ଦିନକୁ ୧୬ ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖନ୍ତି ସୁନିତା ୱିଲିୟମ୍ସ, କିନ୍ତୁ ଏହା କିଭଳି ସମ୍ଭବ !
ପୃଥିବୀରେ ଦିନକୁ ଥରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିପାରନ୍ତି ଲୋକେ । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ଥିବା ମହାକାଶଚାରୀମାନେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦିନକୁ ଥରେ ନୁହେଁ ବରଂ ୧୬ ଥର ଦେଖିପାରନ୍ତି । ୫ ମାସ ହେଲାଣି ସ୍ପେସ ଷ୍ଟେସନରେ ଫସିଥିବା ରହିଥିବା ସୁନିତା ୱିଲିୟମ୍ସ ପ୍ରତିଦିନ ୧୬ ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିପାରନ୍ତି ।
୨୦୧୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଗୁଜରାଟ ବିଶ୍ୱବିଦ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସମୟରେ ୱିଲିୟମ୍ସ ଏହି ବାସ୍ତବ ଅନୁଭୂତିକୁ ବର୍ଣ୍ଣନା କରିଥିଲେ । ସେ କହିଥିଲେ, ମୁଁ ମହାକାଶକୁ ଯିବାକୁ ଚାହୁଥିଲି ଏବଂ ସେଥିପାଇଁ କଠିନ ପରିଶ୍ରମ କରିଥିଲି। ତେଣୁ ମୁଁ ଏଥିରେ ସଫଳ ହୋଇଥିଲି ଏବଂ ଦ୍ରୁତଗତିରେ ଗତି କରୁଥିବା ମହାକାଶଯାନରେ ଦିନକୁ ୧୬ଟି ସୂର୍ଯ୍ୟୋଦୟ ଓ ୧୬ଟି ସୂର୍ଯ୍ୟାସ୍ତ ଦେଖୁଥିଲି ।
ବୋଇଂ ଷ୍ଟାର୍ଲାଇନର୍ ମହାକାଶଯାନର ପ୍ରତ୍ୟାବର୍ତ୍ତନ କାର୍ଯ୍ୟସୂଚୀରେ ବିଳମ୍ବ ହେତୁ ସୁନିତା ମହାକାଶରେ ଫସି ରହିଛନ୍ତି । ଫେବ୍ରୁଆରି ୨୦୨୫ ପର୍ଯ୍ୟନ୍ତ ତାଙ୍କୁ ସେଠାରେ ରହିବାକୁ ପଡ଼ିବ । ସୁନିତା ୨୪ ଘଣ୍ଟା ମଧ୍ୟରେ ଏକାଧିକ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିବାର ସୁଯୋଗ ପାଉଛନ୍ତି । ଘଣ୍ଟାପ୍ରତି ପ୍ରାୟ ୨୮,୦୦୦ କିଲୋମିଟର ବେଗରେ ପୃଥିବୀକୁ ପରିକ୍ରମା କରୁଥିବା ଆଇଏସ୍ଏସ୍ ପ୍ରତି ୯୦ ମିନିଟ୍ରେ ଏକ ପୂର୍ଣ୍ଣ କକ୍ଷପଥ ଭ୍ରମଣ ଶେଷ କରିଥାଏ । ପୃଥିବୀ ଚାରିପଟେ ଏହା ଦ୍ରୁତ ଗତିରେ ଯାଉଥିବା ଯୋଗୁଁ ମହାକାଶଚାରୀମାନେ ପ୍ରାୟ ପ୍ରତି ୪୫ ମିନିଟ୍ରେ ଥରେ ସୂର୍ଯ୍ୟୋଦୟ କିମ୍ବା ସୂର୍ଯ୍ୟାସ୍ତ ଦେଖନ୍ତି । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ମହାକାଶଚାରୀମାନଙ୍କ ପାଇଁ ପ୍ରତି ୯୦ ମିନିଟ୍ରେ ପୃଥିବୀକୁ ପରିକ୍ରମା କରୁଥିବାରୁ ଏତେଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖାନ୍ତି ।
ସୁନିତା ୱିଲିୟମ୍ସ ଜୁନ ୪ ତାରିଖରେ ବୋଇଂ ଷ୍ଟାରଲାଇନର ସ୍ପେସକ୍ରାଫ୍ଟ ଜରିଆରେ ମହାକାଶ ଯାଇଥିଲେ । ଏହି ମିଶନ ଜରିଆରେ ସୁନିତା ୮ ଦିନ ସ୍ପେସ ଷ୍ଟେସନରେ ରହିଥାନ୍ତେ । ରସର୍ଚ୍ଚ ଏବଂ ଏକ୍ସପେରିମେଣ୍ଟ ପରି ୧୩ ଜୁନରେ ଫେରିଥାନ୍ତେ । କିନ୍ତୁ ସ୍ପେସକ୍ରାଫ୍ଟରେ ବୈଷୟିକ ତ୍ରୁଟି ଯୋଗୁଁ ଗତ ୫ ମାସ ହେଲାଣି ସେଠାରେ ଫସିଛନ୍ତି ।