୯ ମାସ ପରେ ଫେରିଲେ ସୁନୀତା ୱିଲିୟମ୍ସ, ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚାରିଆଡେ ଚର୍ଚ୍ଚା

ୱେଲକମ୍ ସୁନୀତା । ଦୀର୍ଘ ଦିନର ଅପେକ୍ଷା ପରେ ମହାକାଶରୁ ଫେରିଲେ ସୁନୀତା ୱିଲିୟମ୍ସ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ଲ୍ୟାଣ୍ଡ ହୋଇଛି ଡ୍ରାଗନ୍ ମହାକାଶ ଯାନ । ଆଜି ପୃଥିବୀ ଲୋକକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ । ମହାକାଶ କେନ୍ଦ୍ରରୁ ପୃଥିବୀ ପୃଷ୍ଠକୁ ଥିଲା ୧୭ ଘଣ୍ଟାର ଯାତ୍ରା । ଏହି ସମସ୍ତ ମହାକାଶଚାରୀମାନେ ସ୍ପେଶଏକ୍ସ (SpaceX) ଡ୍ରାଗନ୍ ମହାକାଶ ଯାନ ମାଧ୍ୟମରେ ଫ୍ଲୋରିଡାର ଗଲ୍ଫ୍ କୋଷ୍ଟରେ ସୁରକ୍ଷିତ ଭାବରେ ଅବତରଣ କରିଛନ୍ତି ।
ହେଲେ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବଚ୍ ୱିଲମୋରଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ୮ ଦିନ ପାଇଁ ଯାଇ ୯ ମାସ ରହିବା ପରେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି ତାହା ଜାଣିବାକୁ ହେବ । ବର୍ତ୍ତମାନ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ଚିକିତ୍ସା କରାଯିବ । ଏଥି ସହ ୱିଲିୟମ୍ସ ଏବଂ ତାଙ୍କ ସାଥୀଙ୍କୁ ଅବଜରଭେସନରେ ମଧ୍ୟ ରଖାଯିବ । ସ୍ପେସ୍ କ୍ରାଫ୍ଟରେ ସୁନୀତା ୱିଲିୟମ୍ସ, ବୁଚ୍ ୱିଲମୋରଙ୍କ ସହ ଥିଲେ ନାସାର ନିକ୍ ହଗ୍ ଓ ରୁଷ ମହାକାଶଚାରୀ ଆଲେକଜେଣ୍ଡାର ଗୋରବୁନୋଭ ।
କ୍ରୁ-୯ ମାର୍ଚ୍ଚ 18, 2025ରେ ଭାରତୀୟ ସମୟ (IST) ପୂର୍ବାହ୍ନ 10.35ରେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନର ହ୍ୟାଚ୍ ବନ୍ଦ କରି ଅନଡକ୍ କରି ପୃଥିବୀ ଆଡକୁ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ସ୍ପେଶଏକ୍ସର ଡ୍ରାଗନ୍ ମହାକାଶ ଯାନ ପୃଥିବୀକୁ ଫେରିବା ପାଇଁ ଏକ ସ୍ବତନ୍ତ୍ର ପଦ୍ଧତି ଗ୍ରହଣ କରିଥିଲା । ଯାହାଦ୍ବାରା ମହାକାଶ ଯାନ ସୁରକ୍ଷିତ ଭାବରେ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରିଥିଲା ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ ପାଣିରେ ଅବତରଣ କରିପାରିଛି । ଏହି ସମୟରେ ଡଲଫିନ୍ ମହାକାଶଚାରୀମାନଙ୍କୁ ସ୍ୱାଗତ କରିଥିଲେ ।
କ୍ୟାପସୁଲ୍ ଚାରିପାଖରେ ପହଁରି ସୁନିତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଡଲଫିନ୍ । ଯାହାପରେ ଜାହାଜ ଦ୍ୱାରା ମହାକାଶଚାରୀଙ୍କୁ ପୁନରୁଦ୍ଧାର କରାଯାଇଥିଲା । ସୂଚନା ଅନୁସାରେ ଗତ ବର୍ଷ ଜୁନ ମାସ ୫ ତାରିଖରେ ସୁନୀତା ଓ ବୁଚ୍ ୮ ଦିନ ପାଇଁ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ ଯାଇଥିଲେ । କିନ୍ତୁ ବୋଇଂ ଷ୍ଟାରଲାଇନର କ୍ୟାପ୍ସୁଲରେ ତ୍ରୁଟି ଯୋଗୁଁ ଆଉ ପୃଥିବୀ ପୃଷ୍ଠକୁ ଫେରି ପାରିନଥିଲେ । ୮ ଦିନ ପାଇଁ ଯାଇ ୯ ମାସରୁ ଅଧିକ ସମୟ ରହିଗଲେ ।
ନିୟମ ଅନୁଯାୟୀ ଜଣେ ମହାକାଶଚାରୀ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ୬ ମାସରୁ ଅଧିକ ଦିନ ରୁହନ୍ତି ନାହିଁ । କିନ୍ତୁ ସୁନୀତା ଏବଂ ବଚ୍ ଗତ ୯ ମାସ ହେବ ମହାକାଶରେ ରହିଥିଲେ । ଅନ୍ୟପଟେ ସ୍ପେସ ଷ୍ଟେସନ ଭିତରେ ଗୁରୁତ୍ୱାକର୍ଷଣ ଶକ୍ତି ନାହିଁ । ତାହାରି ଭିତରେ ୮ ଦିନ ପାଇଁ ଯାଇ ୯ ମାସ ରହିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟକୁ ନିଶ୍ଚିତ ପ୍ରଭାବିତ କରିବ । ତେବେ ଚିକିତ୍ସା ପରେ ହିଁ ଜଣାପଡିବ ମହାକାଶରୁ ଫେରିବା ପରେ ବର୍ତ୍ତମାନ ସୁନିତାଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ।