ନବୀନଙ୍କ ‘ମିଶନ ଶକ୍ତି’ ପୂରଣ କରିବ କି ମହାତ୍ମାଗାନ୍ଧିଙ୍କ ସ୍ୱରାଜ ଗ୍ରାମ ଗଠନ ସ୍ୱପ୍ନ !

ଅକ୍ଟୋବର ୨ରେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଜୟନ୍ତୀ ଅବସରରେ ରାଜ୍ୟର କୋଣ ଅନୁକୋଣରେ ପରିକ୍ରମା କରି ଅହିଂସା ରଥ ଗାନ୍ଧିଜୀଙ୍କ ବାର୍ତ୍ତା ବାଣ୍ଟିଛି। ଅନ୍ୟପଟେ ରାଜ୍ୟରେ ଶାସନ ଗାଦିରେ ବସିଥିବା ବିଜୁ ଜନତା ଦଳ ବି ତାର ପଦଯାତ୍ରା କାର୍ଯ୍ୟକ୍ରମ ଅକ୍ଟୋବର ୨ରୁ ଆରମ୍ଭ କରିଛି। ନବୀନ ସରକାର ଗାନ୍ଧି ଜୟନ୍ତୀରେ ଗାନ୍ଧୀଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଇପାରିବ।

ମହାତ୍ମାଗାନ୍ଧିଙ୍କ ନୀତି ଆଦର୍ଶକୁ କେବଳ ଭାରତ ନୁହେଁ, ବରଂ ବିଶ୍ୱର ଅନେକ ଦେଶ ସମ୍ମାନ ଦେଇଆସୁଛନ୍ତି। ମହାତ୍ମାଗାନ୍ଧିଙ୍କ ଜୀବନ ସଂଗ୍ରାମ, ଆଦର୍ଶ ଓ ନୀତି ଏକ ସୁନ୍ଦର ଏବଂ ଶୃଙ୍ଖଳିତ ଦେଶ ଗଢ଼ିବାରେ ସକ୍ଷମ, ଏଥିରେ କୌଣସି ଦ୍ୱିମତ ନାହିଁ। କିନ୍ତୁ ଗାନ୍ଧିଜୀଙ୍କ ନୀତି ଆଦର୍ଶରେ ଯେ ଏ ଦେଶ ଚାଲୁଛି ତାହା କହିହେବ ନାହିଁ। କିନ୍ତୁ ଯେହେତୁ ସେ ଆମ ଦେଶ ବା ଜାତିର ପିତା, ତେଣୁ ତାଙ୍କ ସ୍ୱପ୍ନକୁ ପୂରଣ କରିବାର ଉତ୍ତରଦାୟିତ୍ୱ ପ୍ରତ୍ୟେକ ନାଗରିକଙ୍କର ରହିଛି। କିନ୍ତୁ ସବୁ ନାଗରିକ ଯେ ତାଙ୍କ ସ୍ୱପ୍ନ ପୂରଣ କରିବାକୁ ଆଗେଇ ଆସିବେ ତାହା କହିବା ଅସମ୍ଭବ।

