ମହାକାଶରୁ ଫେରିବେ ସୁନୀତା ୱିଲିୟମ୍ସ, ଫ୍ଲୋରିଡା କୋଷ୍ଟରେ ଅବତରଣ କରିବ ସ୍ପେସ୍ କ୍ରାଫ୍ଟ

ମହାକାଶକୁ ଅନେକ ମହାକାଶଚାରୀ ଯାତ୍ରା କରୁଛନ୍ତି । କିନ୍ତୁ ବର୍ତ୍ତମାନ ଯାତ୍ରା କରି ପୃଥିବୀକୁ ଫେରୁଥିବା ଜଣେ ମହିଳା ମହାକାଶଚାରୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ହାସଲ କରିଛନ୍ତି ଏଭଳି ବଡ଼ ସଫଳତା । ସ୍ପେସ୍ ମିଶନରେ ମହାକାଶଯାନ ଉଡ଼ାଇଥିବା ସୁନୀତା ୱିଲିୟମ୍ସ ହୋଇଛନ୍ତି ପ୍ରଥମ ମହିଳା । ଏହି ସମୟ ମଧ୍ୟରେ ନାସାର ମହାକାଶଚାରୀ ବଚ୍‌ ୱିଲମୋର ମଧ୍ୟ ତାଙ୍କ ସହ ମହାକାଶ ଯାତ୍ରା କରିଥିଲେ । ସୁନୀତାଙ୍କ ଏହି ପଦକ୍ଷେପକୁ ନେଇ କେବଳ ଭାରତ ନୁହେଁ ସାରା ବିଶ୍ୱରେ ତାଙ୍କର ଚର୍ଚ୍ଚା ହେଉଛି ।

ଶେଷରେ ଅପେକ୍ଷାର ହେବ ଅନ୍ତ । ଆଜି ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ । ସୁନୀତା ଓ ସାଥୀ ବୁଚ୍ ୱିଲମୋରଙ୍କୁ ନେଇ ଫ୍ଲୋରିଡା କୋଷ୍ଟରେ ଅବତରଣ କରିବ ସ୍ପେସ୍ କ୍ରାଫ୍ଟ । ଆମେରିକୀୟ ସମୟ ରାତି ୧ଟା ୫ ମିନିଟରେ ଅନଡକିଂ ହେବ । ଭାରତୀୟ ସମୟ ଆସନ୍ତାକାଲି ଭୋର ୩ଟା ୩୭ ମିନିଟ୍ ରହିଛି ।

ଫ୍ଲୋରିଡା ତଟରେ ସୁନୀତାଙ୍କ ସହିତ ଓହ୍ଲାଇବେ ୪ ମହାକାଶଚାରୀ । ଭାରତୀୟ ସମୟ ଅନୁସାରେ ସକାଳ ୧୦.୩୫ ମିନିଟରେ ସ୍ପେସଏକ୍ସର ଡ୍ରାଗନ ମହାକାଶଯାନ ତାଙ୍କୁ ଏବଂ ଅନ୍ୟ ଦୁଇ ମହାକାଶଚାରୀଙ୍କୁ ଧରି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ଛାଡିଛି । ୧୮ ହଜାର ଫିଟ୍ ଉପରେ ଖୋଲିବ ପାରାସୁଟ୍ । ଏହାପରେ ସମୁଦ୍ରରେ ଲ୍ୟାଣ୍ଡ କରିବ ।

ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନରୁ ଫେରିବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଓ ଏଲନ ମସ୍କଙ୍କୁ ସୁନୀତା ୱିଲିୟମସ୍ ଓ ତାଙ୍କ ମହକାଶଚାରୀ ସାଥୀ ଧନ୍ୟବାଦ ଜଣାଇଛନ୍ତି । ୯ ମାସ ହେଲା ISSରେ ଫସି ରହିଥିଲେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ୱିଲ୍ ବୁଚ୍ ମୋର୍ । ୮ ଦିନ ପାଇଁ ଯାତ୍ରା କରିଥିଲେ, ମାତ୍ର ୯ ମାସ ରହିଲେଣି । ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମହାକାଶରେ ୯ମାସ ହେବ ଫସି ରହିଥିଲେ ସୁନିତା ଓ ତାଙ୍କ ସହଯୋଗୀ । ତାଙ୍କୁ ଫେରାଇ ଆଣିବାକୁ ଶୁକ୍ରବାର ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ କ୍ରୁ-୧୦ ଡ୍ରାଗନ ସ୍ପେସ୍ କ୍ରାଫ୍ଟ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯାତ୍ରା କରିଥିଲା ।

ସୂଚନାଯୋଗ୍ୟ ଯେ ୨୦୧୨ରେ ସୁନୀତା ୱିଲିୟମ୍ସ ପ୍ରଥମ ମହିଳା ଭାବରେ ମହାକାଶରେ ଏକ ଟ୍ରାଇଥଲନ୍ ସମାପ୍ତ କରିଥିଲେ । ସୁନୀତା ୱିଲିୟମ୍ସ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ତାଙ୍କର ସୀମା କେବଳ ଆକାଶ ନୁହେଁ ବରଂ ମହାକାଶରେ ମଧ୍ୟ ସେ ଯାତ୍ରା କରିପାରିବେ । ତାଙ୍କର ଅବଦାନ ମହାକାଶ ରିସର୍ଚ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଭବିଷ୍ୟତ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ହେବ ।

ୱିଲିୟମ୍ସ ଏବଂ ବଚ ୱିଲମୋରଙ୍କୁ ନେଇ ବୋଇଙ୍ଗର କ୍ରୁ ଫ୍ଲାଇଟ୍ ଟେଷ୍ଟ ମିଶନ ଫ୍ଲୋରିଡାର କେପ କ୍ୟାନଭେରାଲ ସ୍ପେସ୍ ଫୋର୍ସ ଷ୍ଟେସନରୁ ଉଡ଼ାଣ ଭରିଥିଲା । ୫୮ ବର୍ଷିୟ ୱିଲିୟମ୍ସ ଫ୍ଲାଇଟ୍ ଟେଷ୍ଟ ପାଇଲଟ୍ ହୋଇଥିବାବେଳେ ୬୧ ବର୍ଷିୟ ୱିଲମୋର ମିଶନର କମାଣ୍ଡର ଭାବେ ସ୍ପେସ୍‌ କୁ ଯାଇଥିଲେ, ହେଲେ ସେଠାରୁ ଫେରିପାରି ନଥିଲେ । ଦୀର୍ଘ ୯ ମାସ ଧରି ସେଠାରେ ଫସି ରହିବା ପରେ ଏବେ ଏହି ମହାକାଶଚାରୀ ପୃଥିବୀକୁ ଫେରିବେ ।