ଅବସର ପରେ ଶିକ୍ଷକଙ୍କୁ ଘୋଡା ଗାଡିରେ ବିଦାୟ, ଏମିତ ନିଆରା ଢଙ୍ଗରେ ସମ୍ବର୍ଦ୍ଧନା ଦେଲେ ଗାଁ ଲୋକେ

ଭଦ୍ରକ: ବାଜୁଥିଲା ବାଜା, ଜଳୁଥିଲା ରୋଷଣୀ। ଆଗରେ ବିଶାଳ ଶୋଭାଯାତ୍ରା । ଏ କେଉଁ ବିବାହ କିମ୍ବା ଅନ୍ୟ କୌଣସି ଉତ୍ସବ ନୁହେଁ । ଜଣେ ଶିକ୍ଷକଙ୍କୁ ଏଭଳି ବିଶାଳ ଶୋଭାଯାତ୍ରାରେ ବିଦାୟ ଦେଇଛନ୍ତି ଗ୍ରାମବାସୀ । ସତରେ ଶିକ୍ଷକ ହେବ ତ ଏମିତି । ଅବସର ସମୟରେ ଝୁରିଲେ ଅଞ୍ଚଳବାସୀ । ଏପରି ଏକ ଭାବାବେଗର ପରିବେଶ ସୃଷ୍ଟି ହୋଇଥିଲା ଯାହାକୁ ଦେଖି ଆପଣ ବି ହୋଇଯିବେ ଚକିତ ।
ଜଣେ ଶିକ୍ଷକ ଯଦି ନିଷ୍ଠାପର ଭାବେ ଶିକ୍ଷାଦାନ କରିବା ସହିତ ଗାଁ ଲୋକଙ୍କୁ ଆପଣାର କରି ବିଦ୍ୟାଳୟ ଉନ୍ନତିରେ ମନୋନିବେଶ କରିଥିବ ସେହି ଶିକ୍ଷକଙ୍କ ଅବସରବେଳେ ଛାତ୍ରଛାତ୍ରୀ ଓ ଗାଁ ଲୋକ ମାନେ ଯେ କେତେ କଣ ତାଙ୍କ କରିପାରନ୍ତି ତାହା କରିଦେଖାଇଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଗଣ୍ଡକୋରା ଗାଁର ଲୋକମାନେ । ବନ୍ତ ବ୍ଲକ ଅଧୀନ ଛୟାଳସିଂ ପଞ୍ଚାୟତ ଗଣ୍ଡକୁରା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦ୍ମନାଭ ଗିରି । ଦୀର୍ଘ ୨୮ ବର୍ଷ ଶିକ୍ଷାଦାନ କରିବା ପରେ ଅବସର ନେଇଥିଲେ । ସେଥିପାଇଁ ବିଦ୍ୟାଳୟ ପରିସରରେ ଗ୍ରାମବାସୀଙ୍କ ସହଯୋଗରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ବନ୍ତ ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ ସାହୁ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷାତ୍କାରୀ ହରେକୃଷ୍ଣ ଆପଟ୍ଟ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଭାସ୍କରଚନ୍ଦ୍ର ପାଢ଼ୀଙ୍କ ସମେତ ବହୁ ଅତିଥି ଯୋଗଦେଇ ପ୍ରଧାନ ଶିକ୍ଷକ ପଦ୍ମନାଭ ଗିରିଙ୍କ ନିଷ୍ଠାପର ଶିକ୍ଷାଦାନ, ଛାତ୍ର ବତ୍ସଳତା, ଆଦର୍ଶ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ ।
ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଛାତ୍ରଛାତ୍ରୀ ମାନେ ଯେପରି ନୃତ୍ୟ କରି ଆନନ୍ଦ ଅନୁଭବ କରନ୍ତି ସେହିଭଳି ନିଜର ପ୍ରିୟ ଶିକ୍ଷକଙ୍କ ମନରେ ଆନନ୍ଦ ଦେବା ପାଇଁ ନୃତ୍ୟ ସଂଗୀତ କାର୍ଯ୍ୟକ୍ରମ କରାଯାଇଥିଲା । କେବଳ ସେତିକି ନୁହେଁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ସରିଲା ପରେ ଗାଁର ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ, ମହିଳା ଓ ବୟସ୍କ ଲୋକମାନେ ଏକତ୍ରିତ ହୋଇ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ଏକ ସୁସଜ୍ଜିତ ଇଞ୍ଜିନ୍ ଚାଳିତ ଘୋଡା ଗାଡିରେ ବସାଇ ବିରାଟ ଶୋଭାଯାତ୍ରାରେ ଗତକାଲି ସନ୍ଧ୍ୟାରେ ଗ୍ରାମ ପରିକ୍ରମା କରାଇଥିଲେ ।
ଏହାକୁ ଯିଏ ବି ଦେଖିବ ନିଶ୍ଚୟ ଏହା ଏକ ବର ଶୋଭାଯାତ୍ରୀ କିମ୍ବା ବ୍ରତ ଘରର ଶୋଭାଯାତ୍ରାର ଭ୍ରମ ସୃଷ୍ଟି କରିବ । ତେବେ ଆଜିର ସମାଜରେ ଛାତ୍ରଛାତ୍ରୀ-ଶିକ୍ଷକ, ଗ୍ରାମବାସୀ-ଶିକ୍ଷକ ମାନଙ୍କ ମଧ୍ୟରେ ଅନେକ ସମୟରେ ତିକ୍ତତା ଦେଖାଯାଉଥିଲା ବେଳେ, ଏଠାରେ ଗ୍ରାମବାସୀ ମାନେ ନିଜ ଗ୍ରାମର ପ୍ରଧାନ ଶିକ୍ଷକଙ୍କୁ ଯେଭଳି ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି ତାହା ନିଶ୍ଚୟ ଆଜିର ସମାଜ ପାଇଁ ଏକ ନୂଆ ଆହ୍ୱାନ ବୋଲି ଆଲୋଚନା ହେବା ସହିତ ଏହି ଘଟଣା ଏବେ ସାରା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।