିକ ଦୃଷ୍ଟିରୁ ଏହି ଯାତ୍ରାର ଅନେକ ଗୁରୁତ୍ବ ରହିଛି। ମା’ଙ୍କର ଯାତ୍ରା ବ୍ରହ୍ମପୁର ସହରରେ ୧୬୭୨ ମସିହାରେ ଆରମ୍ଭ ହୋଇଥିବା କଥା କିଛି ଇତିହାସ ପୁସ୍ତିକାରୁ ଜଣାପଡ଼େ।ମହୁରୀ ରାଜାଙ୍କ ଅନୁରୋଧ କ୍ରମେ ରାଜମହେନ୍ଦ୍ରୀରୁ କିଛି ବୁଣାକାର ପରିବାର ଆସି ବ୍ରହ୍ମପୁର ସହରରେ ବସବାସ କରିଥିଲେ। ଏଠାରେ ସେମାନେ ନିଜ ଇଷ୍ଟଦେବୀଙ୍କ ଘଟଯାତ୍ରା ଆୟୋଜନ କରୁଥିଲେ ଏବଂ ପରେ ଏହା ଠାକୁରାଣୀ ଯାତ୍ରା ଭାବେ ପ୍ରସିଦ୍ଧି ଲାଭ କରିଥିଲା। ଏହି ଯାତ୍ରାର ଇତିହାସ ଅତ୍ୟନ୍ତ ରୋଚକ ଏବଂ ଆଶ୍ଚର୍ଯ୍ୟଜନକ। ଠାକୁରାଣୀ ଯାତ୍ରାର ଇତିହାସରେ କୁହାଯାଇଛି ଯେ ବ୍ରହ୍ମପୁରର ଆରାଧ୍ୟ ମା’ ବୁଢ଼ୀ ସାଆନ୍ତାଣୀ ଠାକୁରାଣୀ ଦେଶୀ ବେହେରାଙ୍କ କନ୍ୟା ଭାବରେ ଏହି ଯାତ୍ରା ସମୟରେ ଆସି ନିଜ ବାପ ଘରେ ରହନ୍ତି। ଏହି ସମୟରେ ଏକ ଅସ୍ଥାୟୀ ମନ୍ଦିରରେ ମା’ଙ୍କର ପୂଜାର୍ଚ୍ଚନା କରାଯାଏ।

maa2

ପରମ୍ପରା ଅନୁସାରେ ରାତିରେ ପ୍ରଥମେ ବୈଠକ ବସି ଆସନ୍ତା ୯ ତାରିଖରୁ ଯାତ୍ରା ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଥିଲା। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଯାତ୍ରା ପାଇଁ ୭ ଦିନ ସମୟ ଦିଆଯାଇଛି, ତେବେ ସ୍ଥିତି ଠିକ ରହିଲେ ଅବଧି ବଢାଯାଇପାରେ ବୋଲି କୁହାଯାଇଥିବାରୁ ବୈଠକରେ ପୂର୍ବପରି ଯାତ୍ରାର ଶେଷ ତାରିଖ ଘୋଷଣା କରାଯାଇନାହିଁ। ଅନ୍ୟପଟେ ଯାତ୍ରା ତାରିଖ ଘୋଷଣା ସହ ଶୁଭଖୁଣ୍ଟି ସ୍ଥାପନ ହୋଇଥିବାରୁ ସବୁ ମହଲରେ ଆନନ୍ଦ ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.