ପରିଶ୍ରମ ହିଁ ସଫଳତାର ଚାବି କାଠି: କଟକର ସୁଶ୍ରିତା ମାହାନା ଯୁକ୍ତ ୨ ବାଣିଜ୍ୟରେ ରାଜ୍ୟ ଟପ୍ପର
ପରିବାରରେ ଖେଳିଯାଇଛି ଖୁସିର ଲହରୀ । ଘରର ଝିଅ ଆଜି ସୁନାମ ଆଣିଛି । କଥାରେ ଅଛି ପରିଶ୍ରମ ହିଁ ସଫଳତାର ଚାବି କାଠି । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି କଟକର ସୁନା ଝିଅ ସୁଶ୍ରିତା ମାହାନା ।

କଟକ(କେନ୍ୟୁଜ): ପରିବାରରେ ଖେଳିଯାଇଛି ଖୁସିର ଲହରୀ । ଘରର ଝିଅ ଆଜି ସୁନାମ ଆଣିଛି । କଥାରେ ଅଛି ପରିଶ୍ରମ ହିଁ ସଫଳତାର ଚାବି କାଠି । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି କଟକର ସୁନା ଝିଅ ସୁଶ୍ରିତା ମାହାନା । ଝିଅ ମାନେ ବି କୌଣସି ଗୁଣରେ କମ୍ ନୁହଁନ୍ତି । ଯେମିତି କି ସୁଶ୍ରିତା । ରେଭେନ୍ସାର ସୁଶ୍ରିତା ମାହାନା ଯୁକ୍ତ ୨ ବାଣିଜ୍ୟରେ ହୋଇଛନ୍ତି ରାଜ୍ୟ ଟପ୍ପର । କଟକ ବାଖରାବାଦ୍ ଧୂଆଁ ପତ୍ର ଲେନର ରଞ୍ଜିତ ମାହାନା ଓ ଗୀତା ମାହାନାଙ୍କ ସାନ ଝିଅ ସୁଶ୍ରିତା ମାହାନା । ଦିନକୁ ଆଠ ଘଣ୍ଟା ପରିଶ୍ରମ କରି ପହଞ୍ଚିଛନ୍ତି ଆଜି ସଫଳତାର ଶୀର୍ଷରେ । ନିଜ ମା’, ବାପା ଓ ଶିକ୍ଷକଙ୍କ ପ୍ରେରଣାରେ ଆଜି କେବଳ ଯେ ରେଭେନ୍ସା ନୁହେଁ ବାଣିଜ୍ୟ ବିଭାଗରେ ସାରା ରାଜ୍ୟର ଛାତ୍ର ଛାତ୍ରୀଙ୍କୁ ପଛରେ ପକାଇଛନ୍ତି ସୁଶ୍ରିତା ।
ଆଜିର ଏ ଆଧୁନିକ ଯୁଗରେ ଯୁବପିଢୀ ଘଣ୍ଟା ଘଣ୍ଟା ଫୋନରେ ନିଜର ସମୟ ବିତାଉଥିବା ବେଳେ ସୁଶ୍ରିତା କିନ୍ତୁ ଫୋନ୍ ରୁ ଖୋଜିଥାନ୍ତି ପାଠ । ତେବେ ସୁଶ୍ରିତାଙ୍କ ବାପା ପେଶାରେ ଜଣେ ଆଇନଜୀବୀ । ଝିଅର ପାଠ ପଢ଼ାରେ ଯେତେବେଳେ ଯାହା ଆବଶ୍ୟକ ପଡ଼େ ବାପା ସବୁବେଳେ ତାହା ଯୋଗାଇ ଦେଇଥାନ୍ତି । ଆଉ ମା’ ଗୀତା ମାହାନା କୁହିଛନ୍ତି ଝିଅ ଟପ୍ପର ହେବା ଶୁଣି ସେ ଖୁସିରେ ଖାଇବା ପିଇବା ଭୁଲି ଯାଇଛନ୍ତି । ଝିଅ ସୁଶ୍ରିତା ରାତି ୧୨ଟା ପର୍ଯ୍ୟନ୍ତ ପାଠ ପଢନ୍ତି । ଯେତେବେଳେ ଝିଅ ଟିକେ ଶୋଇଯାଇଥାନ୍ତି, ସେତେବେଳେ ସେ ସାହସ ଦେଇଥାନ୍ତି ଉଠିଯାଇ ପାଠ ପଢ଼ିବାକୁ । ଏମିତି କିଛି କହି ଖୁସିରେ ଭାବବିହ୍ଵଳ ହୋଇପଡିଥିଲେ ମା’ ।
ଅନ୍ୟପଟେ ସୁଶ୍ରିତାଙ୍କ ବାପା କହିଛନ୍ତି, ସେ ଜାଣନ୍ତି ତାଙ୍କ ଝିଅ ଭଲ ପଢ଼ନ୍ତି କିନ୍ତୁ କେବେ ଆଶା କରି ନଥିଲ ଝିଅ ରାଜ୍ୟର ଟପ୍ପର ହେବ ବୋଲି । ସେହିଭଳି ସୁଶ୍ରିତା ନିଜର ଫଳାଫଳକୁ ନେଇ ବେଶ୍ ଉତ୍ସାହିତ ଥିବା ସହ ନିଜର ବାପା, ମା’, ଭଉଣୀ ଓ ଶିକ୍ଷକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସେ ସହଜରେ ବିଶ୍ଵାସ କରି ପାରୁନାହାନ୍ତି ସେ ରାଜ୍ୟର ଟପ୍ପର ହୋଇଛନ୍ତି ବୋଲି । ତେବେ ଆଗକୁ ବିକମ୍ କରି କମ୍ପାନୀ ସେକ୍ରେଟେରିଏଟ୍ ହେବାକୁ ଲକ୍ଷ ରଖିଛନ୍ତି ସୁଶ୍ରିତା ମାହାନା ।
ଫାଭିଓ: ଶିକ୍ଷା ହେଉଛି ସଫଳ ଜୀବନର ପ୍ରଥମ ପାହାଚ । ଚରିତ୍ର ଗଠନ ସହ ଶିକ୍ଷା ଜୀବନକୁ ଗଢିଥାଏ । ଯାହାକୁ ଠିକ୍ ବୁଝିଛନ୍ତି ସୁଶ୍ରିତା । ନିଜର କଠିନ ପରିଶ୍ରମ ତାଙ୍କୁ ଆଜି ଦେଇପାରିଛି ଉଚିତ୍ ସୁନାମ । ତେବେ ସୁଶ୍ରିତାଙ୍କ ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ ।