ମୂଲ୍ୟବାନ ସାମଗ୍ରୀକୁ ସାଇତି ରଖି ଚର୍ଚ୍ଚାରେ କେନ୍ଦ୍ରାପଡାର ତନ୍ମୟ ମିଶ୍ର
ଆଳି: ଦିନେ ଦେଶ ବିଦେଶର ଡାକ ଟିକେଟ, ପୁରାତନ ଓ ପ୍ରାଚୀନ କାଳର ମୁଦ୍ରା, ବିଭିନ୍ନ ଦେଶର ଟଙ୍କା ଓ ନୋଟ ସଂଗ୍ରହ କରିବା ତାଙ୍କ ପାଇଁ ଥିଲା ସଉକ । କିନ୍ତୁ ଏବେ ତାହା ନିଶାରେ ପରିଣତ ହୋଇଛି । ଏମିତି କିଛି ବିରଳ, ମୂଲ୍ୟବାନ ସାମଗ୍ରୀକୁ ସାଇତି ରଖି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଗିରିଆ ଗାଁର ତନ୍ମୟ ମିଶ୍ର । ଦୀର୍ଘ ୪୦ବର୍ଷ ହେବ ଏସବୁକୁ କେବଳ ଯେ, ସଂଗ୍ରହ କରିଛନ୍ତି ତାହା ନୁହେଁ ବରଂ ଆଗାମୀ ଯୁବପିଢ଼ିଙ୍କ ପାଇଁ ଯତ୍ନର ସହ ସାଇତି ରଖିଛନ୍ତି । ଆଗକୁ ନିଜସ୍ୱ ମ୍ୟୁଜିୟମ କରିବା ସହ ଏସବୁ ସାମଗ୍ରୀକୁ ସର୍ବସାଧାରଣଙ୍କ ଜାଣିବା ପାଇଁ ସ୍ଥାପନ କରିବାର ଲକ୍ଷ ରଖିଛନ୍ତି ତନ୍ମୟ ।
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଥିବା ଭଳିକି ଭଳି ଡାକ ଟିକେଟ କଥା କୁହନ୍ତୁ ବା, ଆମେରିକା, ତୁର୍କୀ, ଫିଲିପାଇନ୍ସ ଓ ବଙ୍ଗଳାଦେଶର ପୁରୁଣା ଡାକ ଟିକେଟ । ଏସବୁ ଆମ ପାଇଁ ଯେତିକି ଅଜଣା ସେତିକି ବିରଳ ମଧ୍ୟ । ଏମିତି ପ୍ରାୟ ପୃଥିବୀର ସବୁ ଦେଶର ୩୫୦୦ରୁ ଅଧିକ ଭଳିକି ଭଳି ଡାକ ଟିକେଟ ସାଇତା ହୋଇ ରଖାଯାଇଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଗିରିଆ ଗାଁର ତନ୍ମୟ ମିଶ୍ର ତାଙ୍କ ଘରେ ଏସବୁକୁ ସଂଗ୍ରହ କରି ରଖିଛନ୍ତି ।
କେବଳ ଦେଶ ବିଦେଶର ଡାକ ଟିକେଟ ନୁହେଁ, ବିଭିନ୍ନ ଦେଶ ବିଦେଶର ୧ ହଜାରରୁ ଅଧିକ କଏନ ସହ ପ୍ରାଚୀନ କାଳର ମୁଦ୍ରା ମଧ୍ୟ ରହିଛି । ଯେମିତି କି ଆକବର, ଭାସ୍କକୋଡାଗାମା, କନିଷ୍କ ଓ ଇଂରେଜ ସମୟରେ ପ୍ରଚଳିତ ମୁଦ୍ରାକୁ ସାଇତି ରଖିଛନ୍ତି ତନ୍ମୟ । ସେହିପରି ଆମେରିକା, ପାକିସ୍ତାନ, ଇଂଲଣ୍ଡ, ଫ୍ରାନ୍ସ,ମାଲେସିଆ ଆଦି ଅନେକ ଦେଶର ୫୦୦ରୁ ଊର୍ଦ୍ଧ୍ଵ ନୋଟ୍ସ ମଧ୍ୟ ରହିଛି । ଏସବୁକି ସଂଗ୍ରହ କରିବା ପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିଛି । ସଂସ୍କୃତି, କଳା, ପରମ୍ପରା ଓ ଭାସ୍କର୍ଯ୍ୟ,ଐତିହ୍ୟ,କୀର୍ତ୍ତିରାଜକୁ ପରବର୍ତ୍ତୀ ଯୁବପିଢ଼ି ଜାଣିବା ପାଇଁ ଏସବୁକୁ ସାଇତି ରଖିଥିବା କହିଛନ୍ତି ତନ୍ମୟ ।
ତନ୍ମୟ ମିଶ୍ର ତାଙ୍କ ବାପା ଓ ଜେଜେ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦୀର୍ଘ ୪୦ବର୍ଷ ତଳୁ ଦେଶ ବିଦେଶର ଡାକ ଟିକେଟ, ପୁରାତନ, ପ୍ରାଚୀନ ମୁଦ୍ରା, କଏନ,ଦେଶ ବିଦେଶର ନୋଟ୍ସ ସଂଗ୍ରହ କରିବା ଆରମ୍ଭ କରିଥିଲେ । ଆଜି ତାଙ୍କ ପାଖରେ ହଜାର ହଜାର ସଂଖ୍ୟାର ବିରଳ ଡାକ ଟିକେଟ ଓ ମୁଦ୍ରା ଯତ୍ନର ସହ ସାଇତି ରଖାଯାଇଛି । ତାଙ୍କର ଏଭଳି ନିଆରା ପ୍ରୟାସ ପାଇଁ ପରିବାର ଲୋକେ ମଧ୍ୟ ଗର୍ବ ଅନୁଭବ କରିଥାନ୍ତି ।ଯାହା ପୂର୍ବରୁ ପାଠ ବହିରେ ପଢିଥିଲେ ତାହା ଏବେ ତାଙ୍କ ଘରେ ଥିବା କହିଛନ୍ତି ତନ୍ମୟଙ୍କ ଝିଅ । ଆଗକୁ ସରକାରୀ ସ୍ତରରେ କିଛି ସାହାଯ୍ୟ ମିଳିଲେ ଆଗାମୀ ଯୁବ ପିଢ଼ିମାନେ ଏସବୁ ବିଷୟରେ ଜାଣିବା ପାଇଁ ଏକ ମିୟୁଜିୟମ ଖୋଲିବେ ବୋଲି ଲକ୍ଷ ରଖିଛନ୍ତି ତନ୍ମୟ । ତନ୍ମୟଙ୍କ ଏଭଳି ନିଆରା ପ୍ରୟାସ ନିଶ୍ଚିନ୍ତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ଏଥିରେ ଦ୍ଵନ୍ଦ ନାହିଁ ।