ଚଳିତ ଗାନ୍ଧି ଜୟନ୍ତୀ ଅବସରରେ ଯେହେତୁ ଗାନ୍ଧିଙ୍କ ପାଇଁ ଅହିଂସା ରଥ ରାଜ୍ୟର ଗାଁ ଗାଁ ବୁଲିଛି। ତେଣୁ ଗ୍ରାମକୁ ନେଇ ଗାନ୍ଧିଜୀଙ୍କ ଯେଉଁ ସ୍ୱପ୍ନ ରହିଥିଲା ତାହାକୁ କ୍ଷମତାସୀନ ସରକାର ଯେ ପୂରଣ କରିବେ ଏ ଆଶା ନିଶ୍ଚିତ ରୂପେ କରାଯାଇପାରିବ। ଗ୍ରାମକୁ ନେଇ ଗାନ୍ଧିଜୀଙ୍କ ସବୁଠୁ ବଡ଼ ସ୍ୱପ୍ନ ଥିଲା ‘ଗ୍ରାମ ସ୍ୱରାଜ’। ଅର୍ଥାତ୍‌ ଭାରତର ପ୍ରତ୍ୟେକ ଗାଁ ଯେପରି ସ୍ୱାବଲମ୍ବୀ ହେବେ ତାହା ହିଁ ଗାନ୍ଧିଜୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଗ୍ରାମ ସେତେବେଳେ ସ୍ୱାବଲମ୍ବୀ ହେବ ଯେତେବେଳେ ଗାଁର ପ୍ରତ୍ୟେକ ଲୋକ ସ୍ୱାବଲମ୍ବୀ ହେବେ। ଆଉ ଏ ସ୍ୱପ୍ନକୁ ପୂରଣ କରିବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏସବୁ ଯୋଜନାର କାର୍ଯ୍ୟକାରିତାକୁ ଶତ ପ୍ରତିଶତ ସଫଳ କରାଇପାରିଲେ ଯାଇ ଗାନ୍ଧି ଜୟନ୍ତୀ ପାଳନର ଯଥାର୍ଥତା ସାଧିତ ହୋଇପାରନ୍ତା। ପୂର୍ବେ ଗ୍ରାମର ଲୋକମାନଙ୍କ ପାଖରେ ନିଜର କୌଳିକ ବୃତ୍ତି ଥିଲା। ଆଉ ଏହି କୌଳିକ ବୃତ୍ତି ଯୋଗୁଁ ସମସ୍ତଙ୍କ ପାଖରେ କିଛି ନା କିଛି ରୋଜଗାରର ମାଧ୍ୟମ ରହୁଥିଲା। ଗାଁର ଲୋକମାନେ ପରସ୍ପର ପରସ୍ପର ଉପରେ ନିର୍ଭରଶୀଳ ହୋଇ ରହୁଥିଲେ। ଏହା ଉଭୟ ଆର୍ଥିକ ଓ ସାମାଜିକ ସ୍ଥିରତାକୁ ବଜାୟ ରଖୁଥିଲା।

କିନ୍ତୁ ଆଜିକାଲି ଗାଁ ଲୋକମାନେ ପ୍ରତ୍ୟେକ ନିଜର ଆବଶ୍ୟକତା ପାଇଁ ବିଭିନ୍ନ କମ୍ପାନୀ ଉପରେ ନିର୍ଭରଶୀଳ ହୋଇପଡ଼ିଲେଣି। ଯେପରି ପୂର୍ବେ ଗାଁର ଚାଷୀମାନେ ସୋରିଷ ଚାଷ କରୁଥିଲେ ଓ କିଛି ଲୋକ ଘଣା ବସାଇ ତେଲ ପେଡ଼ି ବିକ୍ରି କରୁଥିଲେ। ଫଳରେ ସେଠାରେ ଏକ କୁଟୀର ଶିଳ୍ପ ବଞ୍ଚିରହୁଥିଲା। କିନ୍ତୁ ଏବେ ବିଭିନ୍ନ କମ୍ପାନୀ ଦ୍ୱାରା ରସାୟନ ମିଶା ତେଲ ଉପରେ ସମସ୍ତେ ନିର୍ଭରଶୀଳ। ଫଳରେ ଯେଉଁ ରୋଜଗାର ଘଣା ତେଲ ପ୍ରସ୍ତୁତ କରୁଥିବା ଦୋକାନୀ ପାଉଥିଲା ସେ ରୋଜଗାର ତା ପାଖରେ ରହିଲା ନାହିଁ। ଏହି ଘଣା ତେଲ ପ୍ରସ୍ତୁତ କେନ୍ଦ୍ରଗୁଡ଼ିକ ଧୀରେ ଧୀରେ ବନ୍ଦ ହୋଇଗଲା। କିନ୍ତୁ ଏହି କେନ୍ଦ୍ର ଗୁଡ଼ିକ ବନ୍ଦ ହେବାର କାରଣ କ’ଣ ଥିଲା। ତାହାକୁ ଖୋଜିବାର ଆବଶ୍ୟକତା ରହିଛି। ଯେତେବେଳେ ବିଭିନ୍ନ କମ୍ପାନୀ ଖାଇବା ତେଲ ପ୍ରସ୍ତୁତ କରିବା ଆରମ୍ଭ କଲେ ସେମାନେ ତେଲକୁ ରସାୟନ ଯୁକ୍ତ କରି ଏତେ କମ୍‌ ଦାମ୍‌ରେ ବଜାରକୁ ଛାଡ଼ିଲେ ଯେ ଗାଁର ସେହି ଘଣା ତେଲ ବିକ୍ରି କେନ୍ଦ୍ର ବନ୍ଦ ହୋଇଗଲା। ଲୋକେ ଶସ୍ତା ଆଳରେ କମ୍ପାନୀତେଲ ଉପରେ ନିର୍ଭରଶୀଳ ହେବାରୁ ଗାଁର ସେହି ଶିଳ୍ପଟି ବନ୍ଦ ହୋଇଗଲା। ଏହା ଗୋଟିଏ ମାତ୍ର ଉଦାହରଣ। ଏପରି ଅନେକ ଘଟଣା ରହିଛି ଯାହା ଗାଁରେ ଥିବା କୁଟୀର ଶିଳ୍ପକୁ ମାରିଦେଇଛି।

