ରାସ୍ତା ପାଲଟିଲା ରଣକ୍ଷେତ୍ର, ବିବାହ ପ୍ରଶେସନ ବେଳେ ଗାଡ଼ି ସାଇଡ ମରାକୁ ନେଇ ଖଣ୍ଡାରେ ହାଣିଲେ ବରଯାତ୍ରୀ ଦଳ

ବାହାଘରରେ ବୁଲିଲା ଖଣ୍ଡା । ରାସ୍ତାରେ ଯାଉଥିବା ଲୋକେ ଯିଏ ଯୁଆଡେ ଯାଉଥିଲେ କିଛି ସମୟ ପାଇଁ ଅଟକିଗଲେ। ହଠାତ୍‌ ବୁଝି ପାରରୁନଥିଲେ କଣ ଏସବୁ ହେଉଛି । କାହିଁକିନା କିଛି ସମୟ ରାସ୍ତା ପାଲଟିଲା ରଣକ୍ଷେତ୍ର । ଏ ଦୃଶ୍ୟ ଦେଖିଲେ ଛାତି ଥରିଯାଉଥିଲା, ଭାବନ୍ତୁ ଥରେ ଯେଉଁ ଲୋକ ଏପରି ସ୍ଥିତିରେ ସେଠାରେ ଉପସ୍ଥିତ ଥିବା ତାଙ୍କ ଅବସ୍ଥା ଭୟରେ କଣ ହେଉଥିବ ?

ରାସ୍ତାରେ ଗାଡି ମଟର ସବୁ ଯାଉ ଯାଉ ହଠାତ୍‌ ଛିଡା ହୋଇ ଗଲା, କାହିଁକି ନା ଚାଲିଥିଲା ଆତଙ୍କରାଜ୍‌ । କେହି କିଛି ପ୍ରତିବାଦ ବି କରିପାରୁନଥିଲେ ନଚେତ ଖଣ୍ଡା ଭୁଜାଲି କେତେବେଳେ ଯେ କାହା ବେକରେ ବାଜିବ ତାହା କେହି କହିପାରିବେନି । ଦେଖନ୍ତୁ କେତେ ଭୟାନକ ଲାଗୁଛି ଏ ଦୃଶ୍ୟ । ବେଶ୍‌ କିଛି ସମୟ ଧରି ଏପରି ଚାଲିଲା, ଯାହା ପୁଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏପରି ଘଟଣା ଘଟିଛି ବାଙ୍କୀ ଅଞ୍ଚଳରେ । ଗାଡ଼ି ସାଇଡ ମରାକୁ ନେଇ ଖଣ୍ଡାରେ ହାଣିଲେ ବରଯାତ୍ରୀ ଦଳ । ଏସବୁ କାଣ୍ଡ ସିସିଟିଭିରେ କଏଦ୍ ହୋଇଛି ।

ତିଗିରିଆ ଥାନା ବିନ୍ଧାଣିମା ଗାଁର ପ୍ରାୟ ଶହେରୁ ଅଧିକ ବରଯାତ୍ରୀ ବୈଦେଶ୍ୱର ଗାଁରୁ ବିବାହ ସ୍ଥଳକୁ ପ୍ରସେସନ୍ କରି ଯାଉଥିବା ବେଳେ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ କାର ସାଇଡ ମରାକୁ ନେଇ ତୁମୁଳକାଣ୍ଡ ଘଟିଛି । ବରଯାତ୍ରୀ ଦଳ ପକ୍ଷରୁ ଆସିଥିବା ଯୁବକ ମାନେ ଉନ୍ମତ୍ତ କାଣ୍ଡ ଭିଆଇ ଥିଲେ। ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣି ଥିଲେ ।

ବାଙ୍କୀ ବ୍ଲକ ବୈଦେଶ୍ୱର ଥାନା ଠାରୁ ମାତ୍ର ଚାରି ଶହ ମିଟର ଦୂର ଗ୍ରାମ୍ୟ ବ୍ୟାଙ୍କ ଛକରେ ଖଣ୍ଡା ବୁଲିଲା । ଯୁବକମାନେ ଗୋଟିଏ କାରକୁ ଭାଙ୍ଗିବା ସହ ଖଣ୍ଡାରେ ତିନି ଜଣଙ୍କୁ ଆକ୍ରମଣ କରିବାରୁ ସେମାନେ ଆହତ ହୋଇଛନ୍ତି । ବୈଦେଶ୍ୱର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବରଯାତ୍ରୀ ଦଳ ପକ୍ଷରୁ ଚାରି ଜଣ ଯୁବକଙ୍କୁ ଅଟକ ରଖିଛି । ଗୋଟିଏ ସ୍କର୍ପିଓ, କାର ସହିତ ପ୍ରସେଶନରେ ଯାଉଥିବା ଡିଜେ ଗାଡିକୁ ଥାନାରେ ରଖି ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Also Read:ଇରାନରେ ବଡ଼ ବିସ୍ଫାରଣ : ୫୧୬ ଆହତ, ବଢିପାରେ ଆହତଙ୍କ ସଂଖ୍ୟା