ଓ. ପି.ଙ୍କ ଦଶା ଭୋଗିବେନି ତ ‘ଅ’ପରାଜିତା ?

() ପ୍ରଶାସକ ଚାକିରି ଛାଡ଼ି ରାଜନୀତିରେ ପାଦ ଥାପିଥିଲେ ଛତିଶଗଡ଼ର ଆଇଏଏସ୍ ଓ. ପି. ଚୌଧୁରୀ । ରାଜ୍ୟ ବିଧାନସଭା ନିର୍ବାଚନ ଆଗରୁ ପଦ୍ମ ପୋଖରୀରେ ବୁଡ଼ ପକାଇଥିଲେ ୨୦୦୫ କ୍ୟାଡର ଆଇଏଏସ୍ ବାବୁ । ଦିଲ୍ଲୀ ଦରବାରରେ ତାଙ୍କୁ ନେଇ ମିଶାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ । ଅମିତ ଶାହଙ୍କ ବାସଭବନରେ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ ଓ. ପି. ଚୌଧୁରୀ । ମାତ୍ର ୫ ବର୍ଷ ଆଇଏଏସ୍ ସରକାରୀ ଚାକିରି ଛାଡ଼ି ରାଜନୀତି କରିବାକୁ ମନ ବଳାଇଥିଲେ । ଚଳିତ ବିଧାନସଭା ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ଖରସିଆଁରୁ ନିର୍ବାଚନ ଲଢ଼ିଥିଲେ ଓ. ପି. ଚୌଧୁରୀ । କିନ୍ତୁ ଜିତି ପାରିଲେ ନାହିଁ ରାୟପୁରର ଏହି ପୂର୍ବତନ ଜିଲ୍ଲାପାଳ । କଂଗ୍ରେସ ବିଧାୟକ ଉମେଶ ପଟେଲଙ୍କଠାରୁ ପାଖାପାଖି ୧୫ ହଜାର ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି ।
ରାଇଗଡ଼ ଜିଲ୍ଲାରେ ଓ.ପି. ଚୌଧୁରୀଙ୍କ ଘର । ଜିଲ୍ଲାପାଳ ଥିବା ବେଳେ ନକ୍ସଲ ଅଧ୍ୟଷିତ ଦାନ୍ତେଓ୍ଵାଡ଼ାର ଜଓ୍ଵାଙ୍ଗରେ ସେ ଶିକ୍ଷାର ଆଲୋକ ବୁଣିଥିରେ । ଜଓ୍ଵାଙ୍ଗ ସହରକୁ ଶିକ୍ଷା ଜିଲ୍ଲାରେ ପରିଣତ କରିଥିଲେ ଓ. ପି. ଚୌଧୁରୀ । ଲୋକ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୦୧୩ ମସିହାରେ ତାଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନିତ କରିଥିଲେ । ସେହିପରି ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି । ଗତ ଅଗଷ୍ଟ ମାସରେ ବିଜେପିରେ ଯୋଗ ଦେଇଥିଲେ । ଛତିଶଗଡ଼ ବିଜେପିର ୟୁଥ୍ ଆଇକନ୍ ଭାବରେ ଉଭା ହୋଇଥିଲେ ଓ. ପି. ଚୌଧୁରୀ । କିନ୍ତୁ ନିର୍ବାଚନ ଫଳ ହେଲା ଓଲଟା । ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିଲେ । ରାଜନୀତିରେ ପାଦ ଥାପୁ ଥାପୁ ନିଜ ମାଟିରେ ହାରିଗଲେ ।
ଓ. ପି. ଚୌଧୁରୀଙ୍କ ପରାଜୟ ପରେ ଏବେ ଓଡ଼ିଶା କ୍ୟାଡର ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀକୁ ନେଇ ଚର୍ଚ୍ଚା । ପ୍ରଶ୍ନ ଉଠୁଛି ସମ ଦଶା ଭୋଗିବେ କି ମ୍ୟାଡାମ୍ ? ଏବେ ଏବେ ରାଜନୀତି ଡଙ୍ଗାରେ ପାଦ ଦେଇଛନ୍ତି ଅପରାଜିତା । ବିହାରର ଝିଅ ସେ ଓଡ଼ିଆ ଘରର ବୋହୂ । ନିଜକୁ ଓଡ଼ିଆଣୀ ବୋଲି କହୁଛନ୍ତି, କିନ୍ତୁ ରାଜ୍ୟବାସୀଙ୍କ ପାଖରେ କେତେ ଗ୍ରହଣୀୟ ହେବେ ? ଛତିଶଗଡ଼ର ଓ. ପି. ଚୌଧୁରୀଙ୍କୁ ନିଜ ମାଟିରେ ପରାଜୟର ମୁହଁ ଦେଖିବାକୁ ପଡ଼ିଲା ଅପରାଜିତାଙ୍କ କ୍ଷେତ୍ରରେ ସେମିତି କିଛି ହେବ ନାହିଁ ତ ? ଓ.ପି. ଓ ଅପରାଜିତାଙ୍କ ମଧ୍ୟରେ ସମୟ ଓ ପରିସ୍ଥିତି ପାଖାପାଖି ସମାନ । ଓ. ପି. ଯେମିତି ଓ ଯେଭଳି ଢଙ୍ଗରେ ଏବଂ ଯେଉଁ ସମୟରେ ବିଜେପିରେ ଯୋଗ ଦେଲେ, ଠିକ୍ ସେମିତି ଅପରାଜିତାଙ୍କ କ୍ଷେତ୍ରରେ ବି ଦେଖିବାକୁ ମିଳିଛି । ଅପରାଜିତା କହିଛନ୍ତି, ବିଜେପିର ନୀତି ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି । ଓ. ପି. ଚୌଧୁରୀ ବି ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ମାତ୍ର ୫ ବର୍ଷର ଆଇଏଏସ୍ ଚାକିରି ଛାଡ଼ି ବହୁତ ବଡ଼ ରିସ୍କ ନେଇଥିଲେ ଓ. ପି. ।