ଆମ ଦେଶ ଏହି କମ୍ପାନୀମାନଙ୍କ ଦ୍ୱାରା ପରାଧୀନ ହୋଇଥିଲା। ଇଷ୍ଟଇଣ୍ଡିଆ କମ୍ପାନୀ ସମେତ ପ୍ରାୟ ୧୨୭ରୁ ଊର୍ଦ୍ଧ୍ୱ କମ୍ପାନୀ ଏଭଳି ବିଭିନ୍ନ ଉପାୟରେ ଗ୍ରାମର କୁଟୀରଶିଳ୍ପକୁ ନଷ୍ଟ କରିବା ସହ ଆମ ଦେଶରେ ଉପନିବେଶ ସ୍ଥାପନ କରିଥିଲେ। ଆଉ ଧୀରେ ଧୀରେ ଆମକୁ ପରାଧୀନ କରି ରଖିଲେ। କମ୍ପାନୀଗୁଡ଼ିକର ନୀତି ହିଁ ଆମ ଦେଶକୁ ପରାଧୀନ କରିବାର ଶୃଙ୍ଖଳକୁ ଅଧିକ ମଜଭୁତ୍‌ କରିଥିଲା। ଆଉ ଗାନ୍ଧି ହିଁ ସେହି ବ୍ୟକ୍ତି ଯିଏ କମ୍ପାନୀଙ୍କ ବିରୁଦ୍ଧରେ ଦେଶର ପ୍ରତ୍ୟେକ ନାଗରିକଙ୍କ ଭିତରେ ସଚେତନତା ସୃଷ୍ଟି କରିବାରେ ମୁଖ୍ୟ ପୁରୋଧା ସାଜିଥିଲେ। ଦେଶ ପରାଧୀନ ଥିବା ସମୟରେ ଗାନ୍ଧି ହିଁ କମ୍ପାନୀଙ୍କୁ ତଡ଼ିବାରେ ମୂଳ ନେତା ପାଲଟିଥିଲେ। ତାଙ୍କ ନେତୃତ୍ୱରେ ସମସ୍ତ ସ୍ୱାଧୀନତା ସଂଗ୍ରାମୀ ପରବର୍ତ୍ତୀ ସମୟରେ ବଳିଦାନ ଦେଇ ଏ ଦେଶକୁ ସ୍ୱାଧୀନତା ପ୍ରଦାନ କରିଥିଲେ। ତେଣୁ ଗାନ୍ଧିଜୀଙ୍କ ସ୍ୱପ୍ନ ଥିଲା ଗ୍ରାମ ସ୍ୱରାଜ। ଥରେ ଗ୍ରାମ ସ୍ୱରାଜ ପ୍ରତିଷ୍ଠା ହୋଇଗଲେ ଏ କମ୍ପାନୀ ମାନେ ଉପନିବେଶ ପ୍ରତିଷ୍ଠା କରିପାରିବେ ନାହିଁ କି ଦେଶ ପରାଧୀନ ହେବ ନାହିଁ। କିନ୍ତୁ ଗାନ୍ଧିଜୀଙ୍କ ଏ ସ୍ୱପ୍ନ ସ୍ୱପ୍ନରେ ରହିଗଲା। ସ୍ୱାଧୀନତା ପରେ କେବଳ ଇଷ୍ଟ ଇଣ୍ଡିଆ କମ୍ପାନୀ ଏ ଦେଶରେ ନାହିଁ କିନ୍ତୁ ସେ ସମୟର ଥିବା ଅନେକ କମ୍ପାନୀ ଆଜି ବି ଆମ ଦେଶରେ ରହିଛନ୍ତି। ତେଣୁ ଆମକୁ ସ୍ୱାଧୀନତା ମିଳିଛି ସତ କିନ୍ତୁ ଆମେ ସମସ୍ତେ ପରାଧୀନତାର ଚଉବର୍ଦ୍ଦିରେ ଛିଡ଼ା ହୋଇଛେ।

