୮ ବର୍ଷ ବୟସର କୁନି ଝିଅ ସ୍ନେହାଲ ମୁଣ୍ଡରେ ଘୁରୁଛି ସାରା ବିଶ୍ୱ

ସାରା ଦେଶରେ ଯେବେ କରୋନା ତାହାର କାୟା ବିସ୍ତାର କରି ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରି ଚାଲୁଥିଲା ଠିକ୍‌ ସେତିକି ବେଳେ ତାଳଚେର ଅଞ୍ଚଳର ଜଣେ ସୁନା ଝିଅ ପାଇଁ ଲକଡାଉନ ସାଜି ଥିଲା ବରଦାନ ଆଉ ତାଙ୍କ କ୍ଯାରିଅରରେ ଯୋଡି ହୋଇ ଥିଲା ବିଶ୍‌ ରେକର୍ଡ । କଳାହୀରାର ସହର ତାଳଚେର। ହଜାର ବର୍ଷର ଗୌରବମୟ ଇତିହାସକୁ ଜାବୁଡ଼ି ଧରି ଅହରହ ପ୍ରତିଟି ମୁହୂର୍ତ୍ତରେ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରିଛି। କରୋନାର ୨ୟ ଲହର ପାଇଁ ଯେତେ ବେଳେ ସାରା ସହରରେ ପିଲାଠୁ ବୁଢ଼ା ସମସ୍ତେ ଗୃହ ବନ୍ଦୀ ଜୀବନ ବିତାଉ ଥିଲେ ଠିକ୍‌ ସେହି ସମୟରେ ଅଦମ୍ୟ ଆସ୍ଥା, ଅଭିଳାଷ ଓ ବିଶ୍ୱାସକୁ ପାଥେୟ କରି ନିଜର ଜ୍ଞାନ କୌଶଳ ପ୍ରଦର୍ଶନ କରି ବିଶ୍ଵସ୍ତରରେ ରେକର୍ଡ଼ କରି ଜିଲ୍ଲାବାସୀଙ୍କ ପାଇଁ ଆଣିଛନ୍ତି ଗର୍ବ ଆଉ ଗୌରବ।

ତାଳଚେର ଅଞ୍ଚଳର ନନ୍ଦୀରା କୋଲିୟାରୀରେ ମାଇନିଙ୍ଗ ଇଞ୍ଜିନିୟର ଭାବେ କାର୍ଯ୍ଯରତ ସୁଶିଲ କୁମାର ବରାଳଙ୍କ ଅଲିଅଳି ଝିଅ ସ୍ନେହାଲ ବରାଳ। ସ୍ନେହାଲଙ୍କ ଜନ୍ମ ୧୪ ଫ୍ରେବୁଆରୀ ୨୦୧୩ରେ ହୋଇଥିଲା। ଏବେ ତାଙ୍କୁ ୮ବର୍ଷ ବୟସ। ସେ ବର୍ତ୍ତମାନ ତାଳଚେର ଏମ୍ସିଏଲ୍‌ କଳିଙ୍ଗ ଏରିଆ ଡିଏଭି ପବ୍ଲିକ୍‌ ସ୍କୁଲର ୩ୟ ଶ୍ରେଣୀରେ ପଢ଼ୁଛନ୍ତି। ସ୍ନେହାଲ ତାଙ୍କ କ୍ଯାରିଅରର ପ୍ରତିଟି କ୍ଷେତ୍ରରେ ସେ ନିଜକୁ ନିଜେ ପ୍ରମାଣିତ କରି ପାରିଛନ୍ତି ବେଷ୍ଟ୍‌ ଆଉ ସମସ୍ତଙ୍କ ପାଇଁ ସାଜି ପାରିଛନ୍ତି ଆଇକନ୍‌ । ଏବେ ପୁଣି ଯୋଡ଼ି ହୋଇଛି ଆଉ ଏକ ମାଇଲଷ୍ଟୋନ । ଗତ ମାସରେ ବିଶ୍ଵ ସ୍ତରରେ ହୋଇଥିବା ଏକ ଅନଲାଇନ୍‌ ପ୍ରତିଯୋଗିତାରେ ସ୍ନେହାଲ ଭାଗ ନେଇଥିଲେ । ୨ ମିନିଟ ୨୫ ସେକେଣ୍ଡରେ ବିଶ୍ଵର ୧୯୫ଟି ଦେଶର ନାମ ଏବଂ ତା’ର ରାଜଧାନୀ କହି ସେ ଇଣ୍ଟରନ୍ୟାସନାଲ ବୁକ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି । ଆଉ ତାଙ୍କୁ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ମେଡାଲ୍‌ ଏବଂ ସାର୍ଟିଫିକେଟ୍‌ ମଧ୍ୟ ପ୍ରଦାନ କରାଯାଇଛି ।

୮ବର୍ଷ ବୟସରେ ସାଧାରଣ ପିଲାଟିଏ ପକ୍ଷରେ ଠିକରେ ସମାଜ ଭୂଗୋଳ କଥା କହିବା ମଧ୍ୟ ସମ୍ଭବ ହୋଇନଥିବା ବେଳେ ଯୋଗଜନ୍ମା ସ୍ନେହାଲ ମୁଣ୍ଡରେ ଘୁରୁଛି ସାରା ବିଶ୍ଵ । ଛୋଟ ବେଳରୁ କେବେ ଚିତ୍ରାଙ୍କନ କରି ଇସ୍ରୋ ଦ୍ୱାରା ପୁରସ୍କୃତ ହୋଇଛନ୍ତି ତ ପୁଣି କେବେ ଆଲମ୍ପିୟଡରେ ବାଜି ମାରିଛନ୍ତି ସ୍ୱର୍ଣ୍ଣ ପଦକ ଆଉ କେବେ ସ୍କୁଲ ସ୍ତରରେ ହୋଇ ପାରିଛନ୍ତି ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇୟର। ପାଠ ପଢାଠୁ ଆରମ୍ଭ କରି ଚିତ୍ରାଙ୍କନ ସବୁଥିରେ ସେ ବେଶ୍‌ ପାରଙ୍ଗମ। ଏତିକିରେ ଅଟକି ଯାଇନି ସ୍ନେହାଲଙ୍କ ପାରଦର୍ଶିତା। ଏବେ ସେ ଆଉ ଏକ ରେକର୍ଡ଼ ପାଇଁ ଦିନ ରାତି ଏକ କରି ଜଗନ୍ନାଥ ମହାପ୍ରଭୁଙ୍କ କିଛି ଅକୁହା କାହାଣୀକୁ ନେଇ ଏକ ସନ୍ଧର୍ବ ଲେଖୁଛନ୍ତି। ୱାଣ୍ଡର ଗାର୍ଲ୍‌ ସ୍ନେହାଲଙ୍କ ଏତାଦୃଶ କାର୍ଯ୍ଯକୁ ନେ଼ଇ ସାରା ରାଜ୍ଯବାସୀ ଗର୍ବ କରିବା ସହ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଖୁସି କହିଲେ ନ ସରେ।

କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ସ୍ନେହାଲଙ୍କ ଆଶା ଆକାଂକ୍ଷା ସହ ନିଜ ଅଜା ଆଈଙ୍କ ଆଦର୍ଶ ଏବଂ ବାପା ମାଙ୍କ ସଂସ୍କାର ପାଇଁ ଆଜି କୁନି ପ୍ରତିଭା ସ୍ନେହାଲ ହୋଇ ପାରିଛନ୍ତି କୋଟିଏରେ ଗୋଟିଏ।

You might also like