ବୁଦ୍ଧଙ୍କ ପ୍ରତୀକ ଶାନ୍ତିର ଧଉଳି ସ୍ତୁପ, ଜାଣନ୍ତୁ ଏହାର ମହାନ୍ ଗାଥା

ଶାନ୍ତି ଓ ଅହିଂସାର ପ୍ରତୀକ ଧଉଳି। ଅନେକ ଅକୁହା ଇତିହାସ ଲୁଚି ରହିଛି ଏହି ଶାନ୍ତି ସ୍ତୁପରେ। ସେଥିପାଇଁ ଆଜି ବି ଏହି ସ୍ଥାନକୁ ପ୍ରତ୍ୟେକ ଦିନ ଅନେକ ପର୍ଯ୍ୟଟକଙ୍କ ଭିଡ ଲାଗେ। ୧୯୭୩ ମସିହାରେ କଳିଙ୍ଗ ନିପୋନ ବୁଦ୍ଧ ସଙ୍ଘ ଦ୍ଵାରା ତିଆରି କରାଯାଇଥିଲା ଏହି ମହାନ୍ ଶାନ୍ତି ସ୍ତୁପ। ତେବେ ଆଜି ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ କରାଯାଇଛି। ପ୍ରାୟ ୫୦ ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଏଥିପାଇଁ ଦେଶ ବିଦେଶରୁ ଆସିଛନ୍ତି ବୌଦ୍ଧ ଭିକ୍ଷୁକ ଓ ପ୍ରଚାରକ। ଗୌତମ ବୁଦ୍ଧଙ୍କ ଜୀବନୀ ବିଷୟରେ ପ୍ରଚାର କରିବା ପାଇଁ ଓ ସାରା ଭାରତ ବର୍ଷରେ ଶାନ୍ତି ଆଣିବା ବୌଦ୍ଧ ଧର୍ମର ଗୋଟିଏ ଲକ୍ଷ୍ୟ। ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆଜି ପୂଜାପାଠ, ମନ୍ତ୍ର ଉଚ୍ଚାରଣ ଓ ଶାନ୍ତି ପ୍ରାର୍ଥନା ମଧ୍ୟ କରାଯାଉଛି।

ସକାଳ ୮ଟାରୁ ଦିନ ଗୋଟାଏ ଯାଏ ସର୍ବସାଧାରଣଙ୍କ ପାଇଁ ଶାନ୍ତିସ୍ତୁପ ପରିଦର୍ଶନ ବନ୍ଦ ରହିଥିଲା। ଏହି ଉତ୍ସବରେ ଯୋଗ ଦେବାକୁ ଦେଶ ବିଦେଶରୁ ବୌଦ୍ଧ ଭିକ୍ଷୁକ ଓ ପ୍ରଚାରକ ଭୁବନେଶ୍ୱର ଆସିଛନ୍ତି। ପୌରାଣିକ କଥା ଅନୁଯାୟୀ, ବିଷ୍ଣୁଙ୍କ ଅଷ୍ଟମ ଅବତାର ପ୍ରଭୁ ଶ୍ରୀ କୃଷ୍ଣଙ୍କ ପରେ ସେ ବୁଦ୍ଧଙ୍କ ରୂପ ନେଇ ପୃଥିବୀ ପୃଷ୍ଠକୁ ଆସିଥିଲେ ମଣିଷ ସମାଜକୁ ଅଜ୍ଞାନ ଦୂର କରିବା ପାଇଁ। ସେଥିପାଇଁ ଅନେକ ହିନ୍ଦୁ ବୁଦ୍ଧଙ୍କୁ ପୂଜା ମଧ୍ୟ କରନ୍ତି। ଆଜି ଆୟୋଜିତ ହୋଇଥିବା ୫୦ ବର୍ଷ ପୂର୍ତ୍ତିରେ ବିଦେଶ ଯେପରିକି ଜାପାନରୁ ୩୯, ଆମେରିକାରୁ ୧୦ ଜଣ ବୌଦ୍ଧ ସନ୍ୟାସୀ ଯୋଗ ଦେଇଛନ୍ତି।
ଗତକାଲି ଏକ ଶାନ୍ତି ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୌଦ୍ଧ ଧର୍ମଗୁରୁ ଓ ପ୍ରଚାରକ ଯୋଗଦେଇ ଶାନ୍ତି ବାର୍ତ୍ତା ବାଣ୍ଟିଥିଲେ। ଯାହାକି ବୁଦ୍ଧଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବୁଦ୍ଧଙ୍କ ଅସ୍ତିତ୍ବକୁ ପ୍ରମାଣିତ କରେ ଏହି ଧଉଳି ଶାନ୍ତି ସ୍ତୁପ। ସେଥିପାଇଁ ଏହାକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଇଥାଏ। କାରଣ ଗୌତମ ବୁଦ୍ଧଙ୍କୁ ମଧ୍ୟ ଶାନ୍ତିର ପ୍ରତୀକ ବୋଲି ଲୋକ ମାନୁଥିଲେ। ସେ ଅନେକଙ୍କୁ ଅନୁପ୍ରାଣିତ କରିଛନ୍ତି। ଭୁବନେଶ୍ୱର ସହର ଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଅବସ୍ଥିତ ଏହି ଶାନ୍ତିସ୍ତୁପ। ସହର ଠାରୁ ଦୂରରେ ପାହାଡ଼ ଉପରେ ରହିଛି ଏହି ସ୍ତୁପ। ତେବେ ଧଉଳୀ ପାହାଡ଼ରେ ପ୍ରଭୁ ଶିବଙ୍କର ମଧ୍ୟ ଏକ ମନ୍ଦିର ରହିଛି। ଲୋକେ ଧଉଳି ଶାନ୍ତି ସ୍ତୁପ ଦେଖିବା ପାଇଁ ଆସିଲେ ଏହି ମନ୍ଦିରରେ ପୂଜାର୍ଚ୍ଚନା ବି କରି ଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.