ଗାନ୍ଧିଜୀଙ୍କର ଏହି ଗ୍ରାମ ସ୍ୱରାଜ ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟରେ ଶାସନାଧୀନ ବିଜୁ ଜନତା ଦଳ କେନ୍ଦ୍ରୀୟ ଯୋଜନା ସହାୟତାରେ କରିବାକୁ ଚେଷ୍ଟା କରୁଛି। ଆଉ ଯଦି ଆମେ ସମସ୍ତେ ରାଜ୍ୟ ସରକାରଙ୍କର ଏ କାର୍ଯ୍ୟକୁ ସଫଳତାର ସହ ଆଗେଇ ନେବା, ତେବେ ଗାନ୍ଧିଜୀଙ୍କ ସ୍ୱପ୍ନ ପୂରଣ ହୋଇପାରିବ। ଆଉ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ହିଁ ଗାନ୍ଧିଜୀଙ୍କ ସ୍ୱପ୍ନକୁ ପୂରଣ କରିପାରିବ। ମିଶନ ଶକ୍ତି ଜରିଆରେ ଗ୍ରାମ୍ୟ ମହିଳାମାନଙ୍କୁ ଯେଭଳି ଉତ୍ପାଦକ ଗୋଷ୍ଠୀ ପ୍ରତିଷ୍ଠା କରିବାରେ ସହାୟତା କରୁଛି ଯଦି ତାହା ସଠିକ ରୂପେ ହୋଇପାରିବ ତେବେ ଆଗାମୀ ଦିନରେ ଲୋକଙ୍କର ସମସ୍ତ ଛୋଟ ଛୋଟ ଆବଶ୍ୟକତାକୁ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରଡ୍ୟୁସର ଗ୍ରୁପ ପୂରଣ କରିପାରିବେ ଓ ଗ୍ରାମ ଗୁଡ଼ିକରେ ଶିଳ୍ପ ପ୍ରତିଷ୍ଠା ହୋଇପାରିବ। ପରବର୍ତ୍ତୀ ସମୟରେ ଏହି ଗ୍ରାମ୍ୟ ଶିଳ୍ପ ହିଁ ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜକୁ ପ୍ରତିଷ୍ଠା କରିବ। କେବଳ ଏହି ଉତ୍ପାଦକ ଗୋଷ୍ଠୀଙ୍କୁ ବଡ଼ ବଡ଼ କମ୍ପାନୀ ମାନଙ୍କ ଉତ୍ପାଦ ସହ ସମକକ୍ଷ ହେବା ପରି ଉତ୍ପାଦ ତିଆରି କରିବା ଯେଉଁ ପ୍ରଶିକ୍ଷଣ ଓ ସୁବିଧା ସୁଯୋଗ ଦରକାର ତାହା ଯଦି ଆମର ସଚିବ ଓ ଜିଲ୍ଲାପାଳ ସୁନିଶ୍ଚତ କରିବେ ତେବେ ଯାଇ ସମ୍ଭବ ହେବ। ଯଦି ଆମର ସଚିବ ଓ ଜିଲ୍ଲାପାଳମାନେ ମିରଜାଫର ସାଜି ଜାଣିଶୁଣି ଏହି ଉତ୍ପାଦକ ଗୋଷ୍ଠୀକୁ ଦୁର୍ବଳ କରିଦେବେ ତେବେ ସରକାର ଯେଉଁ ଗ୍ରାମ ସ୍ୱରାଜ ସ୍ୱପ୍ନ ଦେଖୁଛନ୍ତି, ତାହା ସ୍ୱପ୍ନରେ ରହିବା ସହ ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜ ସ୍ୱପ୍ନ ସ୍ୱପ୍ନରେ ରହିଯିବ।

Also Read: କମିଲା ସଂକ୍ରମଣ: ୨୪ ଘଣ୍ଟାରେ ଓଡ଼ିଶାରେ ୬୮ ଜଣ କରୋନା ପଜିଟିଭ ଚିହ୍ନଟ

Leave A Reply

Your email address will not be published.