କଥା କହିପାରୁନଥିବା ଏଇ ବୁଢୀ ମାଉସୀଙ୍କ ଦୁଃଖ ଶୁଣିଲେ ଆଖିରୁ ଲୁହ ଖସି ଆସିବ

ଭୁବନେଶ୍ୱର: ବାବୁ ପଇସାଟିଏ ମିଳୁ, ମାଆ ଦି ଟଙ୍କା ପାଞ୍ଚ ଟଙ୍କାଟେ ଦିଅ । ଭୋକିଲା ପେଟରେ ଦାନା ଗଣ୍ଡେ ପଡିବ । ହଁ ବାବୁ ଆପଣଙ୍କ ଦୟାରୁ ମୋ ମୋ ପରିବାର ବଞ୍ଚିଯିବେ । ଏକଥା ଆମେ ସିନା କହି ଦେଲୁ, ହେଲେ ଏମିତି କିଛି କହି କାହା ଆଗରେ ହାତ ପତାଇବା ଏବୁଢୀ ମାଉସୀଙ୍କ ଦ୍ୱାରା ସମ୍ଭବ ନଥିଲା । ଆମେ ଲକ୍ଷ୍ୟ କରୁଥିଲୁ ଆସିଲା ବେଳ ଠାରୁ ସେ ବୁଢ଼ୀ ମାଉସୀ କଥା କହି ପାରୁନଥିଲା ଭଳିଆ ଲାଗୁଥିଲା । ଥରି ଥରି ଚାଲୁ ଚାଲୁ ମନେ ହେଉଥିଲା କିଛି ସମୟ ପରେ ବୁଢ଼ୀ ମାଉସୀ ଝୁଲି ଝୁଲି ପଡ଼ି ଯିବେକି? ନହେଲେ କୌଣସି ଗାଡ଼ିରେ କି କେଉଁଥିରେ ବାଡେଇ ହୋଇଯିବେ କି? ହେଲେ ଅଳ୍ପକେ ବର୍ତ୍ତି ଯାଉଥାନ୍ତି ।
ଏସବୁ ଭିତରେ ଥର ଥର ହାତରେ କେତେବେଳେ ଗୋଟିଏ ହାତ ତ ଆଉ କେତେବେଳେ ଦୁଇଟି ହାତ ପତାଇ ଦେଉଥିଲେ । କିନ୍ତୁ କିଛି କହି ପାରୁ ନଥିଲେ । ଯିଏ ଦେବାକୁ ଚାହୁଁ ଥିଲେ ସିଏ ପାଞ୍ଚ ଟଙ୍କା ଦଶ ଟଙ୍କା ବୁଢ଼ୀ ମାଉସୀଙ୍କୁ ହାତକୁ ବଢ଼ାଇ ଦେଉଥିଲେ । ଯାହାର ଦେବାର ନାହିଁ ମନା କରି ଦେଉଥିଲେ ଅବା ମୁହଁ ବୁଲାଇ ଦେଉଥିଲେ । କିଛି ସମୟ ରହି ରହି ପୁଣି ସମସ୍ତଙ୍କ ପାଖକୁ ଯିବାକୁ ଚେଷ୍ଟା କରୁଥିଲେ ।
ଏସବୁ ଭିତରେ ଆଉ ଗୋଟିଏ କଥା ଦେଖିବାକୁ ମିଳିଥିଲା । ଯିଏ ଦେଇ ପାରିବନି ତାଙ୍କୁ ମାଗୁ ନଥିଲେ ବୁଢ଼ୀ ମାଉସୀ । ତେବେ ବୁଢ଼ୀ ମାଉସୀଙ୍କର ଏଭଳି ଅବସ୍ଥା ସେଠାରେ ଉପସ୍ଥିତ କିଛି ଲୋକଙ୍କୁ ଭାରି ବ୍ୟଥିତ କରୁଥିଲା ।ଅନେକ ଲୋକ ସେ ଦୃଶ୍ୟକୁ ଦେଖୁଥାନ୍ତି କିନ୍ତୁ ସମସ୍ତେ ନିରବ କାହିଁକି ନା ସେଠିକାର ଉପସ୍ଥିତ ନିୟମିତ ଲୋକଙ୍କ ପାଇଁ କିଛି ନୂଆ ନଥିଲା । କାରଣ ବୋଧହୁଏ ବୁଢ଼ୀ ମାଉସୀ ସେଠାକୁ ମାଗିବା ପାଇଁ ସବୁଦିନ ଆସନ୍ତି ।
ସତରେ ବିଧି ବ୍ୟସ୍ତତା ଉପରେ ଭାରି ମନଉଣା ହେଉଥିଲା । ଆଜିର ଦୁନିଆରେ ଏଭଳି ମଣିଷଙ୍କ ପାଇଁ କଣ କିଛି ନାହିଁ । ବୁଢ଼ୀ ମାଉସୀ ତ କଥା କହି ପାରୁନଥିଲେ । ଜନସାଧାରଣ ମଧ୍ୟ କେହି କିଛି ପ୍ରତିକ୍ରିୟା ଦେବାକୁ ଚାହୁଁ ନଥିଲେ । ଯାହା ଶୁଣିବାକୁ ମିଳିଲା ଏ ବୁଢ଼ୀ ମାଉସୀ ଭୁବନେଶ୍ୱର ମାଉସୀମା ମନ୍ଦିର ଆଖ ପାଖରେ କେଉଁଠି ରହୁଛନ୍ତି । ଘରେ ଗୋଟିଏ ଦିବ୍ୟାଙ୍ଗ ପୁଅ । ତାର ଲାଳନ ପାଳନ ଦାୟିତ୍ୱ ମଧ୍ୟ ଏହି ଦିବ୍ୟାଙ୍ଗ ମାଆଟି ମୁଣ୍ଡରେ ।
ବାପା ତ କେଉଁ ଅମଳରୁ ସେପାରିକୁ ଯାଇ ସାରିଛନ୍ତି । ଏମିତି ନିଜେ ଅସହାୟ ରୋଗିଣା ତେବେ ପୁଅଟିକୁ କେମିତି ପାଳିବ ? ନିଜେ କେମିତି ବଞ୍ଚିବ ? ଏସବୁ କଥା ତ ଆମେ କି ସରକାର ବୁଝିବା ଦରକାର । ହେଲେ ଏଇ ମାନବିକତାହୀନ ମାନବ ସମାଜରେ ଏସବୁ ବୁଝିବାକୁ କାହା ପାଖରେ ବେଳ କାହିଁ ? ଆମ ଭିତରୁ କିଛି ସିନା ତୁରନ୍ତ ହାତ ବଢ଼ାଇ ଦିଅନ୍ତି ସହାୟତାର । ହେଲେ ଆଉ କିଛି ମନ ଭିତରେ ଆଗ ପଛ ହୋଇ ପୁଣି ପଛକୁ ରହି ଯାଆନ୍ତି । ଏମାନେ ଆଗକୁ ଆସିଲେ ଏଭଳି ବୁଢ଼ୀ ମାଉସୀମାନେ ସମାଜରେ ସମ୍ମାନର ସହ ବଞ୍ଚି ଯାଆନ୍ତେ ।