ଗରିବଙ୍କ ଭଗବାନ୍ ସଇଦ୍, ପ୍ରତିଦିନ ୪୦୦ ଲୋକଙ୍କୁ ଦିଅନ୍ତି ପେଟପୂରା ଖାଦ୍ୟ

ଦୁନିଆର ସବୁ ବ୍ୟକ୍ତି ନିଜ ପେଟ ପୋଷିବା ପାଇଁ କାମ କରନ୍ତି । ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଏବଂ ଅଳ୍ପ ଟିକେ ଶାନ୍ତି ମିଳିଗଲେ ଜୀବନ ସଫଳ ହେଲା ପରି ଲାଗେ । କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯିଏ ଭୋକିଲା ପେଟରେ ଶୋଇଥାଏ ଅନେକ ରାତି । ଆମେ ଯଦିଓ ଏ ବିଷୟରେ ଚିନ୍ତା କରୁ କିନ୍ତୁ କିଛି କରିନଥାଉ । କିନ୍ତୁ ଆମମାନଙ୍କ ଗହଣରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଆମ ଚିନ୍ତାରୁ ବହୁ ଉପରକୁ ଉଠି ଏମିତି କିଛି କରିଛନ୍ତି ଯାହାର କଳ୍ପନା ବି ଆମ ଚିନ୍ତାଶକ୍ତି ବାହାରେ ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ସଇଦ୍ ଓସମାନ୍ ଅଜହର ମକସୁସୀ । ହାଇଦ୍ରାବାଦରେ ବାସହୀନ, ଭିକାରୀଙ୍କ ସହ ଶ୍ରମିକମାନେ ପ୍ରତିଦିନ ସଇଦଙ୍କୁ କରିଥାନ୍ତି ଅପେକ୍ଷା । ପ୍ରତିଦିନ ଦିନବେଳା ପ୍ରାୟ ୪୦୦ ଲୋକଙ୍କୁ ପେଟପୁରା ଖାଇବାକୁ ଦେଇଥାନ୍ତି ସଇଦ୍ । ଏହି ପବିତ୍ର କାମର ଆରମ୍ଭ ୨୦୧୨ରେ କରିଥିଲେ ସଇଦ୍ । ଯାହା ଆଜି ଯାଏ ଜାରି ରହିଛି । ୨୦୧୨ରୁ ଆଜି ମଧ୍ୟରେ ଗୋଟିଏ ବି ଦିନ ଏମିତି ନାହିଁ ଯେଉଁଦିନ ଭୋକିଲାଙ୍କୁ ଖାଇବାକୁ ଦେଇନଥିବେ ସଇଦ୍ ।

sayedମାତ୍ର ୪ ବର୍ଷ ବୟସରେ ସଇଦଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା । ଏହା ପରେ ଅନେକ ଥର ସଇଦ୍ ଏବଂ ତାଙ୍କ ପରିବାରକୁ ଭୋକିଲା ରହିବାକୁ ପଡିଥିଲା । ତେଣୁ ଖୁବ୍ ଛୋଟବେଳୁ କାମ କରିବା ଆରମ୍ଭ କରିଦେଇଥିଲେ । ତେବେ ଦିନେ କାମରୁ ଫେରିବା ସମୟରେ ସଇଦ୍ ଦେଖିବାକୁ ପାଇଲେ ଜଣେ ମହିଳା ଭୋକରେ ରାସ୍ତାରେ ପଡି ରହିଥିଲେ । ଏହା ପରେ ନିଜ ପାଖରେ ଥିବା ଟଙ୍କାରେ ଉକ୍ତ ମହିଳାଙ୍କୁ ଖାଇବାକୁ ଦେଇଥିଲେ । ଏହା ପରେ ପ୍ରତିଦିନ ଲୋକଙ୍କୁ ଖାଇବାକୁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ସଇଦ୍ ।

ଏହି ଭଲ କାମର ଆରମ୍ଭ ଯଦିଓ ଏକା ଆରମ୍ଭ କରିଥିଲେ ସଇଦ୍ କିନ୍ତୁ ଆଜି ତାଙ୍କ ଯୋଡି ହୋଇଯାଇଛନ୍ତି ଅନେକ ଲୋକ । ଏହା ସହ ହାଇଦ୍ରାବାଦରୁ ଆରମ୍ଭ ହୋଇଥିବା ଏହି କାମ ଏବେ କର୍ଣ୍ଣାଟକ, ଆସାମ ଏବଂ ଝାରଖଣ୍ଡ ଭଳି ରାଜ୍ୟରେ ମଧ୍ୟ କରାଯାଉଛି ।