ସୁପ୍ରଭାଙ୍କ ନିଆରା ପ୍ରୟାସ, ଅଦରକାରୀ ଜିନିଷରେ କରୁଛନ୍ତି ଚିତ୍ରକଳା

ଅଦରକାରୀ ଜିନିଷରୁ ସୁନ୍ଦର ସୁନ୍ଦର ଜିନିଷ ପ୍ରସ୍ତୁତ କରି ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି ଜଣେ ଗୃହିଣୀ । ବଜ୍ୟବର୍ସ୍ତୁକୁ ପୁନଃ ବ୍ୟବହାର ଯୋଗ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ଦ୍ୱାରା ପରିବେଶ ପ୍ରଦୂଷଣକୁ ରୋକାଯାଇପାରୁଛି  ।  ଯାଜପୁର ପୌରପାଳିକା ଶ୍ରୀରାମପୁର ଅଞ୍ଚଳର ସୁପ୍ରଭା ସାହୁ ଏଭଳି ନିଆରା କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଦିନେ ଯାହା ସମସ୍ତଙ୍କ ପାଇଁ ଅଦରକାରୀ ଥିଲା ତାହା ଆଜି ଦରକାରୀ ସାମଗ୍ରୀରେ ପରିଣତ ହୋଇପାରିଛି ।  ଆଉ ଏହାକୁ ସମ୍ଭବ କରି ଦେଖାଇଛନ୍ତି ଯାଜପୁର ପୌରପାଳିକା ଶ୍ରୀରାମପୁର ଅଞ୍ଚଳର ରାମକୃଷ୍ଣ ମିଶ୍ରଙ୍କ ପତ୍ନୀ  ସୁପ୍ରଭା ସାହୁ । ଛୋଟ ବେଳରୁ ଚିତ୍ର ପ୍ରତି ଥିଲା ପ୍ରବଳ ଦୁର୍ବଳତା ।  ବିବାହ ପରେ ଘରର ନିତ୍ୟକାର୍ଯ୍ୟ ସାରି ସମୟ ବାହାର କରି ଏଭଳି ଚିତ୍ର କଳାରେ ଲାଗି ପଡନ୍ତି l ଦୀର୍ଘ ଦିନ ହେବ ସେ ବିଭିନ୍ନ ଅଦରକାରୀ ଜିନିଷରୁ ପ୍ରସ୍ତୁତ କରୁଛନ୍ତି ଭଳି କି ଭଳି ସୁନ୍ଦର ଜିନିଷ । ଯାହାକୁ ଦେଖିଲେ ଯେ କେହି ବି ଘଡିଏ ଅଟକି ଯିବ । ଆଖପାଖରେ ମିଳୁଥିବା ଅଦରକାରୀ ଜିନିଷକୁ ବ୍ୟବହାର କରି ଭଳିକି ଭଳି ସୁନ୍ଦର ଜିନିଷ ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଛନ୍ତି ସୁପ୍ରଭା ସାହୁ । ତାଙ୍କର ଏଭଳି ଉଦ୍ୟମ ଫଳରେ ପରିବେଶକୁ ପ୍ରଦୂଷଣରୁ ରକ୍ଷା କରାଯାଇ ପାରୁଛି ।

ଘର ଆଖପାଖ ଏବଂ ରାସ୍ତାଘାଟରୁ ମିଳୁଥିବା ପ୍ଲାଷ୍ଟିକ ଓ କାଚ ବୋତଲ, ଔଷଧ ଖୋଳ, ନଡିଆ ସଢେଇ, ଦୀପ, ପ୍ଲାଷ୍ଟିକ ଚା କପ, କଉଡି, କାଗଜ, ବାଦାମ ଚୋପା ସହ ଘରର ଅଦରକାରୀ ଜନିଷକୁ ବ୍ୟବହାର କରି ସୁନ୍ଦର ସୁନ୍ଦର ଚିତ୍ର ଓ ଜିନିଷ କରି ସମସ୍ତଙ୍କ ଦୃଷ୍ଟି ଆକଷର୍ଣ କରିପାରିଛନ୍ତି ସୁପ୍ରଭା । ବର୍ତ୍ତମାନ ସୁଦ୍ଧା ସେ ଶତାଧିକ ଚିତ୍ରକଳା ପ୍ରସ୍ତୁତ କରିପାରିଛନ୍ତି ।  ଅଧିକାଂଶ ଚିତ୍ରରେ ସେ ପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କିଥିବା ଦେଖିବାକୁ ମିଳେ ।  ଏହି ଜିନିଷ ବିକ୍ରି କରି କିଛି ଅର୍ଥ ରୋଜଗାର କରିବା ସହିତ ସେ ନିଜ ଘର ସଜାଇବା ଓ ଅନ୍ୟ ମାନଙ୍କୁ ଉପହାର ମଧ୍ୟ ଦେଉଛନ୍ତି ।  ଅନେକ ସମୟରେ ଭିଭିନ ଜାଗାରେ ଝୋଟି, ମୁରୁଜ ଓ ମେହେନ୍ଦି କରି ପୁରସ୍କୃତ ମଧ୍ୟ ହୋଇଛନ୍ତି । ପରିବେଶକୁ ସୁରକ୍ଷା ଦେବା ପାଇଁ ସୁପ୍ରଭାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଉଦ୍ୟମକୁ ଯଦି ସମସ୍ତେ ଗ୍ରହଣ କରନ୍ତେ  ତେବେ ଆମ ସହର ତଥା ରାଜ୍ୟ ପ୍ରଦୂଷଣରୁ ରକ୍ଷା ପାଇପାରିବ ।