ହେଲେ ତାଙ୍କ ଆଶା ଆଶାରେ ହିଁ ରହିଗଲା । ଓ. ପି. ଚୌଧୁରୀଙ୍କ ଭଳି ଓଡ଼ିଶାରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଥିବା ବେଳେ ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାର ଆଣିଥିଲେ ଅପରାଜିତା । ସ୍କୁଲ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳ ଓ ସ୍କୁଲ କାନ୍ଥରେ ଟୋଲ୍ ଫ୍ରି ନମ୍ବର ବ୍ୟବସ୍ଥା କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଡ୍ରେସ୍ କୋଡ୍ ବି କରିଥିଲେ ଅପରାଜିତା । ଏଥିପାଇଁ ପ୍ରଶଂସା ସାଉଁଟି ଥିବା ବେଳେ ନିନ୍ଦା ବି ଶୁଣିଥିଲେ ।
ରୋକଠୋକ ସ୍ୱଭାବ ଓ କଡ଼ା ମିଜାଜର ଅପରାଜିତା ପ୍ରଶାସିକାରୁ ପଲିଟିକ୍ସକୁ ଆସିବା ପରେ ଆଗ୍ରେସିଭ୍ ମୁଡ୍ରେ ତାଙ୍କୁ ଦେଖିବାକୁ ମିଳୁଛି । ନିକଟରେ ଖୋର୍ଦ୍ଧାରେ ବିଜେପି କର୍ମୀଙ୍କୁ ସେ ଦେଉଥିବା ଉଦବୋଧନର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ କର୍ମୀଙ୍କୁ ନିର୍ବାଚନ ଜିତାଇବାର ଫଣ୍ଡା କହୁଥିଲେ ମ୍ୟାଡାମ ଅପରାଜିତା । ଗୋଷ୍ଠୀ କନ୍ଦଳ ଛାଡ଼ି ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରାଇବା ସମସ୍ତଙ୍କ କର୍ତ୍ତବ୍ୟ ଓ ଧର୍ମ ବୋଲି କହିଥିଲେ । ତାଙ୍କର ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଚର୍ଚ୍ଚା ହେଲା ଅପରାଜିତା ହୋଇପାରନ୍ତି ବିଜେପିର ୨୦୧୯ରେ ମୁଖ୍ୟମନ୍ତ୍ରୀ ଫେସ୍ ।
ତେବେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା, ତାହା ତ ଆଗକୁ ସ୍ପଷ୍ଟ ହେବ । କିନ୍ତୁ ଏକଥା ସତ ଯେ ଅପରାଜିତାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ । ଆଗାମୀ ନିର୍ବାଚନରେ ଅପରାଜିତା ବିଜେପି ଟିକେଟରେ ନିର୍ବାଚନ ଲଢ଼ିବା ପ୍ରାୟ ନିଶ୍ଚିତ । କିନ୍ତୁ ରାଜନୀତିରେ ଆଇଏଏସ୍ ଅଫିସର ବିଫଳ ହେବାର ଅନେକ ନଜିର ରହିଛି । ବିଜେପିର ଏହି ଫଣ୍ଡା ପୂର୍ବରୁ ଦିଲ୍ଲୀରେ ଫେଲ୍ ମାରିଥିଲା । ବରିଷ୍ଠ ଆଇପିଏସ୍ ଅଫିସର କିରଣ ବେଦୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ପ୍ରୋଜେକ୍ଟ କରିଥିଲା ବିଜେପି । କିନ୍ତୁ ବିଜେପି ନେତୃତ୍ୱଙ୍କ ଫର୍ମୂଲା ଫେଲ୍ ମାରିଥିଲା । ହାରିଥିଲେ କିରଣ ବେଦୀ । ଯଦି ଅପରାଜିତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଆଗକୁ ଆଣିବ, ଦିଲ୍ଲୀ ଦଶା ରିପିଟ୍ ହେବ ନାହିଁ ତ ? କାରଣ ପ୍ରଶାସକଙ୍କ ରାଜନୀତି ଉପରେ ଭଲ ଲାଗେ ହେଲେ ତୃଣମୂଳ ସ୍ତରର ରାଜନୀତିରେ ଏମାନେ ପ୍ରାୟତଃ ଫେଲ୍ ମାରିଥାନ୍ତି । ଯାହାର ଉଦାହରଣ ଓଡ଼ିଶାରେ ଅଭାବ ନାହିଁ ।
ଅଜିତ କୁମାର ଦେହୁରୀ